ବିହାର ଜାତିଗତ ଜନଗଣନା : ଦେଶସାରା ତେଜିଲା ବିତର୍କ

ଓଡ଼ିଆ ବାର୍ତ୍ତା/ ପାଟଣା: ବିହାରରେ ଜାତି ସର୍ଭେ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ସାରା ଦେଶରେ ଜାତି ଗଣନା ପାଇଁ ଦାବି ଉଠିଛି। ଆଗାମୀ ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନରେ ଜାତିଗତ ଜନଗଣନାକୁ ନିର୍ବାଚନୀ ପ୍ରସଙ୍ଗ କରିବ ବୋଲି କଂଗ୍ରେସ ସ୍ପଷ୍ଟ କରିଛି। ବିହାର ଜାତି ସର୍ଭେ ରିପୋର୍ଟକୁ ବିଜେପି ପ୍ରତ୍ୟାଖ୍ୟାନ କରି ଏହାକୁ ଡାହା ମିଛ ବୋଲି କହିଛି। ବିରୋଧୀ ବିଶେଷ କରି କଂଗ୍ରେସ ଗରିବଙ୍କ ଭାବନା ସହ ଖେଳୁଛି ଏବଂ ଜାତି ନାଁରେ ଲୋକଙ୍କୁ ଭାଗ ଭାଗ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ସେତେବେଳେ ମଧ୍ୟ ସେମାନେ ଗରିବଙ୍କ ଭାବନା ସହିତ ଖେଳୁଥିଲେ ଏବଂ ଏବେ ମଧ୍ୟ କରୁଛନ୍ତି। ସେତେବେଳେ ମଧ୍ୟ ଦେଶକୁ ଜାତି ଆଧାରରେ ଭାଗ ଭାଗ କରୁଥିଲେ ଆଉ ଏବେ ମଧ୍ୟ କରୁଛନ୍ତି। ମଧ୍ୟପ୍ରଦେଶରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ବିହାର ସରକାରଙ୍କ ସର୍ଭେ ଦେଶର ଜାତିଗତ ପରିସଂଖ୍ୟାନ ଜାଣିବାର ଗୁରୁତ୍ୱକୁ ଦର୍ଶାଉଛି। ଜନସଂଖ୍ୟା ଆଧାରରେ ଲୋକଙ୍କୁ ଅଧିକାର ଦେବା ପାଇଁ ସେ ତାଙ୍କ ଦାବିକୁ ଦୋହରାଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ କହିଛନ୍ତି ଯେ ୨୦୨୪ ପରେ ସାରା ଦେଶରେ ଜାତିଗତ ଜନଗଣନା କରାଯିବ। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଦେଶବ୍ୟାପୀ ଜାତିଭିତ୍ତିକ ଜନଗଣନା କିମ୍ବା ଅନ୍ୟାନ୍ୟ ରାଜ୍ୟରେ ଅନୁରୂପ ଜନଗଣନା କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ବିହାର ସର୍ଭେ ଫଳାଫଳକୁ ସ୍ୱାଗତ କରିବା ସହ ଯଥାଶୀଘ୍ର ସାରା ଦେଶରେ ଜନଗଣନା କରିବାକୁ ଦାବି କରିଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବିହାର ଜାତି ସର୍ଭେ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି ଏହାକୁ ମିଛ ବୋଲି କହିଛନ୍ତି। ବିହାର ଜାତିଗତ ସର୍ଭେ ଫଳାଫଳକୁ ନେଇ ଚାଲିଥିବା ବିତର୍କ ଭାରତରେ ସାମାଜିକ ଓ ଅର୍ଥନୈତିକ ଅସମାନତାକୁ ବୁଝିବା ଓ ଏହାର ସମାଧାନ ପାଇଁ ଜାତି ତଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.