ଚଇତି ମହୋତ୍ସବର ଚତୁର୍ଥ ଶୀତୁଆ ସନ୍ଧ୍ୟା

ଅଭିଜିତ ମଜୁମଦାରଙ୍କ ସଂଗୀତ ପରିବେଷଣରେ ଦୁଲୁକିଲା ମଞ୍ଚ, ନାଚି ଉଠିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ଥିଲା ଚଇତି ମହୋତ୍ସବର ଚତୁର୍ଥ ଶୀତୁଆ ସନ୍ଧ୍ୟା | ଗତ ୩ ଦିନର ଶୀତୁଆ ସନ୍ଧ୍ୟାର ସାଂସ୍କୃତିକ ଉତ୍ସବରେ ଦୁଲୁକି ପଡିଥିବା ଚଇତି ମଞ୍ଚ ଚତୁର୍ଥ ସନ୍ଧ୍ୟାରେ ମଧ୍ୟ ଦୁଲୁକି ଉଠିଥିଲା | ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ଵଧାଦେବ ସିଂଙ୍କ ପୌରାହିତ୍ୟରେ ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଇତି ଭାଇଚାରାର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଗାଁ ଠାରୁ ସହର ସମସ୍ତଙ୍କୁ ଏକାଠି କରିପାରିଛି ବୋଲି କହିଥିଲେ |

ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ କଟକର ସିଂଘମ ନୃତ୍ୟ ଏକାଡେମୀର ନୃତ୍ୟ ପରିବେଷଣରୁ ଆରମ୍ଭ ହୋଇଥିଲା ଚତୁର୍ଥ ଶୀତୁଆ ସନ୍ଧ୍ୟାର ସାଂସ୍କୃତିକ ଉତ୍ସବ କାର୍ଯ୍ୟକ୍ରମ | ପରେ ପରେ ପଡୋଶୀ ଆନ୍ଧ୍ର ପ୍ରଦେଶର ସାଂସ୍କୃତିକ ଦଳର ନୃତ୍ୟ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଢାପ କୁଏଁରି କଳା ପରିଷଦର ଢ଼ାପ ନୃତ୍ୟ, ମା ସନ୍ତୋଷୀ କଳା ପ୍ରତିଷ୍ଠାନର ଲୋକ ନୃତ୍ୟ,

ବ୍ଲକ କଳା ସଂସ୍କୃତି ସଙ୍ଘ ରାମନାଗୁଡ଼ା, ପଦ୍ମପୁର, କଲ୍ୟାଣସିଙ୍ଗପୁର ଓ କୋଲନରାର ଲୋକ ନୃତ୍ୟ, ନାରୀ ଶକ୍ତି ନୃତ୍ୟ ଗ୍ରୁପର ବେଙ୍ଗଲୀ ନୃତ୍ୟ, ମା ସମଲେଇ ନୃତ୍ୟ ଦଳ ଓ ଦିବ୍ୟ ଦର୍ଶନ ନୃତ୍ୟ ଗ୍ରୁପର ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିବା ବେଳେ ବିଶେଷ ଆକର୍ଷଣ ପାଲଟି ଥିଲେ ଓଲିଉଡ଼ ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଓ ତାଙ୍କ ଗ୍ରୁପ |

ଅଭିଜିତ ମଜୁମଦାରଙ୍କ ସଂଗୀତ ପରିବେଷଣରେ ଝୁମିଲେ ନାଚିଲେ ଦର୍ଶକ ଓ ଶ୍ରୋତାଗଣ | ଚତୁର୍ଥ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କରଚନ୍ଦ୍ର ରଇତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ଜେକେ କାଗଜ କଳ କାର୍ଯ୍ୟ ନିର୍ମାଣ ନିର୍ବାହୀ ଉପ ସଭାପତି ବିନୟ ଦ୍ବି୍ବେଦି, ଥେରୁବାଲି ଇମ୍ଫା କାରଖାନା ଉପ ସଭାପତି ଆଶିଷ କୁମାର ରାଏ, ଉତ୍କଳ ଆଲୁମିନା ଇଣ୍ଟେରନେସନାଲ ଲିମିଟେଡ଼ ସଭାପତି ତଥା ପ୍ରକଳ୍ପ ମୁଖ୍ୟ ମଜହାର ବେଗ, ବେଦାନ୍ତ ଆଲୁମିନା ଉପ ସଭାପତି ଭି. ଶ୍ରୀକାନ୍ତ, କଳିଙ୍ଗ ଆଲୁମିନା ଲିମିଟେଡ଼ ଅଦାନୀ ଗ୍ରୁପର ଉପସଭାପତି ନବଲ କିଶୋର ସାମଲ, ରାୟଗଡା ଉପ ଜିଲ୍ଲାପାଳ ସଂଘମିତ୍ରା ଦେବୀ, ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ଲୋକ କଳା,  ସଂସ୍କୃତି, ପରମ୍ପରା, ଐତିହ୍ୟକୁ ଉଦ୍ଜୀବିତ ରଖିବାରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ମତ ପୋଷଣ କରିଥିଲେ |

ଜିଲ୍ଲାପାଳ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିବା ବେଳେ କଳା ପରିବେଷଣ କରିଥିବା କଳାକାରମାନଙ୍କୁ ଅତିଥିମାନେ ଚଇତି ପ୍ରଶଂସା ପତ୍ର ଦେଇ ଉତ୍ସାହିତ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.