ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଆଗକୁ ସାଧାରଣ ନିର୍ବାଚନ ନିକଟତର ହେଉଥିବା ବେଳେ ବିଧାନସଭା ଓ ଲୋକସଭା ପାର୍ଥୀ କିଏ ହେବ, ସେନେଇ ବିଭିନ୍ନ ରାଜନୈତିକ ଦଳ ପାଗ ଭିଡ଼ିବା ଆରମ୍ଭ କରିଥିବା ଦେଖିବାକୁ ମିଳୁଛି। ଚଳିତ ନିର୍ବାଚନରେ ଆସିକା ସଂସଦୀୟ କ୍ଷେତ୍ରରେ ସାଂସଦ ପାର୍ଥୀ କେଉଁ ଦଳ କାହାକୁ କରିବ, ସେନେଇ ଅଙ୍କାକଷା ଆରମ୍ଭ ହୋଇଗଲାଣି। ମୁଖ୍ୟତଃ କ୍ଷମତାସୀନ ଦଳ ତରଫରୁ କାହାକୁ ପାର୍ଥୀ କରାଯିବ, ସେ ନେଇ ସମସ୍ତଙ୍କ ଉତ୍କଣ୍ଠା ଆରମ୍ଭ ହେଲାଣି। ତେବେ ସ୍ୱାଧୀନତା ପ୍ରାପ୍ତିର ୭୬ ବର୍ଷ ବିତି ଯାଇଥିବା ବେଳେ ଖଲ୍ଲିକୋଟକୁ କୌଣସି କେନ୍ଦ୍ରୀୟ ଯୋଜନା ଆସିପାରିନି। ଯାହାଫଳରେ ଆସିକା ସଂସଦୀୟ କ୍ଷେତ୍ରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଗତ ୧୯୭୪ ମସିହାରେ ଆସିକା ସଂସଦୀୟ କ୍ଷେତ୍ର ଗଠନ ହୋଇଥିବା ବେଳେ ୧୯୭୭ ମସିହାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାମଚନ୍ଦ୍ର ରଥ, ଦ୍ବିତୀକୃଷ୍ଣ ପଣ୍ଡା, ନିତ୍ୟାନନ୍ଦ ପ୍ରଧାନ, ଅନନ୍ତ ନାରାୟଣ ସିଂଦେଓ, ହରିହର ସ୍ୱାଇଁ, ଲଡ଼ୁକିଶୋର ସ୍ୱାଇଁ, କୁମୁଦିନୀ ପଟ୍ଟନାୟକ ଓ ବର୍ତ୍ତମାନ ପ୍ରମିଳା ବିଷୋୟୀ ପର୍ଯ୍ୟନ୍ତ ବହୁ ସାଂସଦ ନିର୍ବାଚିତ ହୋଇଯାଇଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିବାର ନଜୀର ରହିଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏବେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ଓ ଜଳସେଚନ ବ୍ୟବସ୍ଥା ସୁଧୁରି ପାରୁନି। ବାରମ୍ବାର ପାଣିପାଗର ପରିବର୍ତ୍ତନ ଘଟି ଚାଷ କାର୍ଯ୍ୟ ସୁନିଶ୍ଚିତ ହୋଇପାରୁନି। ଯାହା ଫଳରେ କୃଷିଶ୍ରମିକମାନେ ଜୀବିକା ନିର୍ବାହ ପାଇଁ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ବାଧ୍ୟ ହୁଅନ୍ତି। ଏହାକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ କେହି ହେଲେ ଉଦ୍ୟମ କରୁ ନାହାନ୍ତି। ଆସିକା ସଂସଦୀୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମସ୍ୟା କଥା ନ କହିଲେ ଭଲ। ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ମରୁଡି। ବାଧ୍ୟ ହୋଇ ରୋଗୀମାନେ ଗ୍ରାମାଞ୍ଚଳରେ ଗଢି ଉଠିଥିବା ବେଆଇନ କ୍ଲିନିକ ଉପରେ ନିର୍ଭର କରି ମୃତ୍ୟୁମୁଖରେ ପଡୁଛନ୍ତି। ତେଣୁ କେନ୍ଦ୍ର ସରକାର ଏହି କ୍ଷେତ୍ରରେ ଏକ ଏମ୍ସ କିମ୍ବା ଦ୍ଵିତୀୟ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା ପଡ଼ିଲାଣି। ସେହିପରି ଆସିକା ସଂସଦୀୟ କ୍ଷେତ୍ରର ଏକମାତ୍ର ରେଳଷ୍ଟେସନ ଭିତ୍ତିଭୂମି ଅଭାବରୁ ଅବହେଳାର ଶିକାର ହୋଇଛି। ଉକ୍ତ ରେଳଷ୍ଟେସନଟି ଅମୃତ ଭାରତ ଓ ଗତିଶକ୍ତି