ଡ଼କ୍ଟର ମମତା କୁମାରୀ ତ୍ରିପାଠୀଙ୍କ ଆଲୋଚନା : ମହାଶିବରାତ୍ରୀ ମହାତ୍ମ୍ୟ

 

ଡ଼କ୍ଟର ମମତା କୁମାରୀ ତ୍ରିପାଠୀ

ବହୁ ପ୍ରାଚୀନ କାଳରୁ ଭାରତରେ ପଞ୍ଚଦେବତା ଉପାସନା ପରିଲକ୍ଷିତ ହୁଏ । ଏହି ପଞ୍ଚଦେବତା ହେଉଛନ୍ତି ଗଣେଷ, ନାରାୟଣ, ରୁଦ୍ର(ଶିବ), ଅମ୍ବିକା(ଶକ୍ତି) ଏବଂ ଭାସ୍କର(ସୂର୍ଯ୍ୟ) । ପଞ୍ଚଦେବତାଙ୍କୁ ନେଇ ଯଥାକ୍ରମେ ଗାଣପତ୍ୟ, ବୈଷ୍ଣବ, ଶୈବ, ଶାକ୍ତ ଓ ସୌର ଉପାସନା କାଳକ୍ରମେ ସୃଷ୍ଟି ହୋଇଥିବା ବେଳେ ଶୈବ ଉପାସନାକୁ ପ୍ରାକ୍ ବୈଦିକ ଯୁଗ ସହିତ ସଂଯୋଗ କରିବା ସହିତ ଏହାଙ୍କୁ ଅନାର୍ଯ୍ୟଙ୍କ ଦେବତା ରୂପେ ମଧ୍ୟ ପ୍ରତିପାଦନ କରାଯାଇଛି । କାରଣ ଶିବଙ୍କର ବାସସ୍ଥାନ ପାର୍ବତ୍ୟଭୂମି କୈଳାସରେ, ବେଶ ଅନାର୍ଯ୍ୟଙ୍କ ଭଳି । ପୋଷାକ କୃଷ୍ଣାଜୀନ,ବାହନ ବୃଷଭ, ଗଳାରେ ମାଳା ସଦୃଶ ସର୍ପ ଓ ପତ୍ନୀ ହେଉଛନ୍ତି ପର୍ବତ ନନ୍ଦିନୀ ପାର୍ବତୀ ଆଦି ।

ଶିବଙ୍କୁ ନେଇ ବର୍ଷ ମଧ୍ୟରେ ବିଭିନ୍ନ ପର୍ବପର୍ବାଣୀ ଓ ଓଷାବ୍ରତ ଆଦି ବିଧି ପୂର୍ବକ ପାଳିତ ହୋଇଥାଏ । ଏହି ପର୍ବପର୍ବାଣୀ ଓ ଓଷାବ୍ରତ ମଧ୍ୟରେ ଶିତଳଷଷ୍ଠୀ, ମହାଶିବରାତ୍ରି, ସୋମନାଥ ବ୍ରତ, ନଗଲଚଉଠୀ, ବାଲିତୃତୀୟା, ଆଦି ଅନ୍ୟତମ । ଉପରୋକ୍ତ ପର୍ବପର୍ବାଣୀ ମଧ୍ୟରୁ ଶିବରାତ୍ରୀ ବା ଜାଗରକୁ ହିନ୍ଦୁମାନେ ମହାସମାରୋହରେ ପାଳନ କରିଥାନ୍ତି ।
ଉକ୍ତ ପର୍ବଟିର ଉତ୍ପତ୍ତି ସଂପର୍କରେ ଭକ୍ତକବି ରାମଦାସ ସ୍ୱରଚିତ ‘ଶ୍ରୀ ଶିବରାତ୍ରୀ ମହାତ୍ମ୍ୟ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି – କ୍ଷୀରସାଗର ମନ୍ଥନ ସମୟରେ ବାସୁକୀ ମୁଖରୁ ନିର୍ଗତ ହୋଇଥିବା ହଳାହଳ ବିଷ ପ୍ରଭାବରେ ସଂସାର ଧ୍ୱଂସ ହେବାକୁ ବସିଲା । ତେଣୁ ସଂସାରକୁ ଧ୍ୱଂସ ମୁଖରୁ ରକ୍ଷା କରିବା ପାଇଁ ସମସ୍ତେ ଦେବ ଦେବ ମହାଦେବଙ୍କୁ ଆକୁଳ ପ୍ରାର୍ଥନା କଲେ । ଶେଷରେ ମହାଦେବ ସଂସାର ରକ୍ଷାର୍ଥେ ସେହି ହଳାହଳ ବିଷକୁ ପାନ କରିିବା ଦ୍ୱାରା ମୁର୍ଛିତ ହୋଇ ପଡ଼ିଥିଲେ, ତେଣୁ ବ୍ରହ୍ମା, ବିଷ୍ଣୁ ଆଦି ଦେବଗଣ ନିଶିଦିବସ ଉଜାଗର ରହି ତାଙ୍କ ମସ୍ତକରେ ଚନ୍ଦନ କର୍ପୁର ଆଦି ବିଭିନ୍ନ ଶୀତଳ ସାମଗ୍ରୀ ତଥା ଜଳଲାଗି କରିବାରୁ ମହାଦେବଙ୍କର ପୁନଶ୍ଚ ଚେତନା ଫେରିଆସିଲା । ବିଷ୍ଣୁ ଉକ୍ତ ଦିନଟି ସଂପର୍କରେ ପ୍ରଜାପତି ବ୍ରହ୍ମାଙ୍କୁ ପଚାରିବାରୁ ବ୍ରହ୍ମା ଏହି ଦିବସଟିକୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ବୋଲି କହିଥିଲେ । ଏହା ଶୁଣି ବିଷ୍ଣୁ କହିଥିଲେ –
“ଏବେ ଅମାବାସ୍ୟା ଅଛି ହୋଇ,ଚେତନା ହେଲା ଉମାସାଇଁ
ଚେତନା ହେବାର ଶଙ୍କର,ଆମ୍ଭ ସବୁଙ୍କ ଉଜାଗର
++++++++
ଏ ଆମ୍ଭ ବଚନ ଉଚିତ ଆଜେୟ ଶିବରାତ୍ରୀ ବ୍ରତ ।”
(ଶିବରାତ୍ରୀ ମହାତ୍ମ୍ୟ,ପୃ-୧୯)

ଶିବରାତ୍ରୀ ଭାରତୀୟ ସଂସ୍କୃତିର ଏକ ମହାନ ପର୍ବ । ଉକ୍ତ ପର୍ବଟି ବସନ୍ତ ଋତୁ ଆରମ୍ଭରେ ଏକ ମହାନ ପର୍ବ । ବସନ୍ତ ଋତୁରେ ମଳୟର ମୃଦୁ ହିଲ୍ଲୋଳ, ପୁଷ୍ପର ସୁଗନ୍ଧିତ ସୁରଭି ମଣିଷ ମନରେ ସୃଷ୍ଟି କରେ ଅପୂର୍ବ ଉନ୍ମାଦନ । ଉନ୍ମତ୍ତ ମଣିଷର ଉତ୍ସୃଙ୍ଖଳତାକୁ ଶୃଙ୍ଖଳିତ କରିବା ପାଇଁ ଏହି ବ୍ରତ ପାଳନର ବ୍ୟବସ୍ଥା କରାଯାଇଛି ।

ଶିବ ହେଉଛନ୍ତି ରାତ୍ରି । ସଂହାରକାଳର ପ୍ରତିନିଧି ତଥା ଭୂତପ୍ରେତଙ୍କର ନିୟାମକ । ଦେଣୁ ଦିନରେ ସୂର୍ଯ୍ୟଙ୍କର ଆଲୋକରେ ସେ ନିଜର ପ୍ରଭାବ ଦେଖାଇନପାରି ରାତ୍ରିର ଘନକୃଷ୍ଣ ଅନ୍ଧକାରର ଆବରଣ ତଳେ ନିଜର ଶକ୍ତି ପ୍ରଦର୍ଶନ କରିଥାଆନ୍ତି । ସେଥିପାଇଁ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷର ସମସ୍ତେ ନିର୍ଜଳା ଉପବାସ ପୂର୍ବକ ଉଜାଗର ରହି ସର୍ବକଲ୍ୟାଣର ପ୍ରତୀକ,ସର୍ବତ୍ୟାଗୀ ସାଗର ମନ୍ଥନରୁ ପ୍ରାପ୍ତ ହଳାହଳ ବିଷପାନକାରୀ, ତ୍ରିଲୋକର ଦୂଃଖ ସନ୍ତାପହାରୀ, ଆଶୁତୋଷ ଦେବ ଦେବ ମହାଦେବଙ୍କର ପୂଜା ଆରାଧନାରେ ବ୍ୟସ୍ତ ଥାଆନ୍ତି ।

