ଚିତ୍ରକଳା ଜଗତରେ ଏକ ଯୁଗର ଅବସାନ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆଜି ଓଡିଶା ଚିତ୍ରକଳା ଜଗତ ପାଇଁ ଏକ ଦୁଃଖଦ ଦିବସ, ପଞ୍ଚମହାଭୂତରେ ଲୀନ ହେଲେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର। ସ୍ୱାଧୀନତା ପୂର୍ବ ୧୯୪୦ରେ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରନ୍ତି ଓ ହାଇସ୍କୁଲ ଶିକ୍ଷା ଗ୍ରହଣ ପରେ ସରକାରୀ କାର୍ଯ୍ୟରେ ଯୋଗଦାନ କରନ୍ତି, କିନ୍ତୁ ନିଜ ଭିତରେ ଥିବା ଚିତ୍ରକର ତାଙ୍କୁ ସରକାରୀ ଚାକିରୀରେ ବାନ୍ଧି ରଖି ପାରେ ନାହିଁ ଓ ସରକାରୀ ଚାକିରୀର ମୋହ ଭଙ୍ଗ କରି ଚିତ୍ରକଳା ଶିକ୍ଷା ଗ୍ରହଣ ପାଇଁ ଚାଲି ଯାଆନ୍ତି ସୁଦୂର ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ ଶାନ୍ତି ନିକେତନ ଓ ଶିକ୍ଷାଲାଭ ପରେ ନିଜ ମାଟିକୁ ଫେରି ଆସି ଗଙ୍ଗାଧର ମହାବିଦ୍ୟାଳୟ ସମ୍ବଲପୁରରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ଚିତ୍ରଶିଳ୍ପୀ ଭାବେ ଯୋଗଦାନ କରନ୍ତି କର୍ମମୟ ଜୀବନର କିଛି ସମୟ ଅତବାହିତ ପରେ ନିଜ ଭିତର ଚିତ୍ରଶିଳ୍ପୀ ତାଙ୍କୁ ଆନ୍ଦୋଳିତ କରେ ଓ ଗଢି ଉଠେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ “ଚିତ୍ରଭୂମି”। ଚିତ୍ରଭୂମିର ପତିଷ୍ଠାତା ଶ୍ରୀ ମିଶ୍ରଙ୍କ ଦ୍ଵାରା ଅନେକ ପ୍ରତିଭା ତାଙ୍କ ଶିଖରରେ ପହଞ୍ଚି ପାରିଛନ୍ତି।
ବିଭିନ୍ନ ସମୟ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ ଯଥା ୟୁଥ୍ ଫୋରମ୍, ଭୂମିକା ବଲାଙ୍ଗୀର, ରୋଟରି ସମ୍ବଲପୁର ଓ ଆହୁରି ଅନେକ ଯଥା ସୂଚନା ଭବନ ରେ ତାଙ୍କ ଏକକ ପ୍ରଦର୍ଶନୀ ‘ଅନ୍ଧାର ଆଲୁଅ’, ‘ମଧୁଶାଳା’ ବହୁ ଲୋକ ଆଦୃତ। ଶ୍ରୀ ମିଶ୍ର କେବଳ ଯେ ଜଣେ ଚିତ୍ରଶିଳ୍ପୀ ନଥିଲେ ସେ ତବଲା ବାଦନରେ ସ୍ନାତକୋତ୍ତର ମଧ୍ୟ ଥିଲେ। ବହୁ ବର୍ଷ ଧରି ନିଜ ଏକମାତ୍ର ପୁତ୍ର ସିଦ୍ଧାର୍ଥଙ୍କ ସହ ଭୁବନେଶ୍ୱରରେ ରହୁଥିଲେ ଓ ଏକ ଛୋଟ ଦୁର୍ଘଟଣାରେ ଆହତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ଆଜି ୮୩ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ଏକମାତ୍ର ପୁତ୍ର ସିଦ୍ଧାର୍ଥ ମୁଖଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ ଚିତ୍ରକଳା ଜଗତରେ ଏକ ଯୁଗର ଅବସାନ ଘଟିଛି।