ଗୋଦାବରୀଶ ମହାପାତ୍ର

ଧୁନିକ ଓଡ଼ିଆ ସାହିତ୍ୟର ଯେଉଁ କେତେଜଣ ଯଶସ୍ବୀ କବି,  ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ ଏଇ ଉତ୍କଳ ଭୂମିରେ ଜନ୍ମ ଲାଭ କରି ଏ ମାଟିକୁ ଧନ୍ୟ କରିଯାଇଛନ୍ତି, ସେମାନଙ୍କ ମଧ୍ୟରେ ଗୋଦାବରୀଶ ମହାପାତ୍ର ଜଣେ ସାରସ୍ବତ ବ୍ୟକ୍ତିତ୍ବ। ସାରସ୍ବତ ସାଧନା କ୍ଷେତ୍ରରେ ସୁଯୋଗ୍ୟ ବିନ୍ଧାଣି। ନିତିଦିନିଆ ଜୀବନରେ ଯେଉଁ ସାମାଜିକ ଏବଂ ଜାତୀୟ ସମସ୍ୟାର ସମ୍ମୁଖୀନ ହୋଇ ନିଜର ଚ଼ିନ୍ତନ ଓ ଅନୁଭୂତିରୁ ସୃଷ୍ଟି କରିଯାଇଥିବା କାଳଜୟୀ ଲେଖାସମୂହ ଆଜି ଓଡ଼ିଆ ବାଣୀଭଣ୍ଡାରକୁ ଋଦ୍ଧିମନ୍ତ କରିଛି, ସେହି ଅନନ୍ୟ ପ୍ରତିଭା ହେଉଛନ୍ତି ଗୋଦାବରୀଶ ମହାପାତ୍ର। ଏକାଧାରାରେ ସେ ଥିଲେ ଶିଶୁ ସାହିତ୍ୟିକ, କବି, ପ୍ରାବନ୍ଧିକ, ଔପନ୍ୟାସିକ, ସମାଲୋଚ଼କ, ସମାଜସେବକ ତଥା ବ୍ୟଙ୍ଗ ରଚ଼ନାକାର। ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର କୃତି ଥିଲା ସ୍ବତନ୍ତ୍ର ଏବଂ ଅନବଦ୍ୟ ସର୍ଚ୍ଚନା ସର୍ବବାଦୀ ସମ୍ମତ।
ଏହି ପ୍ରତିଭାଦୀପ୍ତ ସାହିତ୍ୟିକଙ୍କର ଜନ୍ମ ହୋଇଥିଲା ୧୮୯୮ ମସିହା ଅକ୍ଟୋବର ୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଗ୍ରାମରେ।ତାଙ୍କର ବାଲ୍ୟଜୀବନର ଶିକ୍ଷା ଆରମ୍ଭ ହୋଇଥିଲା ଅବଧାନଙ୍କ ଠାରୁ।ପରେ ତାଙ୍କ ଗ୍ରାମକୁ ଆସିଥିଲେ ଜଣେ ଶିକ୍ଷକ ଏବଂ ଏହି ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗୋଦାବରୀଶଙ୍କ ଜୀବନରେ ବହୁ ପରିବର୍ତ୍ତନ ଘଟିଥିଲା,ଯାହା ଏ ସମାଜରେ ଜଣେ ସଫଳ ମଣିଷ ଭାବରେ ଛିଡ଼ାହେବାର ସମସ୍ତ ଖୋରାକ ହାସଲ କରିବାରେ ସହାୟକ ହୋଇଥିଲା। ଚ଼ାଟଶାଳୀ ପାଠ ପରେ ତାଙ୍କ ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଖୋଲିବାରୁ ଗୋଦାବରୀଶ ସେହି ବିଦ୍ୟାଳୟ ରେ ପାଠ ପଢ଼ିବା ଆରମ୍ଭ କଲେ। ବାଲ୍ୟ ଜୀବନରେ ହିଁ ଫୁଟି ଉଠିଥିଲା ତାଙ୍କ ପ୍ରତିଭାର ସ୍ବର ଏବଂ ସେ ଅନେକ କବିତା ଏହି ସମୟରେ ହିଁ ଲେଖିଥିଲେ।

୧୯୧୩ ମସିହା ପରେ ବାଣପୁର ପ୍ରାଥମିକ ବିଦ୍ୟାଳୟ ମାଇନର ସ୍କୁଲରେ ପରିଣତ ହେବା ପରେ ସେଠାରେ ଗୋଦାବରୀଶ ଅଧ୍ୟୟନ କଲେ। ଏହି ବିଦ୍ୟାଳୟରେ ଗଠିତ ପାଠାଗାର ବାଳକ ଗୋଦାବରୀଶଙ୍କ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେଲା,ଯଦ୍ବାରା ସେ ଅନେକ କବିତା ଲେଖିବା ପାଇଁ ମନ ବଳାଇଲେ। ଷଷ୍ଠ ଶ୍ରେଣୀ ର ଛାତ୍ର ଭାବରେ ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ ତାଙ୍କ ଜୀବନର ପ୍ରଥମ କାବ୍ୟ ‘ବାଣପୁର’ ଲେଖି।ଏହି କବିତା ଏତେ ଭାବଗର୍ଭକ ଏବଂ ଚ଼ିତ୍ତ ଆର୍କଷକ ଥିଲା ଯେ ତତ୍କାଳୀନ ‘ମୁକୁର’ ପତ୍ରିକାର ସଂପାଦକ ବ୍ରଜସୁନ୍ଦର ଦାସ ଏହି କବିତାଟିକୁ ‘ମୁକର’ ରେ ସ୍ଥାନିତ କରିବା ସହ ‘ମୁକୁର ପ୍ରେସ’ରେ ପୁସ୍ତକ ଆକାର ରେ ଛପାଇଥିଲେ। ଏହି କବିତାର କିଛି ପଂକ୍ତି-

“ନିଃସର୍ଗ ମାଧୁରୀ ଲଳିତ ପ୍ରକୃତି
ସୃଷ୍ଟି ଆଦି ଦିନୁ ବିଶ୍ବେ ଯା’ର ସ୍ଥିତି।
ଆହା ବାଣପୁର ମୋ’ ପ୍ରିୟ ଜନନୀ
ତୋ’ ରୂପ ଛଟା କି ବର୍ଣ୍ଣିବ ପୁଣି
ଯହିଁ ଚ଼ାହେଁ ଶତ ଶୋଭାର ଭଣ୍ଡାର
ବିଲ,ବଣ,ପଦା,ଶଇଳ,କେଦାର
ଗୋଟିଏ ଗୋଟିକି ବଳି ଶୋଭାବନ
କାନନୁ ଭୂଧର ଭୂଧରୁ କାନନ।”

