ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଟାଟା ପାୱାର ସାଉଥ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସଓଡିଏଲ) ସାଉଥ୍ ଜୋନ, ରାୟଗଡା ଡିଭିଜନ୍ ଅନ୍ତର୍ଗତରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ତଥା ଦାବିଗୁଡିକର ଆଲୋଚନା ପ୍ରସଙ୍ଗକୁ ନେଇ ଭାରତୀୟ ମଜଦୁର ସଂଘ ଓ ଅଖିଳ ଭାରତୀୟ ବିଦ୍ୟୁତ୍ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ରାୟଗଡା ଜିଲ୍ଳା ଶାଖାର ପ୍ରଥମ ବୈଠକ ଆଜି ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ରାୟଗଡା ଜିଲ୍ଳା ଶାଖା ସଭାପତି ଆନନ୍ଦ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ଓକିଲ ସଂଘ ଉପସଭାପତି ଆଇନଜୀବି ପଦ୍ମନାଭ ଦାସ (ଟୁଟୁ), ଆଇନଜୀବୀ ଗୈାରଚନ୍ଦ୍ର ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ମହାସଂଘର ସାଧାରଣ ସଂପାଦକ ସତ୍ୟବ୍ରତ ପରିଡା ଯୋଗ ଦେଇ ଭାରତ ମାତାଙ୍କ ଫୋଟୋ ଚିତ୍ରରେ ଦୀପ, ଧୂପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ମିଟର ରିର୍ଡର ମାନଙ୍କ କ୍ଷେତ୍ରରେ କୁଶଳୀ ଶ୍ରେଣୀର ଶ୍ରମିକଙ୍କ ମଜୁରୀ ପ୍ରଦାନ ପାଇଁ ଅଧିସୂଚନା ଜାରି କରିଥିବା ବେଳେ ଟାଟା ପାୱାର କର୍ତୁପକ୍ଷ ଏମାନଙ୍କୁ ଅର୍ଦ୍ଧ କୁଶଳୀ ଶ୍ରେଣୀ ଶ୍ରମିକଙ୍କ ମଜୁରୀ ହାରରେ ଦରମା ପ୍ରଦାନ କରୁଛନ୍ତି । ସେହିଭଳି ଯେଉଁମାନେ ସୁପରଭାଇଜର ରହିଛନ୍ତି ସେମାନଙ୍କୁ ଉର୍ଦ୍ଧ କୁଶଳୀ ଶ୍ରେଣୀର ମଜୁରୀ ହାରରେ ଦରମା ପ୍ରଦାନ ପରିବର୍ତେ ସେମାନଙ୍କୁ ମଧ୍ୟ ଅର୍ଦ୍ଧ କୁଶଳୀ ଶ୍ରେଣୀର ମଜୁରୀ ହାରରେ ଦରମା ପ୍ରଦାନ କରୁଛନ୍ତି । ଏପରିକି ଟାଟା ପାୱାର ଆଜକୁ ୩ବର୍ଷ ହେଲା କାର୍ଯ୍ୟକାରୀ ହୋଇଆସୁଥିବା ବେଳେ ରକ୍ଷାଣବେକ୍ଷଣ ବିଭାଗ କର୍ମଚାରୀ ହେଉ କିମ୍ବା ଠିକା କର୍ମଚାରୀଙ୍କ ଦରମା ପ୍ରଦାନ କ୍ଷେତ୍ରରେ ୩ପଇସା ମଧ୍ୟ ବୃଦ୍ଧି କରିନାହାନ୍ତି ଏବଂ ଦରମା ପ୍ରଦାନ ବେଳେ ମଧ୍ୟ ମାସର ପ୍ରଥମ ସପ୍ତାହକୁ ଛାଡି ଶେଷ ସପ୍ତାହରେ ପ୍ରଦାନ କରୁଛନ୍ତି । ଫଳରେ ମିଳୁଥିବା ସ୍ୱଳ୍ପ ଦରମାରେ ଆଜିର ଦରଦାମ ବୃଦ୍ଧିରେ ଜଣେ ଠିକା କର୍ମଚାରୀ ନିଜ ତଥା ନିଜ ପରିବାର ଭରଣ ପୋଷଣ କରିବା ସମ୍ଭବପର ହୋଇପାରୁ ନାହିଁ ତେଣୁ ଆଜିର ବୈଠକରେ ମହାସଂଘର ନିଷ୍ପତି କ୍ରମେ ଆଗାମୀ ଦିନରେ ଟାଟା ପାୱାର କର୍ତୁପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରି ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ନିବେଦନ କରିବୁ ଏବଂ ଦାବି ପୂରଣ ଦିଗରେ ବିଳମ୍ବ ହେଲେ ଟିପିଏସଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାରେ ପଛାଇବୁ ନାହିଁ ବୋଲି ମହାସଂଘର ସାଧାରଣ ସଂପାଦକ ଶ୍ରୀ ପରିଡା ପ୍ରକାଶ କରିଛନ୍ତି । ସେହିପରି ସମ୍ମାନୀତ ଅତିଥି ଶ୍ରୀ ଦାସ ଏବଂ ଶ୍ରୀ ନାୟକ ସଂଘର ଏକତା ବଜାୟ ରହିଲେ ସମସ୍ତ ସମସ୍ୟାର ସମାଧାନ ଦିଗରେ ନିଶ୍ଚିତ ସୁଫଳ ମିଳିବ ବୋଲି ନିଜ ବକ୍ତବ୍ୟରେ କହିଥିବା ବେଳେ ଠିକା କର୍ମଚାରୀମାନେ ନିଜ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ସରକାରଙ୍କ ଦୃଷ୍ଟି ଆର୍କଷଣ କଲେ ନିଶ୍ଚିତ ଭାବେ ସରକାର କିଛି ନା କିଛି ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ରାୟଗଡା ଜିଲ୍ଳା ଶାଖା ସଭାପତି ଶ୍ରୀ ରାଓ କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପର୍ଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିର କଲେକ୍ସନ ଓ ବିଲିଂ ସୁପରଭାଇଜର,ଥ୍ରୀ ଫେଜ୍ ଏବଂ ସିଙ୍ଗଲ ଫେଜ୍ ମିଟର ରିର୍ଡର, ବିଲ୍ କଲେକ୍ଟର, ଏମଏମଜି ଲାଇନ ମ୍ୟାନ, ଲ୍ୟାଡର ମ୍ୟାନ, ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ରାୟଗଡା ଜିଲ୍ଳା ଶାଖାର କାର୍ଯ୍ୟକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।