ସମଗ୍ର ଦେଶରେ ବେଶ୍ ଧୁମଧାମରେ ପାଳିତ ହେଉଛି ଜନ୍ମାଷ୍ଟମୀ । ଏହାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ମଠ ଓ ମନ୍ଦିର। ସବୁ ବର୍ଷ ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ସାଜିଥାଏ ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର ହୋଇ ଉଠିଥାଏ। ପ୍ରଭୁ କୃଷ୍ଣଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଭରି ରହିଥାଏ। ବିଶେଷକରି ହିନ୍ଦୁମାନେ ନିଜ ଘରେ ବାଲଗୋପାଳଙ୍କୁ ନୂଆ ବସ୍ତ୍ର ପରିଧାନ କରାଇ, କ୍ଷୀର, ମହୁ ଏବଂ ଜଳରେ ଅଭିଷେକ କରାଇଥାନ୍ତି। କେତେକ ଜାଗାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପଟୁଆର ବାହାରିଥାଏ। ଏହି ଉତ୍ସବକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ଜନ୍ମାଷ୍ଟମୀ ପରଦିନ ଅର୍ଥାତ୍ ନନ୍ଦୋତ୍ସବ ଦିନ ପାଳନ କରାଯାଏ ଏହି ଦହିହାଣ୍ଡି ଭଙ୍ଗା ଉତ୍ସବ ।
ପିଲାବେଳେ ଶ୍ରୀକୃଷ୍ଣ ଭାରି ଚଗଲା ଥିଲେ। ଦୁଷ୍ଟାମୀ ପାଇଁ ପୂରା ଗାଁରେ ସେ ଚର୍ଚ୍ଚିତ ଥିଲେ। ଶ୍ରୀକୃଷ୍ଣଙ୍କର ଲହୁଣୀ, ଦହି ଏବଂ କ୍ଷୀର ଭାରି ପସନ୍ଦ ଥିଲା। ହେଲେ ସବଠୁ ବେଶୀ ପ୍ରିୟ ଥିଲା ଲହୁଣୀ। ସେଥିପାଇଁ ସେ ପଡ଼ୋଶୀ ଘରୁ ଲହୁଣୀ ଚୋରି କରି ଖାଉଥିଲେ। ପୁଅ ନାଁରେ ଏନେଇ ଅଭିଯୋଗ ବଢ଼ିବାରୁ ମା’ ଯଶୋଦାଙ୍କୁ ଚିନ୍ତା ଘାରିଲା। ଦିନେ ପୁଅକୁ ପାନେ ଦେବା ପାଇଁ ଯଶୋଦା କୃଷ୍ଣଙ୍କୁ ଏକ ଖମ୍ବରେ ବାନ୍ଧି ଦେଲେ। ଏହି କାରଣରୁ ଶ୍ରୀକୃଷ୍ଣ ଲହୁଣୀ ଚୋର ନାମରେ ପରିଚୟ ପାଇଲେ ।
କୃଷ୍ଣଙ୍କ ନଟଖଟ ସ୍ୱଭାବ ସାରା ବୃନ୍ଦାବନବାସୀଙ୍କ ନିଦ ହଜେଇ ଦେଇଥିଲା। ତେଣୁ ଏହାର ମୁକାବିଲା ପାଇଁ ବୃନ୍ଦାବନର ମହିଳାମାନେ ଏକାଠି ହୋଇ ଉପାୟ ପାଞ୍ଚିଥିଲେ। ଯୋଜନା ଅନୁଯାୟୀ, ମହିଳାମାନେ ଏକ ଉଚ୍ଚ ସ୍ଥାନରେ ଲହୁଣୀ ହାଣ୍ଡିକୁ ବାନ୍ଧିଲେ। ଯେମିତି କୃଷ୍ଣଙ୍କ ହାତ ପାଇବ ନାହିଁ। କିନ୍ତୁ ଚତୁର କୃଷ୍ଣଙ୍କ ଲହୁଣୀ ଚୋରି କରିବା ପାଇଁ ନିଜ ବନ୍ଧୁମାନଙ୍କ ସହ ମିଶି ପିରାମିଡ଼ ଶୈଳୀରେ ଜଣକ ଉପରେ ଜଣେ ଠିଆ ହୋଇ, ହାଣ୍ଡିକୁ ଭାଙ୍ଗି ଲହୁଣି ଖାଇଥିଲେ। ଏହି ପୌରାଣିକ କାହାଣୀରୁ ହିଁ ଦହିହାଣ୍ଡି ଭଙ୍ଗା ଉତ୍ସବ ପାଳନ କରାଯାଇଥାଏ। ଯାହା ଏକ ପରମ୍ପରାରେ ପରିଣତ ହୋଇଛି। ଜନ୍ମାଷ୍ଟମୀ ଆସିଲେ ବିଭିନ୍ନ ସ୍ଥାନରେ ଦହିହାଣ୍ଡି ଉତ୍ସବର ଆୟୋଜନ କରାଯାଇଥାଏ।
ଗୁଜରାଟ ଓ ମହାରାଷ୍ଟ୍ରରେ ଜନ୍ମାଷ୍ଟମୀ ଅବସରରେ ଦହିହାଣ୍ଡି ଭଙ୍ଗା ଉତ୍ସବର ଆୟୋଜନ କରାଯାଇଥାଏ । ବିଶେଷ କରି ପୁରୁଷମାନେ କାନ୍ଧକୁ କାନ୍ଧ ଛନ୍ଦି ପିରାମିଡ଼ ଶୈଳୀରେ ଏକାଠି ହୋଇଥାନ୍ତି । ପରେ ଉପରେ ଝୁଲୁଥିବା ଦହିହାଣ୍ଡିକୁ ଶୀର୍ଷରେ ଥିବା ବ୍ୟକ୍ତି ଜଣକ ଭାଙ୍ଗିଥାନ୍ତି । ନାଚ, ଗୀତ ଭଜନ କୀର୍ତ୍ତନରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇ ଉଠିଥାଏ । ଏହି ଉତ୍ସବକୁ ଦର୍ଶକମାନେ ଅତି ଉତ୍ସାହର ସହ ଉପଭୋଗ କରିଥାନ୍ତି।