ସରକାର ଦେଉଛନ୍ତି ୫ ଟଙ୍କା, ବଜାର ଦର ୮ ଟଙ୍କା
ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସମସ୍ତ ବ୍ଲକରେ ଦାବିପତ୍ର ପ୍ରଦାନ ଓ ବିକ୍ଷୋଭ
ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ମହଙ୍ଗା ମାଡରେ ମୁସ୍କିଲ୍ ହୋଇଯାଇଛି ଯୋଜନା। ମାତ୍ର ୫ ଟଙ୍କା ୯୦ ପଇସାରେ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କୁ ରନ୍ଧା ଖାଦ୍ୟ ଓ ସପ୍ତାହରେ ୨ ଦିନ ଅଣ୍ଡା ଖାଇବାକୁ ଦେବା କଷ୍ଟକର ହୋଇପଡ଼ିଛି। ବଜାର ଦର ଅନୁସାରେ ଅଣ୍ଡା ଦର ଯୋଗାଇ ଦିଅନ୍ତୁ ନଚେତ୍ ସରକାର ଅଣ୍ଡା, ତେଲ, ଡାଲି ଯୋଗାଣର ବ୍ୟବସ୍ଥା କରନ୍ତୁ ଦାବି କରି ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ପଶ୍ଚିମ ଓଡିଶାର ସମସ୍ତ ବ୍ଲକ ସିଡିପିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜମନକିରା ବ୍ଲକରେ କନକ ପ୍ରଧାନ, ହେମାଦ୍ରି ପ୍ରଧାନ, ସୁରେଖା ସାହୁ, ବାମରାରେ ଦ୍ରୌପଦୀ ଗୌଡ ଓ ରତ୍ନ ସାହୁ, ସମ୍ବଲପୁର ମହାନଗରରେ ରାଜ୍ଯ ସାଧାରଣ ସଂପାଦକ ପ୍ରଭାସିନି ପାଢି, ମାନେଶ୍ଵରରେ ଜିଲ୍ଲା ସମ୍ପାଦକ ପ୍ରମିଳା ସିଂହ, ସୌଦାମିନୀ ପାଣ୍ଡେ, ରୀତା ରାଣୀ ପତି, ଅନିତା ନାୟକ, ରେଙ୍ଗାଲିରେ ସଭାନେତ୍ରୀ ମିନି ପଣ୍ଡା, ଯଶୋବନ୍ତୀ ବେହେରା ଓ ଜୟନ୍ତୀ ମିଶ୍ର, ଧନକଉଡାରେ ଫନି ରାଉଳ, ପଦ୍ମିନୀ ପାଣିଗ୍ରାହୀ ତୁଲସୀ ଭୋଇ, ଯୁଜୋମୁରାରେ ମଞ୍ଜୁଲତା ମାଝୀ, ଝୁମି ସେଠ, ପୁଷ୍ପ ମଞ୍ଜରୀ କିଷାନ, ସଂଘମିତ୍ରା ପଟ୍ଟନାୟକ, ରେଢ଼ାଖୋଲରେ ଯାଜ୍ଞସେନୀ ପ୍ରଧାନ, ନୀନା ବିଞ୍ଝାଲ, କୁଚିଣ୍ଡାରେ ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ, ଶୈରିନ୍ଦ୍ରୀ ମହାନନ୍ଦ ଓ ଶାନ୍ତି ଲତା ପଟେଲଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ କରାଯାଇଥିଲା।
ସେହିପରି ବରଗଡ଼, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା, ଦେବଗଡ଼ ଜିଲ୍ଲାରେ ମଧ୍ୟ ଦାବି ପତ୍ର ପ୍ରଦାନ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଙ୍ଗନୱାଡି କର୍ମୀଙ୍କ ସମସ୍ୟାର ସମାଧାନ ସକାଶେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ଲଗାତାର ସଂଗ୍ରାମ ଜାରି ରହିଛି। ବର୍ତ୍ତମାନ ମାତ୍ର ୫ ଟଙ୍କା ୯୦ ପଇସାରେ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କୁ ରନ୍ଧା ଖାଦ୍ୟ ଓ ଦୁଇଦିନ ଅଣ୍ଡା ଖାଇବାକୁ ଦେବା ଏବଂ ଗର୍ଭବତୀ ମା ଙ୍କୁ ମଧ୍ୟ ଅଣ୍ଡା ଦିଆଯାଉଛି। ବର୍ତ୍ତମାନ ବଜାରରେ ଅଣ୍ଡା ଦର ଗୋଟାକୁ ୭ ରୁ ୯ ଟଙ୍କା ଦରରେ ଅଙ୍ଗନବାଡି କର୍ମୀ ଙ୍କୁ କିଣିବାକୁ ପଡିଥାଏ। ପୁରୁଣା ମୂଲ୍ୟରେ ଅଣ୍ଡା ଆଣି ଯୋଗାଇବା ଅତ୍ୟନ୍ତ କଷ୍ଟକର ହୋଇ ପଡିଲାଣି। ଗୋଟେ ଅଣ୍ଡା ସକାଶେ ୫ ଟଙ୍କା ଓ ମସଲା ବାବଦରେ ଦୈନିକ ୯୦ ପଇସା ମିଲୁଛି। ବର୍ତ୍ତମାନ ସବୁକିଛି ଟଙ୍କାରେ ଚାଲୁ ଥିବା ବେଳେ ରାଜ୍ଯ ସରକାର ପଇସାରେ କାରବାର ଚଳାଇଛନ୍ତି।
