ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ନମ୍ବର ଜାତୀୟ ରାଜପଥର କୋକସରା ଥାନା ଚିଲିଗୁଡା ଓ ବିଜୁ ଏକ୍ସପ୍ରେସୱେର ଆମପାଣି ଥାନା ସାନପୋଡାଗୁଡା କଲୋନିପଡାଠାରେ ବୁଧବାର ଦୁର୍ଘଟଣା ଘଟିଥିବା ଜଣାପଡିଛି। ଉଭୟ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଚିଲିଗୁଡା ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଥିବାବେଳେ ତାଙ୍କୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ମାରିଥିବା ସୂଚନା ମିଳିଛି। ଗୁରୁତର ଜଣକ ଆମପାଣିର ବୁଲୁ ପଣ୍ଡା(୪୭) ବୋଲି ଜଣାପଡ଼ିଛି। କୋକସରା ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ତାଙ୍କୁ ଗୁରତର ଅବସ୍ତାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି। ସେହିପରି ଆମପାଣି ଠାରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସୱେର ସାନପୋଡ଼ାଗୁଡା କଲୋନୀପଡା ନିକଟରେ ମଧ୍ୟ ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିବା ଜଣାପଡିଛି। ସେଠାରେ ୨ଜଣ ଗୁରୁତର ହୋଇଥିବା ବେଳେ ସେମାନେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।