ରାହୁଲ-ରୋହିତଙ୍କ ଅତ୍ୟଧିକ ପରୀକ୍ଷଣ ଯୋଗୁ ହାତଛଡା ହୋଇଯିବ କି ଟି୨୦ ବିଶ୍ୱକପ

ଟି୨୦ ବିଶ୍ୱକପ ଆଉ ଅଳ୍ପ ଦିନ ଥିବା ବେଳେ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟସ୍ତ ବିବ୍ରତ କରାଇ ସାରିଲେଣି । ଟି୨୦ କ୍ରିକେଟର ଏକ ନମ୍ବର ଟିମ ଶେଷ ୪ଟି ମୁକାବିଲାରେ ୩ଟିରେ ପରାଜିତ ହୋଇଛି । ତେବେ ଭୁଲ କେଉଁଠାରେ ରହୁଛି ? ବିସିସିଆଇ କୋଚ, ଅଧିନାୟକଠାରୁ ଆରମ୍ଭ କରି ଚଳିତ ବର୍ଷ ବହୁତ କିଛି ପରିବର୍ତନ କରିଛି । ମାତ୍ର ଏହାର ଫାଇଦା ଟିମ ଇଣ୍ଡିଆକୁ ଏ ପର୍ଯ୍ୟନ୍ତ ମିଳି ନାହିଁ । ଏହାକୁ ନେଇ ପ୍ରଶଂସକ ଏବଂ ସମୀକ୍ଷକ ଚିନ୍ତାରେ ପଡିଲେଣି । ଖେଳାଳିଙ୍କ ଫିଲ୍ଡିଂ ଏବଂ ବଡି ଲାଙ୍ଗୁଏଜରୁ କିଛିଟା ଥକ୍କାପଣ ଦେଖିବାକୁ ମିଳୁଛି । ଅଧିନାୟକ ରୋହିତ ଶର୍ମା ଓ କୋଚ ରାହୁଲ ଦ୍ରାବିଡଙ୍କ ପରୀକ୍ଷଣର ମାନେ ବୁଝା ପଡୁନି । ଉଦାହରଣ ସ୍ୱରୂପ ଏସିଆ କପରେ ପାକିସ୍ତାନ ବିପକ୍ଷରେ ରବି ବିଶ୍ନୋଇ ଭଲ ପ୍ରଦର୍ଶନ କଲେ, ମାତ୍ର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଗଲା । ଯୁକ୍ତି ଥିଲା ଶ୍ରୀଲଙ୍କା ଦଳରେ ଅଧିକ ବାମହାତୀ ଖେଳାଳି ଅଛନ୍ତି ସେଥିପାଇଁ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ସୁଯୋଗ ମିଳିଛି । ପାକିସ୍ତାନ ବିପକ୍ଷ ଟିମରେ ବି ଅଧିକ ବାମହାତୀ ଖେଳାଳି ଥିଲେ, ତାହେଲେ ବିଶ୍ନୋଇଙ୍କୁ କାହିଁକି ସୁଯୋଗ ଦିଆଯାଇଥିଲା । ସେହିପରି ଟିମ ମ୍ୟାନେଜମେଂଟ ୩ ବର୍ଷ ହେବ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିବା ଉମେଶ ଯାଦବଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ଦଳରେ ସାମିଲ କଲା । ଅଥଚ ଦୀପକ ଚହର ବିଶ୍ୱକପ ଦଳର ରିଜର୍ଭ ଖେଳାଳି ହୋଇଥିଲେ ମଧ୍ୟ ସେ ଡଗଆଉଟରେ ବସି ଭାରତର ପରାଜୟ ଦେଖୁଥିଲେ । ୧୯ ନଭେମ୍ବର ୨୦୨୧ରେ ଅଶ୍ୱୀନ ଭାରତ ପକ୍ଷରୁ ଶେଷ ଟି୨୦ ମ୍ୟାଚ ଖେଳିଥିଲେ । ୮ ମାସ ପରେ ହଠାତ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦଳରେ ସାମିଲ କରାଗଲା । ତାହାହେଲେ ତାଙ୍କୁ ଏତେ ଦିନ ବାହାରେ କାହିଁକି ରଖାଯାଇଥିଲା । ଭୁବନେଶ୍ୱର କୁମାର ଡେଥ ଓଭରରେ ବାରମ୍ବାର ଭୁଲ କରୁଛନ୍ତି ଆଉ ତାଙ୍କୁ ସୁଯୋଗ ଉପରେ ସୁଯୋଗ ପ୍ରଦାନ କରାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ରେ ବଡ ସ୍କୋର କରି ହାରିବା ଭାରତର ଦୁର୍ବଳ ବୋଲିଂକୁ ପଦାରେ ପକାଇ ଦେଇଛି । ଅଷ୍ଟ୍ରେଲିଆ ପିଚରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଏବେଠାରୁ ମନରେ ଭୟ ସଂଚାର କରାଇଲାଣି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.