ହାତ ଉଧାରୀ ନାଁରେ ଲୁଟୁଛନ୍ତି ଆନ୍ଧ୍ରର କିଛି ବ୍ୟବସାୟୀ ଓ ଗୋଷ୍ଠି
ଜୀବିକା ହରେଇବାକୁ ବସିଲେଣି କ୍ଷୁଦ୍ର ବ୍ୟବସାୟୀ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ନଗର ସ୍ଥିତ ହୋଟେଲ ଅଶୋକ ସମ୍ମିଳନୀ କକ୍ଷରେ ଭାରତୀୟ ଜନତା ପାର୍ଟି ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା | ଏଥିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ରାୟଗଡା ବିଧାୟକ ଆଶାୟୀ ପ୍ରାର୍ଥୀ ବସନ୍ତ କୁମାର ଉଲ୍ଲାକା ଏବଂ ଜ଼ିଲ୍ଲା ସମ୍ପାଦକ ଆଇନଜୀବୀ ପଦ୍ମନାଭ ଦାଶ ଯୋଗ ଦେଇଥିଲେ | ରାୟଗଡାରେ ଏବେ କ୍ଷୁଦ୍ର ବ୍ୟବସାୟୀଙ୍କ ସମେତ ଗରିବ, ନିମ୍ନ ଓ ମଧ୍ୟବିତ୍ତ ପରିବାର ହାତ ଉଧାରୀ ନେଇ ଋଣ ପ୍ରଦାନ କରି ଗୋଷ୍ଠିଙ୍କ ଦ୍ୱାରା ଶୋଷିତ ହୋଇ ନିଜର ଜୀବିକା ହରେଇବା ସହ ଘର ସମ୍ପତି ହରେଇବାକୁ ପଡୁଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି | ଋଣ ପ୍ରଦାନ ତଥା ଡେଲି ରୋଜଗାରୀ ବ୍ୟବସ୍ଥା ରେ ଆବଶ୍ୟକ ଅର୍ଥ ଦେଇ ୧୦ ପ୍ରତିଶତ ସୁଧ ହାରରେ ଜନତାଙ୍କୁ ଲୁଟୁଛନ୍ତି | ନିକଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟରେ ଏପରି ହାତ ଉଧାରୀ ଭଳି କଳା ବଜାରୀ ଉପରେ ଅଙ୍କୁଶ ଲଗାଇବା ସହ ଏଥିରେ ସମ୍ପୃକ୍ତ ଥିବା ଯେ କେହି ଧରା ପଡିଲେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ଆନ୍ଧ୍ର ସୀମାନ୍ତ ରାୟଗଡା ଉପରେ କିଛି ଗୋଷ୍ଠୀ ନଜର ପକାଇ ରାୟଗଡା ଠାରେ ହାତ ଉଧାରୀ ଦେବା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି | ଭାରତର ପ୍ରାୟ ସମସ୍ତ ରାଜ୍ୟକୁ ଗମନାଗମନ ସୁବିଧା ରାୟଗଡାରୁ ରହିଥିବା ଯୋଗୁଁ ଜ଼ିଲ୍ଲାରେ ଅନେକ ରାଜ୍ୟରୁ ବ୍ୟବସାୟୀ ଏଠାକୁ ଆସି ବ୍ୟବସାୟ କରୁଛନ୍ତି | ସେହି ପ୍ରକାରରେ ଏଠାକାର ସ୍ଥାୟୀ ବ୍ୟବସାୟୀ ମଧ୍ୟ ରହିଛନ୍ତି | ରାୟଗଡା ବଜାରରେ ଉଭୟ ବୃହତ ଏବଂ କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି | ବ୍ୟବସାୟ କରିବା ପାଇଁ ଅର୍ଥର ନିତ୍ୟାନ୍ତ ଆବଶ୍ୟକତା ରହିଥିବା ବେଳେ ବ୍ୟାଙ୍କକୁ ଋଣ ମାଗିବା ପାଇଁ ଗଲେ କିଛି ସୁଫଳ ମିଳୁନାହିଁ | ଏଭଳି ସ୍ଥିତିରେ ପଡୋଶୀ ରାଜ୍ୟରୁ ଆସିଥିବା କିଛି ଗୋଷ୍ଠୀ ଏପରି ଖୁଦ୍ର ବ୍ୟବସାୟୀଙ୍କୁ ଚିହ୍ନଟ କରି ସେମାନଙ୍କୁ ହାତ ଉଧାରୀ ଦେଉଛନ୍ତି | ହାତ ଉଧାରୀ ବଦଳରେ ୧୦ ଶତକଡା ସୁଦ୍ଧରୁ ଅଧିକା ମାସିକା ହିସାବରେ ନେବା ସହ ଋଣ ନେଇଥିବା ବ୍ୟକ୍ତିର କୌଣସି ଜମି ତଥା ଘର ବନ୍ଧା ହିସାବରେ ରଖୁଛନ୍ତି ତାହାବି ବିକ୍ରି ହେଲା ଭଳିଆ ଚୁକ୍ତିନାମା କରି ଏବଂ ଜବରଦସ୍ତି ବ୍ଲାଙ୍କ ଚେକ୍ ବି ରଖୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ଦାସ | ଯଦି କୌଣସି ଋଣ ନେଇଥିବା ବ୍ୟକ୍ତି ସୁଦ୍ଧ କିମ୍ବା ମୂଳ ଫେରେଇବାରେ ବିଳମ୍ବ କରୁଛି ତାହାଲେ କିଛି ଅସାମାଜିକ ଯୁବକ ମାନଙ୍କୁ ନେଇ ଧମକ ଦେବା ସହ ମାରପିଟ ମଧ୍ୟ କରି ରାୟଗଡ ଭଳି ଶାନ୍ତି ପ୍ରିୟ ଜାଗାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି. ଏପରି ଅନେକ ଘଟଣା ସାମନାକୁ ଆସିଥିବା ବେଳେ କ୍ଷୁଦ୍ର ବ୍ୟବସାୟୀ ନିଜର ସମ୍ପତି ମଧ୍ୟ ହରାଉଛନ୍ତି | ଜ଼ିଲ୍ଲା ରେ ଏପରି କୋଟି କୋଟି ଟଙ୍କାର ବେଆଇନ କାରବାର ହେଉଥିବା ବେଳେ ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଦୁର୍ନୀତି ନିବାରଣ ବିଭାଗ ଦୃଷ୍ଟି ଦେବା ପାଇଁ ଗଣ ମାଧ୍ୟମ ଜରିଆରେ ଶ୍ରୀ ଦାସ ଅନୁରୋଧ କରିଛନ୍ତି | ଆନ୍ଧ୍ର ପ୍ରଦେଶରେ ହାତ ଉଧାରୀ ଦେଇ ଋଣ ନେବା ବ୍ୟବସାୟ ବନ୍ଦ ହୋଇଥିବା ଯୋଗୁଁ ଏବେ ସବୁ ବେପାରୀ ଓଡିଶା ମୁହାଁ ମୁଖ୍ୟତଃ ରାୟଗଡା ଜ଼ିଲ୍ଲାରେ ଏମାନଙ୍କ ଦୋୖରା଼ତ୍ମକ ବଢ଼ିବାରେ ଲାଗିଛି | ଏଥିପାଇଁ ଭାଜପା ତରଫରୁ ମୁଁ ଆହ୍ୱାନ ଦେଉଛି ଆଗକୁ ଯଦି କେହି ଆପଣ ମାନଙ୍କୁ ପଇସା କିମ୍ବା ସୁଦ୍ଧ ମାଗନ୍ତି ତାହାଲେ ସିଧାସଳଖ ଆମ ସହ ଯୋଗାଯୋଗ କରନ୍ତୁ ଓ ଆପଣ ମାନଙ୍କୁ ଧରି ଆମେ ଆଇନର ସାଥ ନେଇ ଏ ଚକ୍ରାନ୍ତ ବନ୍ଦ କରେଇବୁ | ଯାହା ଲୁଟିବାର ଥିଲା ତାହା ଲୁଟିଦେଲେ କିନ୍ତୁ ଏବେ ଆମ ରାୟଗଡା ବାସି ଆଉ ଯେପରି ନ ଲୁଟନ୍ତୁ ତାହା ଭାଜପା ର ଦାୟିତ୍ୱ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ଉଲାକା ପ୍ରକାଶ କରିଛନ୍ତି |