ଶାରୀରିକ ଶିକ୍ଷା ନିରୀକ୍ଷକ ଦାୟିତ୍ୱ ହସ୍ତାନ୍ତର କେବେ

ଡିଇଓଙ୍କ ନୋଟିସକୁ ଖାତିର କରୁନାହାନ୍ତି ତତ୍କାଳୀନ ଆଇପିଇ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗତ ଏପ୍ରିଲ ମାସ ୪ତାରିଖରେ ଶାରିରୀକ ଶିକ୍ଷା ନିରୀକ୍ଷକ (ଆଇପିଇ)ଦାୟିତ୍ୱ ହସ୍ତାନ୍ତର ପାଇଁ ବଦଳି ହୋଇଥିବା ତତ୍କାଳୀନ ଶାରିରୀକ ଶିକ୍ଷା ନିରୀକ୍ଷକ ଶତ୍ରୁଘ୍ନ ମଲ୍ଳିକଙ୍କୁ ଜିଲ୍ଳା ଶିକ୍ଷାଧିକାରୀ (ଡିଇଓ) ପୂର୍ଣ୍ଣଚନ୍ଦ୍ର ବରିହା ନୋଟିସ ଜାରି କରିଥିବା ବେଳେ ଉକ୍ତ ନୋଟିସକୁ ଶ୍ରୀ ମଲ୍ଳିକ ଖାତିର କରୁ ନ ଥିବାରୁ ବିଭାଗ ପକ୍ଷରୁ ଦୁଇ ଦୁଇ ଥର ପୁନଃ ନୋଟିସ କରାଯାଇଥିଲା । ତଥାପି ଡିଇଓଙ୍କ ନୋଟିସକୁ ଶ୍ରୀ ମଲ୍ଳିକ ବେଖାତିର କରୁଥିବାରୁ ସଂପୂର୍ଣ୍ଣ ଦାୟିତ୍ୱ ନ ପାଇ ନୂତନ ଭାବେ ଭାରପ୍ରାପ୍ତ ଦାୟିତ୍ୱ ଗ୍ରହଣ କରିଥିବା କ୍ରୀଡା ଶିକ୍ଷକ ତଥା ଆଇପିଇ ହରିହର ପାତ୍ର ନିଜ ଦାୟିତ୍ୱ ତୁଲାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ରାୟଗଡା ଜିଲ୍ଳା ଶାରିରୀକ ଶିକ୍ଷା ନିରୀକ୍ଷକ ଶ୍ରୀ ମଲ୍ଳିକଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦ୍ୱାରା ତାଙ୍କୁ ତାଙ୍କର ପେରେଂଟ୍ସ ସ୍କୁଲ ବିଷମକଟକ ବ୍ଳକ ନିରୁଗୁଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ବିଭାଗୀୟ ଚିଠି ସଂଖ୍ୟା ୨୪୯୬/୨୮/୩/୨୩ରେ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ଉକ୍ତ ପଦବୀରେ ଗୁଣପୁର ବାଗଶାଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ହରିହର ପାତ୍ରଙ୍କୁ ଭାରପ୍ରାପ୍ତ ଶାରିରୀକ ଶିକ୍ଷା ନିରୀକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେବେ ତତ୍କାଳୀନ ଶାରିରୀକ ଶିକ୍ଷା ନିରୀକ୍ଷକ ଶ୍ରୀ ମଲ୍ଳିକ ଦାୟିତ୍ୱ ହସ୍ତାନ୍ତର ନ କରିବା ସହ କାର୍ଯ୍ୟାଳୟର ଆଲମାରୀରେ ତାଲା ପକାଇ ରଖିଥିବାରୁ ବିଦ୍ୟାଳୟର କ୍ରୀଡା ସମ୍ବନ୍ଧୀୟ ଫାଇଲ, ରେକର୍ଡ, ବ୍ୟାଙ୍କ ପାସବୁକ୍‌, ଚେକ୍ ବୁକ୍ ଆଦି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନ ପାଇ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନୂତନ ଆଇପିଇ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଏପରିକି ଗତ ଏପ୍ରିଲ ମାସ ଠାରୁ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମଗୁଡିକକୁ ପରିଚାଳନା କରିବା ପାଇଁ ବିଭାଗୀୟ ଅନୁଦାନ ଖର୍ଚ୍ଚ କରିପାରୁ ନ ଥିବା ଯୋଗୁଁ ପରିଚାଳନା ନୂତନ ରେକର୍ଡ ପ୍ରସ୍ତୁତ କରିବାକୁ ପଡୁଛି ବୋଲି କହିଛନ୍ତି । ରାୟଗଡା ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ପ୍ରକାରେ ବିଷମକଟକ ବ୍ଳକ ନିରୁଗୁଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶତ୍ରୁଘ୍ନ ମଲ୍ଳିକଙ୍କୁ ଗତ ୨୦୨୦ମସିହାରେ ଡେପୁଟେସନ୍ କରାଯାଇ ଜିଲ୍ଳା ଶାରିରୀକ ଶିକ୍ଷା ନିରୀକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶ୍ରୀ ମଲ୍ଳିକ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର କ୍ରୁର ବ୍ୟବହାର ପାଇଁ ଜିଲ୍ଳାରେ କାର୍ଯ୍ୟରତ କ୍ରୀଡା ଶିକ୍ଷକମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ତାଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ହୋଇ ଆସିଥିଲା । ଏପରିକି ବିଷମକଟକ ବ୍ଳକ ବେଥିଆପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ରଶ୍ମିତା ପାତ୍ରଙ୍କ ସହ ତାଙ୍କର ବିବାଦ ଥାନା ପର୍ଯ୍ୟନ୍ତ ପଂହଚିଥିଲା । ଯାହାକୁ ନେଇ ଉଭୟଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । କ୍ରୀଡା ଶିକ୍ଷୟତ୍ରୀ ରଶ୍ମିତା ପାତ୍ରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଇପିଇ ପଦବୀ ପାଇଁ ଶ୍ରୀ ମଲ୍ଳିକ ଯୋଗ୍ୟ ନୁହନ୍ତି ବୋଲି ବିଭାଗୀୟ ତଦନ୍ତ ରିପୋର୍ଟରେ ଉଲ୍ଳେଖ କରାଯାଇ ଗତ ମାର୍ଚ୍ଚ ୨୮ତାରିଖରେ ତାଙ୍କୁ ଆଇପିଈ ପଦବୀରୁ ହଟାଇ ଦିଆଯାଇଥିଲା ଏବଂ ଚିଠି ସଂଖ୍ୟା ୨୬୩୫/୪/୪/୨୩ରେ ହରିହର ପାତ୍ରଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଗ୍ରହଣ ପାଇଁ ବିଞପ୍ତି ପ୍ରକାଶ ପାଇଥିଲା । ତେବେ ଏପ୍ରିଲ ଠାରୁ ଅଗଷ୍ଟ ମାସ ଶେଷ ହେବାକୁ ଥିବା ବେଳେ ଏଯାଏଁ ତତ୍କାଳୀନ ଆଇପିଇ ଶ୍ରୀ ମଲ୍ଳିକ ସଂପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରୁ ନ ଥିବାରୁ ଚଳିତ ଅଗଷ୍ଟ ମାସ ୪ତାରିଖରେ ପୁଣି ଥରେ ବିଭାଗୀୟ ଚିଠି ସଂଖ୍ୟା ୫୬୨୯/୪/୮/୨୩ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ତିନିଦିନ ମଧ୍ୟରେ ଉତର ରଖିବାକୁ ଆଦେଶ ଦିଆଯାଇଥିଲେ ମଧ୍ୟ ଶ୍ରୀ ମଲ୍ଳିକ ଆଦେଶକୁ ବେଖାତିର କରୁଥିବା ନୂତନ ଆଇପିଇ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.