ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏ.ଆଇ.ର ଦୁରୁପଯୋଗ କେତେ ଭୟଙ୍କର ତା’ର ପରିଣାମ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅନୁଭବ କରି ସାରିଲେଣି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓକୁ ଏଆଇ ଦ୍ୱାରା ଏଡିଟ୍ କରାଯାଇ କଦର୍ଥ କରାଯାଇଛି। ଯାହାକୁ ନେଇ ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପର୍ଯ୍ୟନ୍ତ ଚିନ୍ତାରେ ପଡ଼ିଯାଇଛନ୍ତି। ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅମିତାଭ ବଚ୍ଚନ ଦାବି କରିଛନ୍ତି। ଏହି ଭିଡିଓ ଟିକୁ ଡିପ୍ଫେକ୍ ଭିଡିଓ ବୋଲି କୁହାଯାଉଛି। ସରଳ ଭାଷାରେ ବୁଝିବାକୁ ଗଲେ ଅସଲି ଫଟୋ,ଭିଡିଓ ଓ ଅଡିଓକୁ ଟେକ୍ନୋଲୋଜୀ ସାହାଯ୍ୟରେ କଦର୍ଥ କରି ଏହାର ନକଲିକରଣ କରି ଦେଖାଇବା। ଏହି ଡିପ୍ଫେକ୍ ଟେକ୍ନୋଲୋଜୀ ହେଉଛି ଏଆଇର ଏକ ଆନ୍ଧାର ଦିଗ, ଯାହା ମଣିଷ ସମାଜ ପାଇଁ ଆଗକୁ ଅନେକ ସମସ୍ୟା ସୃଷ୍ଟି କରିବ।
ଏଥିରେ କେବଳ ସ୍ୱର ବଦଳାଇ ହେବନି ବରଂ ଭିଡିଓକୁ ମଧ୍ୟ ଏଡିଟ୍ କରି କଦର୍ଥ କରି ପୂରା ଅସଲି ଭଳି ଦେଖାଇ ଭ୍ରମ ସୃଷ୍ଟି କରାଯାଇପାରିବ। ଏହାର ବ୍ୟବହାର ଅଶ୍ଳୀଳତାକୁ ଅଧିକ ବଢ଼ାଇବା ସହ ସାଇବରକ୍ରାଇମ୍ ସଂଖ୍ୟା ବଢ଼ିବ। ବର୍ତ୍ତମାନ ରଶ୍ମିକା ଏହି ଏହାର ସମ୍ମୁଖୀନ ହୋଇଛନ୍ତି।
ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ରଶ୍ମିକା ମନ୍ଦାନ ଏକ ଲିଫ୍ଟରେ ପ୍ରବେଶ କରୁଛନ୍ତି। ହେଲେ ଭିଡିଓକୁ ନିରେଖି ଦେଖିଲେ ଏହା ଏକ ନକଲି ଭିଡିଓ ବୋଲି ଜଣାପଡ଼ିଯାଉଛି। ଭିଡିଓକୁ ଟିକୁ ଟେକ୍ନୋଲୋଜୀ ସାହାଯ୍ୟରେ ଏଡିଟ୍ କରି କଦର୍ଥ (ଡିଜିଟାଲି ମେନ୍ୟୁପୁଲେଟ ଭିଡିଓ) କରାଯାଇଛି। ଏହା ଏତେ ଅସଲି ଲାଗୁଛି ଯେ ଭିଡିଓରେ ୨.୪ ମିଲିଅନ ଭ୍ୟୁ ରହିଛି। ସୋସିଆଲ୍ ମିଡିଆ ସାଇଟ୍ରେ ଏକ୍ସରେ ଏହାକୁ ଛଡ଼ାଯାଇଛି।
ଉଦ୍ବେଗ ପ୍ରକାଶ କଲେ ସାମ୍ବାଦିକ-
ଅଭିଶେକ କୁମାର ନାମକ ଜଣେ ସାମ୍ବାଦିକ ଭିଡିଓଟକୁ ଏକ୍ସରେ ଶେୟାର କରି ଏହାର ଭୟଙ୍କର ପରିଣତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଇଣ୍ଟର୍ନେଟ୍ରେ ଏହିଭଳି ନକଲି ଭିଡିଓ ଶେୟାର ବିରୋଧରେ ଲଢ଼ିବାକୁ ବର୍ତ୍ତମାନ ଏକ ନୂଆ ନିୟମ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ଜାରା ପଟେଲ୍ ନାମକ ଏକ ମହିଳାଙ୍କର ଏକ ଭିଡିଓ ଅକ୍ଟୋବର ୮ ତାରିଖରେ ପୋଷ୍ଟ ହୋଇଥିଲା। ତେବେ ଭିଡିଓଟିକୁ କଦର୍ଥ କରିବାରେ ତାଙ୍କର କୌଣସି ହାତ ନାହିଁ ବୋଲି ଜଣାପଡ଼ିଛି। ତେବେ ପ୍ରଶ୍ନ ଉଠୁଛି ଭିଡିଓଟି କିଏ କଦର୍ଥ କଲା ଓ କାହିଁକି କଲା ?
କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହା ପୂର୍ବରୁ ଏମିତି ଅନେକ ଘଟଣା ଘଟିଛି। ଅନେକ ସେଲିବ୍ରେଟି ଡିପ୍ଫେକ୍ ଭିଡିଓର ଶିକାର ହୋଇଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗ ଚର୍ଚ୍ଚାରେ ପରିସରକୁ ଆସିଛି। ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ଭିଡିଓ ଶେୟାର କରିଛନ୍ତି। ଏବଂ ଡିଫେକ୍ ଭିଡିଓ ନିର୍ମାତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। ଅରିଜିନାଲ ଭିଡିଓରେ ପ୍ରଥମେ ଜାରା ଲିଫ୍ଟରେ ପ୍ରବେଶ କରୁଛନ୍ତି। ସେତେବେଳେ ତାଙ୍କ ମୁହଁ ସ୍ପଷ୍ଟ ଜଣାପଡ଼ୁଛି। ହେଲେ ମାତ୍ର କିଛି ସେକେଣ୍ଡ ପରେ ଜାରାଙ୍କ ମୁହଁ ରଶ୍ମିକାଙ୍କ ମୁହଁ ଭଳି ହେଇଯାଉଛି।
ଡିପ୍ଫେକ୍ ଭିଡିଓ କ’ଣ ?
ମେସିନ ଲର୍ଣ୍ଣିଂ( Machine Learning) ପାଠରେ ଡିପ୍ଫେକ୍ (Deepfake) ନାମକ ଏକ ବିଷୟ ରହିଛି। ଡିପ୍ଫେକ୍ ଟର୍ମ ଡିପ୍ ଲର୍ଣ୍ଣିଂ(Deep Learning)ରୁ ଆସିଛି। ଏଥିରେ ଅକାଧିକ ଲେୟର ରହିଥାଏ। ଏହା ଆର୍ଟିଫିସିଆଲ୍ ନ୍ୟୁରୋଲ ନେଟ୍ୱାର୍କ ବେସ୍ଡ ହୋଇଥାଏ। ଏହି ଆଲ୍ଗୋରିଦମରେ ଅନେକ ଡାଟା ଦେଇ ନକଲି କେଣ୍ଟେକ୍ଟକୁ ଅସଲିରେ ପରିଣତ କରିଦିଆଯାଇ ଥାଏ। ସରଳ ଭାଷାରେ କହିବାକୁ ଗଲେ ଏହି ଟେକ୍ନୋଲୋଜୀ ଦ୍ୱାରା ଅରଜିନାଲ୍ ଫଟୋ, ଭିଡିଓ ଓ ଅଡିକୁ ନକଲି କରି ଅବିକଳ ଅସଲି ପରି ଦେଖାଯାଇଥାଏ।
ଏହାର ସଦୁପଯୋଗ ନ ହୋଇ ଅଧିକ ଦୁରୁପ ଯୋଗ କରାଯାଉଛି। ଲୋକଙ୍କୁ ଧାକା ଦେବା ପାଇଁ ଏହି ଟେକ୍ନୋଲୋଜୀର ବ୍ୟବହାର ହେଉଛି। ତେବେ ଅରଜିନାଲ୍ ଲୋକଙ୍କର ହାବଭାବ, ଯେମିତିକ ଆଖି ପତା ପକାଇବା, କଥା କହିବା ବେଳେ ଓଠର ଗତି ବଦଳିବା, ବିଶେଷ କରି ନକଲି ଭିଡିଓ ଜାଣିବାର ସବୁଠାରୁ ବଡ଼ ଦିଗ ହେଲା ଆଖି। କାରଣ ଏଡିଟ୍ରେ ଏହା ମୁଣ୍ଡର ଗତି ସହ ସମାନ ଭାବରେ ଗତି କରେ ନାହଁ। ଏସବୁ କାରଣରୁ ଆପଣ ନକଲି ଓ ଅସଲି ଜାଣିପାରିବେ।
ଘଟଣାକୁ ନେଇ କ’ଣ କହିଲେ ରଶ୍ମିକା ମନ୍ଧାନା ?