କଥାରେ ଅଛି, ପ୍ରତି କାବ୍ୟର ସୃଷ୍ଟି ମୂଳରେ ଏକ ଅଚ଼ିନ୍ତ୍ୟ ଶକ୍ତି ନିହିତ ଥାଏ ଏବଂ ଏହି ଶକ୍ତିର ଅଧିକାରୀ ହେଉଛି କବି।କବିର ଅନ୍ୟନାମ ସ୍ରଷ୍ଟା। ଏହି ସ୍ରଷ୍ଟା ଗୋଦାବରୀଶ ମହାପାତ୍ର,ଏଇ ଅଚ଼ିନ୍ତ୍ୟ ଶକ୍ତିର ପ୍ରଭାବରେ ପାଲଟିଥିଲେ ଏମିତି ଜଣେ କବି,ଯାହାଙ୍କ ସୃଷ୍ଟ ମାନସ ସନ୍ତାନ ମାନଙ୍କୁ ନେଇ ଓଡ଼ିଶା ସାହିତ୍ୟ ଭଣ୍ଡାର ଋଦ୍ଧିମନ୍ତ ଆଉ ଆମର ଓଡ଼ିଆ ସାହିତ୍ୟିକମାନେ ତାଙ୍କୁ ନେଇ ଗର୍ବ କରୁ ତାଙ୍କର ଅବର୍ତ୍ତମାନରେ ମଧ୍ୟ।ତାଙ୍କ ଜନ୍ମସ୍ଥାନରେ ସ୍ଥାପିତ ପାଠାଗାର “କୁମାର ପାଠାଗାର” ଏବେ ବି ଠିଆ ହୋଇଛି ଗର୍ବରେ ଛାତି ଫୁଲେଇ ଓଡ଼ିଶାର ଉନ୍ନତ ପାଠାଗାର ଭାବରେ।ଏହି ପାଠାଗାର ହିଁ ଥିଲା ଗୋଦାବରୀଶ ଙ୍କ ଚ଼ିନ୍ତା ଓ ଚ଼େତନାର ଅଭିବୃଦ୍ଧିର ସହାୟକ। ଗୋଦାବରୀଶ ୧୯୧୫ ମସିହାରେ ମାଇନର ପାସ୍ ପରେ ସତ୍ୟବାଦୀ ବନ ବିଦ୍ୟାଳୟରେ ନାମ ଲେଖାଇଲେ। ଏହି ବିଦ୍ୟାଳୟରେ ପଣ୍ଡିତ ନୀଳକଣ୍ଠ ଦାସ,ଗୋଦାବରୀଶ ମିଶ୍ର,ପଣ୍ଡିତ ବାସୁଦେବ ମହାପାତ୍ର ଏବଂ ଆଚ଼ାର୍ଯ୍ୟ ହରିହର ଙ୍କ ଭଳି ନାମକରା ଆଦର୍ଶ ଶିକ୍ଷକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧନ ରେ କବି ଗୋଦାବରୀଶ ମହାପାତ୍ର ଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା। ଗୋଦାବରୀଶଙ୍କ ଦ୍ୱାରା ରଚିତ ‘କଣ୍ଟା ଓ ଫୁଲ’ ଏବଂ ‘ଉଠ କଙ୍କାଳ‘ କବିତା ପୁସ୍ତକ ପାଇଁ ସେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ସମ୍ମାନିତ ହୋଇଥିଲେ। ଶିଶୁ ସାହିତ୍ୟ ‘ମୋ ଖେଳ ସାଥି’ ଓ ‘ବଙ୍କା ଓ ସିଧା’ ସଂକଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ହୋଇଥିଲେ। ଓଡ଼ିଆ ଭାଷାର ଉନ୍ନତି ପାଇଁ ଲଢ଼ୁଥିବା ପାରଳାଖେମୁଣ୍ଡି ର ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ଙ୍କ ସହ ଗୋଦାବରୀଶ ସାକ୍ଷାତ କଲେ ଏବଂ ତାଙ୍କ ପ୍ରେରଣାରେ ବ୍ରହ୍ମପୁର ରୁ ତାଙ୍କ ପ୍ରକାଶିତ “ହିତୈଷିଣୀ” ପତ୍ରିକାରେ କାମ କଲେ। ଏମିତି ପ୍ରାୟ କେତେକ ପତ୍ରିକା ରେ ସେ କାମ କରିଥିଲେ।ତେଣୁ ବହୁଦିନର ଅଭିଜ୍ଞତାକୁ ନେଇ ସାମ୍ବାଦିକ ଭାବରେ କାମ କରିବାକୁ ମନ ବଳାଇଲେ। ଦୀର୍ଘ ୨୭ ବର୍ଷ ଧରି ତାଙ୍କ ଦ୍ବାରା ସମ୍ପାଦିତ ‘ନିଆଁଖୁଣ୍ଟା’ ପତ୍ରିକା ଥିଲା ସମାଜର ଜାଗ୍ରତ ପ୍ରହରୀ ତଥା ଦୁର୍ନୀତି ଓ ଅବିଚାର ବିରୋଧରେ ସ୍ୱର।ଏଥିରେ ବ୍ୟଙ୍ଗ ଛବି, ସମାଲୋଚନା ଏବଂ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସ୍ଥାନିତ ହେଉଥିଲା। ଆଜି ପର୍ଯ୍ୟନ୍ତ ‘ନିଆଁଖୁଣ୍ଟା’ର ସ୍ଥାନ ଅନ୍ୟ କୌଣସି ପ୍ରତ୍ରିକା ନେଇପାରିନାହାନ୍ତି’’। ୧୯୩୮ ମସିହା ମାର୍ଚ୍ଚ ୧୨ ତାରିଖରେ ତାଙ୍କ ଦ୍ୱାରା ପ୍ରକାଶିତ ‘ନିଆଖୁଣ୍ଟା’ ପତ୍ରିକା ତାଙ୍କୁ ଏକ ବିଶାଳ ଜାତିୟବାଦୀ ଅନୁଷ୍ଠାନରେ ପରିଣତ କରିଦେଲା।

ଓଡ଼ିଆ ସାହିତ୍ୟରେ ହାସ୍ୟ ଏବଂ ବ୍ୟଙ୍ଗର ଏକ ସମୃଦ୍ଧ ପରମ୍ପରା ରହିଛି। କିନ୍ତୁ ସମାଜର ତୃଣମୂଳ ସ୍ତରରେ ରମ୍ୟ, ବ୍ୟଙ୍ଗ ଏବଂ ହାସ୍ୟକୁ ପହଞ୍ଚାଇବାରେ ଗୋଦାବରୀଶ ମହାପାତ୍ରଙ୍କ ସବୁଠୁ ଅଧିକ ଅବଦାନ ରହିଛି। ଗୋଦାବରୀଶ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ। ବାଲ୍ୟକାଳରୁ ସେ ସତ୍ୟବାଦୀ ବନ ବିଦ୍ୟାଳୟ ସହ ସମ୍ପୃକ୍ତ ଥିଲେ। ଏହି ବିଦ୍ୟାଳୟ ତାଙ୍କ ଜୀବନ ଦର୍ଶନକୁ ବିଭିନ୍ନ ଭାବରେ ପ୍ରଭାବିତ କରିଥିଲା’’।ସେ ଓଡ଼ିଆ ସାହିତ୍ୟ ଆକାଶରେ ନିଜକୁ ଏକ ଉଜ୍ଜ୍ୱଳତମ ନକ୍ଷତ୍ର ଭାବେ ପ୍ରତିଷ୍ଠା କରିପାରିଥିଲେ।ସେ ଅନେକ ଗପ,ଉପନ୍ୟାସ,କବିତା ଆଦି ଲେଖିଛନ୍ତି। ଗୋଦାବରୀଶ ମହାପାତ୍ର ଙ୍କ ରଚ଼ିତ ଉଠ କଙ୍କାଳ କବିତା ମୋ ଭଳି ଅନେକ ଙ୍କୁ ପ୍ରଭାବିତ କରିଛି। ସେହି କବିତାର କିଛି ପଂକ୍ତି-
ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ !
ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,
ଖୋରଧାର ଶତ ସରଦାର ଶିର କର ଉନ୍ନତତର !
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ।

ଏହି ସାରସ୍ବତ ସାଧକ ୨୫ ନଭେମ୍ବର ୧୯୬୫ ମସିହାରେ ଦୁନିଆ ଛାଡ଼ି ଚ଼ାଲିଯାଇଥିଲେ। ଆଜି ତାଙ୍କର ଜୟନ୍ତୀ ଅବସରରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଓ ଶତ ଶତ ପ୍ରଣାମ।

ଲେଖକ : ବିଶ୍ବବିଜୟୀ ଦାଶ
ଯୁବ ସ୍ତମ୍ବକାର
ବାଣପୁର,ଖୋର୍ଦ୍ଧା
ପିନ୍ ନଂ – ୭୫୨୦୩୫
ମୋବାଇଲ୍ ନଂ- ୬୩୭୦୨୦୮୪୨୮
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.