ଶୈବମାନଙ୍କର ଦୃଢ ବିଶ୍ୱାସ ରହିଛି ଯେ, ନିଷ୍ଠାର ସହିତ ଶିବରାତ୍ରୀ ଉପବାସ ଓ ଅଖଣ୍ଡ ଦୀପ ପ୍ରଜ୍ୱଳନ ଦ୍ୱାରା ଜୀବନର ସମସ୍ତ ପାପତାପ ଦୂର ହୋଇ ସୁଖଶାନ୍ତି ମିଳିଥାଏ । ଅନ୍ୟଭାଷାରେ କହିବାକୁ ଗଲେ ଜୀବନର ସମସ୍ତ କଳୁଷ୍ମ ବିନାଶ କରି ଏକ ନୂତନ ପବିତ୍ର ଜୀବନ କାଳକୁ ଆବାହନ କରିବା ହେଉଛି ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ । ପର୍ବଟିର ମାହାତ୍ମ୍ୟ ସଂପର୍କରେ ଭକ୍ତି କବି ରାମଦାସଙ୍କ ଶିବରାତ୍ରୀ ମାହାତ୍ମ୍ୟ ଗ୍ରନ୍ଥରେ ଉଲ୍ଲେଖ ଅଛି ‘ମାଳବଦେଶର ମନ୍ତ୍ରୀ ସୂତ ସୁକୁମାର ଦ୍ୱୀଜ କୁଳରେ ଜନ୍ମ ହୋଇ ନିଜର କାମାନ୍ଧ ପଣିଆ ଦ୍ୱାରା ରାଜ୍ୟରୁ ବିତାଡ଼ିତ ହେଲେ ମଧ୍ୟ ନିଜର କୁତ୍ସିତ ପୈଶାଚିକ ମନୋବୃତ୍ତିକୁ ପରିତ୍ୟାଗ କରିପାରିନଥିଲା । ଏହି କୁତ୍ସିତ କଳଂକିତ ମନୋବୃତ୍ତି ଦ୍ୱାରା ସେ ବହୁ ଅପକର୍ମ କଲେ ମଧ୍ୟ ଏକଦା ଶିବରାତ୍ରି ବ୍ରତ ନିମନ୍ତେ ଫୁଲ ତୋଳି ନେଉଥିବା ବ୍ୟକ୍ତିଙ୍କୁ ଦେଖି ଫୁଲ ଆଣିବା ପାଇଁ ତାର ପତ୍ନୀ ଅନୁରୋଧ କରିବାରୁ ସେ ପତ୍ନୀଙ୍କ ନିମନ୍ତେ ଫୁଲ ଆଣିବା ପାଇଁ ଚାରିଆଡ଼େ ବୁଲିବୁଲି ଫୁଲ ନପାଇ ଶେଷରେ ନିରାଶ ତଥା ଭୋକ ଉପାସରେ ସନ୍ଧ୍ୟାବେଳେ ଗ୍ରାମ ବାହାରେ ଥିବା ଶ୍ରୀନୀଳେଶ୍ୱର ମନ୍ଦିରରେ ପହଞ୍ଚିଲା । ମନରେ ଭାବିଲା ସାରାରାତି ଉଜାଗର ରହି ପ୍ରଭାତରୁ ଲୋକମାନେ ସେଠାରୁ ପଳାଇଯିବା ପରେ ଠାକୁରଙ୍କ ପାଖରେ ଥିବା ଫୁଲ ଚୋରି କରିନେବ । ପ୍ରଭାତରୁ ଫୁଲ ଚୋରି କରିନେବା ସମୟରେ ଲୋକମାନେ ଚୋର ଚୋର କହି ଗୋଡ଼ାଇବାରୁ ସେ ବାଟରେ ଝୁଣ୍ଟିକରି ପଡ଼ିଯିବାରୁ ତା’ର ପ୍ରାଣବାୟୁ ଚାଲିଯାଇଥିଲା । ମୃତ୍ୟୁପରେ ଯମ ଦୂତମାନେ ତାକୁ ବାନ୍ଧି ନେବାବେଳେ ଶିବ ଦୂତଗଣ ସେଠାରେ ପହଞ୍ଚି ଯମଦୂତମାନଙ୍କୁ ଯୁଦ୍ଧରେ ହରାଇତାକୁ ମୁକ୍ତ କରିନେଇଗଲେ । ଏହାପରେ ଯମ ନିଜେ ଶିବଙ୍କ ପାଖରେ ପହଞ୍ଚି ସମସ୍ତ କଥା କହିବାକୁ ଶିବ କହିଥିଲେ – ଅଶେଷ ପାପାସକ୍ତ ସୁକୁମାର ମନ୍ଦ ଉଦ୍ଦେଶ୍ୟରେ ଉପବାସରେ ଉଜାଗର ରହି ଶିବ ଦର୍ଶନ କରିଥିବରୁ ତା’ର ସମସ୍ତ ପାତକ ଦୂରୀଭୂତ ହୋଇଛି । କାରଣ ଏହି ଦିନଟି ଥିଲା ଶିବରାତ୍ରି । ସମସ୍ତ ବ୍ରତମାନଙ୍କ ମଧ୍ୟରେ ଶ୍ରେଷ୍ଠ । ତେଣୁ ଜଣେ ଜାଣତରେ ବା ଅଜାଣତରେ ଯଦି ଶିବରାତ୍ରି ଦିନ ଉପବାସ ରହି ଶିବଙ୍କୁ ଦର୍ଶନ କରେ ତେବେ ତା’ର ଦେବଲୋକ ପ୍ରାପ୍ତି ସୁନିଶ୍ଚିତ ।