ରଶ୍ମିକା ମନ୍ଧାନଙ୍କ ଉପରେ ଡିଫେକ୍ ଭିଡିଓ ଭାଇରାଲ୍ ହେଉଥିବାରୁ ସେ ଘଟଣାରୁ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ଅନ୍ଲାଇନ୍ରେ ଭାଇରାଲ୍ ହେଉଥିବା ମୋର ଡିପ୍ଫେକ୍ ଭିଡିଓ ବିଷୟରେ ମୋତେ ଆଲୋଚନା କରିବାକୁ ପଡ଼ୁଛି। ଏହା ଅତି ଭୟଙ୍କର। କେବଳ ମୋ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ଯେଉଁମାନେ ଆଜି ଏହି ଟେକ୍ନୋଲୋଜୀର ଦୁରୁପଯୋଗର ଭୟଙ୍କର ପରିସ୍ଥିତିରେ ରହୁଛନ୍ତି। ଆଜି ଜଣେ ମହିଳା ଓ ଜଣେ ଅଭିନେତ୍ରୀ ହିସାବରେ, ମୁଁ ମୋ ପରିବାର, ବନ୍ଧୁବର୍ଗ ଏବଂ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଦେବି, ଯେଉଁମାନେ ସବୁବେଳେ ମୋ ସୁରକ୍ଷା ଓ ସମର୍ଥନରେ ରହୁଛନ୍ତି। ରଶ୍ମିକା ଆହୁରି କହିଛନ୍ତି ଯେ ଯଦି ମୁଁ ସ୍କୁଲ୍ ଓ କଲେଜ୍ରେ ପଢ଼ୁଥିବା ବେଳେ ମୋ ସହ ଏଭଳି ଘଟିଥାନ୍ତା ତେବେ ମୁଁ ସତରେ କଳ୍ପନା ବି କରୁପାରୁନି ଯେ ମୁଁ ଏହାକୁ କେମିତି ସମ୍ଭାଳିଥାନ୍ତି। ତେଣୁ ଏହାର ଏକ ସମାଜ ହିସାବରେ ଏହାର ଅଧିକ ଦୁରୁପଯୋଗ ହେବା ପୂର୍ବରୁ ସମସ୍ୟାକୁ ଉଠାଇବା ନିହାତି ଆବଶ୍ୟକ ବୋଲି ରଶ୍ମିକା କହିଛନ୍ତି।
କ’ଣ କହିଲେ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ?
ଅନ୍ୟପଟେ ଡିପ୍ଫେକ୍ ଭିଡିଓକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଆଇନଗତ ଲଢ଼େଇ ଲଢ଼ିବାକୁ ଭାଟ ଖୋଲା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ୍ସରେ ଆଇଟି ନିୟମ ଅଧିନରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ଆଇନଗତ ଦାୟିତ୍ୱ ମନେ ପକାଇଛନ୍ତି । ସେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ସରକାର ଇଣ୍ଟରନେଟର ଉପଯୋଗ କରୁଥିବା ସମସ୍ତ ଡିଜିଟାଲ୍ ନାଗରିକଙ୍କ ସୁରକ୍ଷା ଓ ବିଶ୍ୱାସ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଅଟେ’।