ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ସହରର ରିଙ୍ଗ ରୋଡ ସ୍ଥିତ ବିଜୁ ଜନତା ଦଳର କର୍ମୀ କାର୍ଯ୍ୟାଳୟର ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ଧୂମଧାମରେ ପାଳନ ହୋଇଛି ଏହାର ବାର୍ଷିକୀ ଉତ୍ସବ | ରାୟଗଡା ବିଜେଡିର ବରିଷ୍ଠ ସଂଗଠକ ୟାଲ୍ଲା ଭେଙ୍କେଟେଶ୍ୱର ରାଓ ଓରଫ କୋଣ୍ଡାବାବୁଙ୍କ ନେତୃତ୍ୱରେ ୮ ହଜାରରୁ ଉର୍ଦ୍ଧ ଦଳୀୟ କର୍ମୀ ଓ ସମର୍ଥକମାନଙ୍କୁ ନେଇ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା |
ଏଥିରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ନୂଆ ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ପରେ ନଗର ପରିକ୍ରମା କରାଯାଇ କର୍ମୀ କାର୍ଯ୍ୟାଳୟରେ ପଦଯାତ୍ରାଟି ପହଂଚି ଥିଲା | ସେଠାରେ ବିଧାୟକ ଶ୍ରୀ ମୁଦୁଲି ଓ କୋଣ୍ଡାବାବୁ କେକ କାଟି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ |
ଦୀର୍ଘ ୨୫ବର୍ଷ ମଧ୍ୟରେ ରାୟଗଡା ନିର୍ବାଚନୀ ମଣ୍ଡଳୀର ଦଳୀୟ କର୍ମୀଙ୍କ ପାଇଁ ରାୟଗଡା ଠାରେ କୌଣସି କର୍ମୀ କାର୍ଯ୍ୟାଳୟ ନ ଥିବା ବେଳେ ସ୍ଥାନୀୟ ନେତା କେବେ ବି କର୍ମୀ କାର୍ଯ୍ୟାଳୟ ଖୋଲିବା ପାଇଁ ଚେଷ୍ଠା କରିନାହାନ୍ତି | କେବଳ ନିର୍ବାଚନ ଆସିଲେ କର୍ମୀ ମନେ ପଡନ୍ତି ଆଉ କେବେ ନୁହେଁ ଯାହାକୁ ନେଇ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା |
କର୍ମୀଙ୍କୁ ଏକଜୁଟ କରି ରଖିବା ନିମନ୍ତେ ଏକ ଦଳୀୟ କାର୍ଯ୍ୟାଳୟ ଖୋଲିବା ପାଇଁ ଗତବର୍ଷ ଆଜିର ଦିନରେ ସହରର ରିଙ୍ଗ ରୋଡରେ ବିଜେଡିର ବରିଷ୍ଠ ସଂଗଠକ କୋଣ୍ଡାବାବୁ ଦଳର ଏହି କର୍ମୀ କାର୍ଯ୍ୟାଳୟ ଗୃହ ଖୋଲିଥିଲେ | ଏହି ସମୟ ମଧ୍ୟରେ ଦଳୀୟ କର୍ମୀଙ୍କ ହାରାହାରି ଷାଠିଏ ପ୍ରତିଶତ ସମସ୍ୟାର ସମାଧାନ ହୋଇଥିବା ବେଳେ କିଭଳି ଭାବେ ଦଳ ସଂଗଠନକୁ ଆହୁରି ସୁଦୃଢ କରାଯିବ, ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକର ସଫଳତା ବିଷୟରେ ଘରେ ଘରେ ପହଞ୍ଚାଇବା ଭଳି ଅନେକ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବା ବେଳେ କର୍ମୀଙ୍କ ନିମନ୍ତେ କାର୍ଯ୍ୟାଳୟ ଖୋଲିବାରେ କୌଣସି ପ୍ରକାର ରାଜନୀତି କରାଯାଏନି ବୋଲି କୋଣ୍ଡାବାବୁ ପ୍ରକାଶ କରିଛନ୍ତି |
ସେହିପରି ବିଧାୟକ ମକରନ୍ଦ ମୁଦୁଲି ବିଜେଡିର କର୍ମୀ କାର୍ଯ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇ ନବୀନ ସରକାରଙ୍କ ୨୫ବର୍ଷର ବିଭିନ୍ନ ଜନ କଲ୍ୟାଣ ଯୋଜନା ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେଇପାରିଛି | ତେଣୁ ବିଜେଡିକୁ ଭଲ ପାଉଥିବା ହଜାର ହଜାର ସଂଖ୍ୟକ ଦଳୀୟ କର୍ମୀ ଏଭଳି କାର୍ଯ୍ୟକ୍ରମରେ ସମବେତ ହୋଇପାରୁଛନ୍ତି ବୋଲି କହିଛନ୍ତି | ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ପି. ଗୌରୀଶଙ୍କର ରାଓ, କାଷି ନାଇଡୁ, ବ୍ରଜସୁନ୍ଦର ନାୟକ, ବିରଜା ପାତ୍ର, ଚକ୍ର ବିଡ଼ିକା, ମାଧବରାଓ କୋଣ୍ଡାଗାରୀ, ପି. ମଣି ରତ୍ନମ, ଜାନକୀ ରାମ୍ମାୟା, କେ. ଶ୍ରୀନିବାସ, ଏନ. ରବିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ |