ଏସିଆନ ବୁକ୍ ଅଫ ରେକର୍ଡ ଓ ଏକ୍ସକ୍ଲୁସିଭ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଲା  ଓମପ୍ରକାଶ ସାହୁଙ୍କ ବାଲୁକା କଳା

କଳାହାଣ୍ଡି, (ନରୋତ୍ତମ ସେଲମା): କେବଳ କଳାହାଣ୍ଡି କି କର୍ଲାମୁଣ୍ଡା ବ୍ଳକ ପାଇଁ ନୁହେଁ, ସମଗ୍ର ଓଡିଶା ପାଇଁ ଗର୍ବ ଓ ଗୌରବର କଥା । କଳାହାଣ୍ଡି ମାଟିର ଯୁବ ବାଲୁକାଶିଳ୍ପୀ ଓମପ୍ରକାଶ ସାହୁଙ୍କ ବାଲୁକାକଳା “ଇଣ୍ଡିଆନ୍ ହେରିଟେଜ୍‌” (ଭାରତୀୟ ଐତିହ୍ୟ,ପରମ୍ପରା) କୁ ମିଳିଛି ଗାରିମାମୟ ସ୍ୱୀକୃତି । ଏସିଆନ ବୁକ୍ ଅଫ ରେକର୍ଡ ଓ ଏକ୍ସକ୍ଲୁସିଭ ୱାଲର୍ଡ ରେକର୍ଡରେ ଏଇ ବାଲୁକାକଳା ସ୍ଥାନୀତ ହୋଇଛି । ଏଇ ରେକର୍ଡ ସ୍ଥାନୀତ ହେବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ । ପୂର୍ବରୁ ଆଉ ଜଣେ ଓଡିଆ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏଇ ଗୌରବ ହାସଲ କରିସାରିଛନ୍ତି ।


ପ୍ରକାଶ ଯେ ଓମପ୍ରକାଶ ଗତବର୍ଷ ଜାନୁୟାରୀ ମାସରେ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ ଓ ଫୁଲବାଣୀ ଜିଲ୍ଲାର ମଧ୍ୟମ ସ୍ଥଳ ଐତିହାସିକ ପୀଠ ଐରଖାରବେଳ ଗଡ ନିକଟସ୍ଥ ତେଲନଦୀର ପେନ୍ଦିମୁଣ୍ଡା, ଆଟଗାଁ ଘାଟରେ ୨୬ ଫୁଟ ଉଚ୍ଚତାର ଭାରତୀୟ ଐତିହକୁ ନେଇ ବାଲୁକାକଳା ନିର୍ମାଣ କରିଥିଲେ । ଏଥିରେ ଜାତୀୟ ପତକା, ଲାଲକିଲ୍ଲାର ଅଂଶବିଶେଷ, କୁତବମିନାର, ତାଜମହଲ, ଗେଟ ୱେ ଅଫ ଇଣ୍ଡିଆ, ଲୋଟସ ଟେମ୍ପୁଲ, କୋଣାର୍କ, ଶ୍ରୀମନ୍ଦିର, ରାଣୀପୁର ଝରିଆଲର ୬୪ଯୋଗିନୀ ପୀଠ, ଲୋକବାଦ୍ୟ ‘ନିଶାନ’ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପ୍ରତିକୃତି ନିର୍ମାଣ ହୋଇଥିଲା ।


ଯୁବ ବାଲୁକାଶିଳ୍ପୀ ଶ୍ରୀ ସାହୁ କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଂଚାୟତର ଡଙ୍ଗରମୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗ୍ରାମରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ରିଷିଡା ବାପୁଜୀ ହାଇସ୍କୁଲରୁ ମାଧ୍ୟମିକ ଶିକ୍ଷା ଓ ଜୟପୁର ଶ୍ରୀବିକ୍ରମଦେବ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ, ଖଲ୍ଳିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ସ୍ନାତକ ତଥା ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଭୂବନେଶ୍ୱର ରେ ଚାରୁକଳା ରେ ସ୍ନାତକୋତର ଶିକ୍ଷା ଗ୍ରହଣ ପରେ ବି.ଇ.ଡି ତାଲିମ ନେଇଥିଲେ । ସଂପ୍ରତି ସେ ବଲାଙ୍ଗୀର ଜିଲ୍ଲା ପ୍ରତାପପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ତାଙ୍କର ଏଇ ରେକର୍ଡ ପାଇଁ କର୍ଲାମୁଣ୍ଡା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.