ଯୋଜନାରୁ ବଞ୍ଚିତ ହୋଇଛି। ଗତ କିଛିଦିନ ତଳେ ଆସିକା ସାଂସଦ ପ୍ରମିଳା ବିଶୋଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଖଲ୍ଲିକୋଟ ରେଳ ଷ୍ଟେସନଠାରେ ସାତଗୋଟି ଦ୍ରୁତଗାମୀ ରହଣି ପାଇଁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏଯାବତ ଗୋଟିଏ ମଧ୍ୟ ଦ୍ରୁତଗାମୀ ଟ୍ରେନ ରହି ପାରିଲାନି। ଏଣେ ୧୬ ନମ୍ବର ଜାତୀୟ ରାଜପଥଠାରୁ ଆସିକାକୁ ସଂଯୋଗ କରୁଥିବା ୩୦ ନମ୍ବର ରାଜ୍ୟ ରାଜପଥ, ଯାହାକି ସାତଗୋଟି ନିର୍ବାଚନ ମଣ୍ଡଳୀର ଜୀବନରେଖା ହୋଇଥିବା ବେଳେ ଏଯାବତ ମାତ୍ର ୫୫ କି.ମି. ରାସ୍ତା ଜାତୀୟ ରାଜପଥ ହୋଇ ପାରିଲାନି। ସେହିପରି ଆସିକା ଏକ ଶିଳ୍ପବିହୀନ ଅଞ୍ଚଳ ହୋଇପଡିଛି। ଆସିକା ଚିନି ଶିଳ୍ପର ଆଧୁନିକୀକରଣ ଆବଶ୍ୟକତା ଥିବା ବେଳେ ସୂତାକଳ ଅକାଳରେ ବୁଡିଗଲା। ତେଣୁ ସୁରଟ ଭଳି ଏକ ଟେକ୍ସଟାଇଲ ପାର୍କ କିମ୍ବା ତାମିଲନାଡୁର ତିରୁପୁର ଢାଞ୍ଚାରେ ଏକ ଗାରମେଣ୍ଟସ ପାର୍କ ପ୍ରତିଷ୍ଠା କରାଗଲେ ଦାଦନ ଶ୍ରମିକକୁ ରୋକିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ତେବେ ଚଳିତ ନିର୍ବାଚନରେ ସବୁ ରାଜନୈତିକ ଦଳ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ଲୋକସଭା ପାର୍ଥୀ ଚୟନ ପାଇଁ ଦାବି ଜୋର ଧରିଛି।
ପ୍ରତିକ୍ରିୟା:
ଲୋକସଭା ଗଠନଠାରୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ କେନ୍ଦ୍ରୀୟ ଅବହେଳାର ଶିକାର ହୋଇ ଆସିଛି। ସମସ୍ତ କେନ୍ଦ୍ରୀୟରୁ ଯୋଜନା ଆସିକା ସଂସଦୀୟ କ୍ଷେତ୍ର ମୁଖ୍ୟତଃ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବଞ୍ଚିତ ହୋଇ ଆସିଛି। ତେଣୁ ରାଜନୈତିକ ଦକ୍ଷତା ଥିବା ଜଣେ ଶିକ୍ଷିତ ମହିଳାଙ୍କୁ ଲୋକସଭା ନିର୍ବାଚନରେ ଖଲ୍ଲିକୋଟରୁ ପ୍ରତିନିଧିତ୍ୱ ପାଇଁ ସୁଯୋଗ ମିଳୁ।”
-ସୋନମ ପଲାଇ , ପ୍ରାକ୍ତନ ଜିଲ୍ଲା ପରିଷଦ ଅଧକ୍ଷା, ଗଞ୍ଜାମ
“ଚଳିତ ନିର୍ବାଚନରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ଖଲ୍ଲିକୋଟ ମର୍ଦରାଜ ପରିବାରର ଜଣେ ଦାୟାଦକୁ ଲୋକସଭା ପାର୍ଥୀ ଭାବେ ମୁଖ୍ୟତଃ ଚୟନ କରୁ। କାରଣ ଓଡିଶା ଏକତ୍ରିକରଣ ଠାରୁ ବିଜେଡି ଦଳ ଗଠନରେ ରାଜ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।”
-ନିରଞ୍ଜନ ନାୟକ
ଯୁବ ନେତା, ଖଲ୍ଲିକୋଟ
“ଓଡିଶାର ପ୍ରବାଦ ପୁରୁଷ ତଥା ନବ ଉତ୍କଳର ନିର୍ମାତା ସ୍ବର୍ଗତ ବିଜୁ ପଟ୍ଟନାୟକ ଖଲ୍ଲିକୋଟ ରାଜପରିବାର ସହ ଘନିଷ୍ଠ ସମ୍ପର୍କ ଥିଲା। ସେହିପରି ନବୀନ ବାବୁ ରାଣୀମା’ଙ୍କ ସହ ଆଲୋଚନା କରି ଜଣେ ଦକ୍ଷତା ଥିବା ଯୁବନେତାଙ୍କୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ଚୟନ କରନ୍ତୁ।
-ମିନାକ୍ଷୀ ସାହୁ
ପ୍ରାକ୍ତନ ବ୍ଲକ ଅଧକ୍ଷ, ଖଲ୍ଲିକୋଟ