୯ଟି ଦାବି ନେଇ ରାୟଗଡା ବ୍ଳକ କାର୍ଯ୍ୟାଳୟ ଘେରାଉ କଲା ବ୍ଳକ କଂଗ୍ରେସ କମିଟି

ବ୍ଳକ କାର୍ଯ୍ୟାଳୟରେ ପିସି କାରବାର ବନ୍ଦ କର

ପ୍ରତି ବ୍ଳକରେ ଚାଷୀଙ୍କ ନିମନ୍ତେ ଶୀତଳଭଣ୍ଡାର ଖୋଲିବା ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ରାଜ୍ୟର ବିଭିନ୍ନ ବ୍ଳକ ଅଫିସମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା, ଚାଷୀମାରଣା ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ଆଜି ବ୍ଳକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କ୍ରମରେ ରାୟଗଡା ଜିଲ୍ଳା କଂଗ୍ରେସ କମିଟି ସଭାପତି ବିଜୟ ଗମାଙ୍ଗଙ୍କ ଆଦେଶ କ୍ରମେ ରାୟଗଡା ବ୍ଳକ କଂଗ୍ରେସ କମିଟି ସଭାପତି ଗାଡିଗା ବାଚେଲିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଆଜି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାୟଗଡା ବ୍ଳକ ବିଡିଓ ଲକ୍ଷ୍ମୀ ନାରାୟଣ ସାବତଙ୍କୁ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ଶାସନ ବିରୁଦ୍ଧରେ ନାରାବାଜି କରିଥିଲେ । ବ୍ଳକସ୍ତରରେ ଚାଲିଥିବା ୧୫ରୁ ୫୦ପ୍ରତିଶତ ପିସି କାରବାର ବନ୍ଦ କରିବା,ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଂଚାୟତକୁ ଦେଉଥିବା ୫୦ଲକ୍ଷ ଟଙ୍କା ସିଧାସଳଖ ପଂଚାୟତକୁ ଦିଆଯାଉ ଏବଂ ଗ୍ରାମସଭାର କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବା ତାହା ନିଷ୍ପତି ମୁତାବକ ପାରିତ ହେଲା ପରେ ପଂଚାୟତରେ ଅର୍ଥ ଖର୍ଚ୍ଚ କରାଯିବା, ଖାଲି ପଡିଥିବା ୨,୨୬,୫୫୯ଟି ସରକାରୀ ପଦବୀକୁ ତୁରନ୍ତ ପୂରଣ କରିବା, ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟ ନିଯୁକ୍ତି ଦେବା, ପେଟ୍ରୋଲ, ଡିଜେଲ, ଗ୍ୟାସ, କିରୋସିନି ଭଳି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଲୁଣ ଠାରୁ ତେଲ ପର୍ଯ୍ୟନ୍ତ ଦରଦାମ ବୃଦ୍ଧି ବନ୍ଦ କରିବା, କୃଷିଜାତ ପଦାର୍ଥର ଅଭାବି ବିକ୍ରୀ ବନ୍ଦ କରିବା,ପ୍ରତି ବ୍ଳକରେ ଶୀତଳ ଭଣ୍ଡାର ନିର୍ମାଣ କରିବା,ଲୋ ଭୋଲଟେଜ୍‌, ପାୱାରକଟ, ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କରିବା, ଟାଟା କମ୍ପାନୀର ଖାଉଟି ମାରଣ ବିଜୁଳି ନୀତି ବନ୍ଦ୍ କରିବା, ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରିବା ବନ୍ଦ କରିବା, ନାରୀ ନିର୍ଯ୍ୟାତନା ବନ୍ଦ କରିବା ସହ ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ସଶକ୍ତ କରିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ବେଳେ କୈାଣସି ପ୍ରକାର ପ୍ରିୟାପ୍ରୀତି ପୋଷଣ ନ କରି ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଭଳି ୯ଟି ଦାବି ଉଲ୍ଳେଖ କରାଯାଇଛି । ବ୍ଳକ କଂଗ୍ରେସର ଏହି ବିକ୍ଷୋଭ ପ୍ରଦର୍ଶନ ତଥା ଘେରାଉ କାର୍ଯ୍ୟକ୍ରମରେ ପିସିସି ସଂପାଦକ ସୀମାଂଚଳ ଉଲାକା, ମହିଳା କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ ରତ୍ନମଣି ଉଲାକା, ରାୟଗଡା ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ଯୁବ ନେତା ଆପଲାସ୍ୱାମୀ କାଡ୍ରକା, ଜିଲ୍ଳା ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା, ଜିଲ୍ଳା ସଂପାଦକ ଶଙ୍କର୍ଷଣ ମଙ୍ଗରାଜ, ଜିଲ୍ଳା ଯୁବ କଂଗ୍ରେସ ଉପ ସଭାପତି ଆସଲାମ ଖାନ, ଏନଏସୟୁଆଇ ଅଙ୍କିତ, ହରିଷ ପଟ୍ଟନାୟକଙ୍କ ସମେତ ମହିଳା କଂଗ୍ରେସର ଗେଲୋ ସୁନା ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.