ବିଭାଗୀୟ ନିର୍ଦ୍ଦେଶ ମୁତାବକ ପ୍ରତି ମାସରେ କର୍ମୀମାନେ ତାଙ୍କ କେନ୍ଦ୍ର ଅଞ୍ଚଳର ଗର୍ଭବତୀ, ପ୍ରସୂତି ଓ ତିନି ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ମାସିକ ୧୨ ଟି ଅଣ୍ଡା ପ୍ରଦାନ କରୁଛନ୍ତି। ବର୍ତ୍ତମାନ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଅଙ୍ଗନବାଡି କେନ୍ଦ୍ରକୁ ଯୋଡା ଯାଇଅଛି। ଏହି ଯୋଜନାରେ ୧୫ ରୁ ୧୯ ବର୍ଷର କିଶୋରୀ ବାଳିକାମାନଙ୍କୁ ମାସକୁ ୫ ଟଙ୍କା ଦରରେ ୧୬ ଟି ଅଣ୍ଡା ଯୋଗାଇ ଦେବାକୁ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାସକୁ ମାତ୍ର ୭,୫୦୦ ଟଙ୍କା ପାରିଶ୍ରମିକ ପାଉଥିବା ଅଙ୍ଗନବାଡି କର୍ମୀଙ୍କ ଉପରେ ସରକାର ଦିନକୁ ଦିନ ଅଧିକ କାମ ଲଦି ଦେଉଛନ୍ତି। ସ୍ୱଳ୍ପ ମୂଲ୍ୟରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ନିର୍ଦ୍ଦେଶ ମାନସିକ ଭାରାକ୍ରାନ୍ତ କରୁଛି। ବଜାରରେ ସୋରିଷ ତେଲ ୧୮୦ ଥିବାବେଳେ ମିଲୁଛି ୯୦ ଟଙ୍କା, ଡାଲି ୧୭୦ ଥିବାବେଳେ ୬୦ ଟଙ୍କା ଦେଉଛନ୍ତି। ମସଲା, ଲୁଣ ତଥା ଅନ୍ୟ ସାମଗ୍ରି ରହିଛି, ଯାହାର ବଜାର ଦର ବହୁତ ଅଧିକ ଅଟେ। ଅଙ୍ଗନବାଡି କର୍ମୀ ନିଜ ହାତରୁ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛି। ସରକାର ବର୍ତ୍ତମାନ ଅଙ୍ଗନବାଡି କର୍ମୀଙ୍କୁ ବିଭିନ୍ନ ବିଭାଗର କାର୍ଯ୍ୟ ଭାର ଲଦି ଚାଲିଛନ୍ତି। ମାସିକ ପାରିଶ୍ରମିକ ବୃଦ୍ଧି କରାଯାଉ ନାହିଁ କିମ୍ବା ସରକାରୀ ମାନ୍ୟତା ପ୍ରଦାନ କରୁନାହାନ୍ତି। କର୍ମୀଙ୍କ ଦାବି ପ୍ରତି ସରକାର ସମ୍ପୂର୍ଣ୍ଣ ଉଦାସୀନ।
ଚାଉଳ ପରି ଅଣ୍ଡା ତଥା ଅନ୍ୟାନ୍ୟ ସାମଗ୍ରି ଯୋଗାଇ ଦିଅନ୍ତୁ, ନଚେତ୍ ଅଣ୍ଡାର ମାର୍କେଟ ଦର ଅନୁସାରେ ଟଙ୍କା ଦିଆ ଯିବାକୁ ଦାବି କରାଯାଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ଏହା ଉପରେ ଶୀଘ୍ର ଦୃଷ୍ଟି ଦେବା ସହିତ ପଦକ୍ଷେପ ନେବା ନିମନ୍ତେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସରକାରଙ୍କୁ ଅନୁରୋଧ କରିଛି। ନଚେତ୍ ବ୍ୟାପକ ଆନ୍ଦୋଳନ କରାଯିବା ସକାଶେ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଙ୍କ ସହିତ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ,ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ, ସମ୍ପାଦକ ପ୍ରମିଳା ସିଂହ ସାକ୍ଷାତ୍ କରି ଅଙ୍ଗନବାଡି କର୍ମୀଙ୍କ ସମସ୍ୟା ସମାଧାନ ସକାଶେ ଆଲୋଚନା କରିଥିଲେ।