ମଦ୍ୟପ ଯୁବକର ଉନ୍ମକ୍ତ କାଣ୍ଡ: ରାତିଅଧିଆରେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନ ଧରବଗଡ଼ ପଞ୍ଚାୟତ ମାକ୍ରି ଗାଁକୁ ଜଣେ ଅଚିହ୍ନା ଯୁବକ ପଶି ରାତିଅଧିଆରେ ଜଣେ ବୃଦ୍ଧା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଉକ୍ତ ମହିଳାଙ୍କୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଟିଟିଲାଗଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲଙ୍କୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଏ ନେଇ ସଇଁତଲା ପୋଲିସ ଥାନା କେସ ନଂ ୩୮୩/୨୩ ରେ ଏକ ମାମଲା ରୁଜୁ କରି ଭାରତୀୟ ପିଙ୍ଗଳ କୋଡ଼ ୪୫୭, ୩୨୫, ୩୦୭ ଦଫାରେ ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ଜଣକ ଅଶୋକ ଭୋଇ ଓ ତାଙ୍କ ଗ୍ରାମ ଦାନୀପାଲି ଆଗଲପୁର ଫାଣ୍ଡି ଅଞ୍ଚଳର ବୋଲି ଜଣାପଡିଛି। ପ୍ରକାଶ ଯେ, ଗତ ୨୭ ତାରିଖ ରାତ୍ରିରେ ଖାଇପିଇ ସାରି ମାକ୍ରି ଗାଁ ଲୋକେ ଶୋଇ ପଡ଼ିଥିଲେ। ଏହି ସମୟରେ ଜଣେ ଅଚିହ୍ନା ଯୁବକ ନିଶାଗ୍ରସ୍ତ ଅବସ୍ଥା ଆସି କିଛି ଲୋକଙ୍କ ଘରକୁ ଯାଇ କବାଟ ପିଟିବା ସହ କିଛି ଲୋକଙ୍କୁ ପିଟାପିଟି ଆରମ୍ଭ କରିଥିଲେ। ଏହାପରେ ରମେଶ ଭୋଇଙ୍କ ଆଈ ଲକ୍ଷ୍ମୀ ଭୋଇ (୬୨) ନାମକ ଜଣେ ବୁଢ଼ୀ ମହିଳାଙ୍କ କବାଟ ପିଟିବା ପରେ ମହିଳା ଜଣକ କିଏ ବୋଲି କବାଟ ଖୋଲିବା ପରେ ଯୁବକ ଜଣକ ଧରିଥିବା ଠେଙ୍ଗା ନିସ୍ତୁକ ପ୍ରହାର କରିଥିଲେ। ଫଳରେ ମହିଳା ଜଣକ ଚିତ୍କାର କରିବାରୁ ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଟିଟିଲାଗଡ଼ ମେଡିକାଲକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏଥିରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଦ୍ୱାରା ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ ହାତ ମଧ୍ୟ ଭାଙ୍ଗିଥୁବା ଜଣାପଡିଛି। ଏ ନେଇ ରମେଶ ଭୋଇ ଥାନାରେ ଲିଖିତ ଅଭିଯୋଗ ପରେ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ଅଭିଯୁକ୍ତ ଅଶୋକଙ୍କୁ ଗିରଫ କରିବା ସହ ଡାକ୍ତରୀ ପରୀକ୍ଷା କରି ଟିଟିଲାଗଡ଼ ଜେଲକୁ ପଠାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.