ଶିବଙ୍କ ଉପାସନାରେ ମନ ହୁଏ ନିର୍ମଳ । ତେଣୁ ପ୍ରତ୍ୟେକ ଲୋକ ପରମପିତା ପରାମାତ୍ମା ଶିବଙ୍କୁ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି । ଏହି ପରମପିତା ପରମାତ୍ମା ଶିବଙ୍କୁ ଭକ୍ତମାନେ ଦୁଧ, ପଣା, ଖୁଆ, ତ୍ରିଶାଖା, ବିଲ୍ୱପତ୍ର, ଦୁଦୁରାଫୁଲ, ଅରଖ, କେତକୀଫୁଲ, ଆଦି ଅର୍ପଣ କରିବା ସହିତ ରାତ୍ରରେ ଉଜାଗର ରହିଥାନ୍ତି । ପରଦିନ ପ୍ରଭାତରୁ ସ୍ନାନ ପୂର୍ବକ ଶିବଦର୍ଶନ ଓ ଶିବ ପାଦୋଦକ ସେବନ ପରେ ଶିବରାତ୍ରି ବ୍ରତ ସମାପିତ ହୋଇଥାଏ ।

ଆୟୁର୍ବେଦ ମତରେ ବିଲ୍ୱପତ୍ର ଜ୍ୱର, କଫ ଓ ବିଭିନ୍ନ ପେଟ ରୋଗକୁ ନାଶକରେ ଏବଂ ଦୁଦୁରାଫୁଲ ବିଷନାଶକ ଅଟେ । ଏହା ଅପସ୍ମାର,ବିସୁଚିକା, କୁଷ୍ଠ ଆଦି ବହୁ ଦୁଃସାଧ୍ୟ ରୋଗ ନାଶ କରେ । ତେଣୁ ଶିବଙ୍କୁ ଏହି ଅରଖ, ଦୁଦୁରାଫୁଲ ଓ ବିଲ୍ୱପତ୍ର ବଢାଇବାର ରହସ୍ୟ ହେଲା ନିଜର ରୋଗ ଓ ତଦଜନିତ ବିଭିନ୍ନ ବିକାର ତାଙ୍କୁ ଅର୍ପଣ କରିବା ଓ ନିର୍ବିକାର ଚିତ୍ତରେ ପବିତ୍ରତାର ସହିତ ବ୍ରତ ପାଳନ କରିବା ।


ଶିବଙ୍କୁ ଆଶୁତୋଷ ବା ଭୋଳାନଥ କୁହାଯାଏ । କାରଣ ସେ ଅଳ୍ପରେ ସନ୍ତୁଷ୍ଠ ହୋଇ ବର ପ୍ରଦାନ କରିଥାନ୍ତି । ବିଜ୍ଞାନ ଯୁଗରେ ଆଧୁନିକ ମନୁଷ୍ୟ ଭଗବାନଙ୍କ ଅସ୍ତିତ୍ୱ ସଂପର୍କରେ ସନ୍ଦୀହାନ ହେଲେ ମଧ୍ୟ ଏହି ଶିରାତ୍ରିରେ ପାଳିତ ବିଧିବିଧାନ, ଶିବ ପାଦୋଦକ,ବିଲ୍ୱପତ୍ରର ଗୁଣ ଓ ଶିବପୂଜ୍ୟ ପୁଷ୍ପର ମାହାତ୍ମ୍ୟକୁ ଅସ୍ୱୀକାର କରିବା ଦେଖାଯାଏ ନାହିଁ ।
ବାସ୍ତବିକ ଶିବରାତ୍ରିର ମହାତ୍ମା ଅଶେଷ । ଶିବରାତ୍ରିର ଚାରିପ୍ରହର ମଧ୍ୟରୁ ପ୍ରଥମରୁ ଚତୁର୍ଥ ପ୍ରହର ମଧ୍ୟେରେ ଯଥାକ୍ରମେ କ୍ଷୀର, ଦହି,ଘୃତ ଓ ମହୁରେ ଅଭିଷେକ ତଥା ପୂଜାର୍ଚ୍ଚନା କଲେ ଅଶେଷ ପୂଣ୍ୟଲାଭ ହୁଏ । ତେଣୁ ପୂଣ୍ୟକାମୀ ନରନାରୀମାନେ ଏହି ଶିବରାତ୍ରିକୁ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରନ୍ତି ।

ଅଧ୍ୟାପିକା,ଓଡ଼ିଆ ବିଭାଗ
ମ.ରାମପୁର ମହାବିଦ୍ୟାଳୟ, କଳାହାଣ୍ଡି

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.