ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଏବଂ ବାଲିଷ୍ଟିକ୍ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କିତ ଜାତୀୟ ସମ୍ମିଳନୀ ଉଦଯାପିତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ଦ୍ବାରା ଆୟୋଜିତ ଓଡ଼ିଶା ଫିଜିକାଲ୍ ସୋସାଇଟିର ୪୦ ତମ ବାର୍ଷିକ ସମ୍ମିଳନୀ ଓ ପଦାର୍ଥ ବିଜ୍ଞାନ ଏବଂ ବାଲିଷ୍ଟିକ୍ କ୍ଷେତ୍ରରେ ସାମ୍ପ୍ରତିକ ଅଗ୍ରଗତି ଉପରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟକ୍ରମର ମୁଖ୍ଯ ପୃଷ୍ଠପୋଷକତା କରିଥିଲେ । ସମ୍ମିଳନୀର ଉଦଘାଟନୀ ଉତ୍ସବ ଅବସରରେ ଅଧ୍ୟକ୍ଷ, ପରମାଣୁ ଶକ୍ତି ଆୟୋଗ, ଭାରତ ସରକାରଙ୍କ ସଚିବ, ପରମାଣୁ ଶକ୍ତି ବିଭାଗର ପ୍ରଫେସର ଅଜିତ କୁମାର ମହାନ୍ତି ଯୋଗଦେଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ସହିତ ଥିବା ତାଙ୍କର ନିବିଡ ସଂପର୍କ ବିିଷୟରେ ବର୍ଣ୍ଣନା କରିଥିଲେ। ନିଜର ସହପାଠୀ ଓ କନିଷ୍ଠ ଗବେଷଣାରତ ଅଧ୍ୟାପକଙ୍କ ସହିତ ଆଲୋଚନା ଅବସରରେ ପଦାର୍ଥ ବିଜ୍ଞାନ ଏବଂ ବାଲିଷ୍ଟିକ୍ସରେ ଚାଲିିଥିବା ବିଭିନ୍ନ ନୂତନ ଗବେଷଣା ଉପରେ ମତପୋଷଣ କରିବା ସହିତ ଖୁସିବ୍ୟକ୍ତ କରିଥିଲେ। ଏଥିସହିତ ଗ୍ରାଫାଇଟର ଆଧୁନିକ ଗବେଷଣା ବିଷୟରେ ମତ ଦେଇ ଏହାକୁ ଏକ ଦୁର୍ଲଭ ଓ ଆଶ୍ଚର୍ଯ୍ୟ ସାମଗ୍ରୀ ରୂପେ ବର୍ତ୍ତମାନ ଶିଳ୍ପ ତଥା ଚିକିତ୍ସା ବିଜ୍ଞାନରେ ଉପଯୋଗ କରାଯାଇପାରୁଛି ବୋଲି ସୂଚିତ କରାଇଥିଲେ। ଟପୋଲୋଜିକାଲ୍ ଇଲେକ୍ଟ୍ରୋନିକ୍ସ ସଂପର୍କିତ ତଥ୍ଯ ରଖିବା ସହ ଏହାର ମୌଳିକ ଅଧ୍ୟୟନ ଓ ପ୍ରୟୋଗ ବିଷୟରେ ଦୃଷ୍ଟିିପାତ କରିଥିଲେ। ପ୍ଲୁଟୋନିୟମ ସହ ମିଶ୍ରିତ କରି ହାଇ ଏଣ୍ଟ୍ରୋପିକାଲ୍ ଆଲୋଇସ୍ ପ୍ରସ୍ତୁତ କରିବା ତଥା ବିଭିନ୍ନ ବସ୍ତୁର ପ୍ରକୃତିକୁ ବୁଝି ଏହାର ଉପଯୋଗ ସହ ବସ୍ତୁ ବିଜ୍ଞାନ ସଂପର୍କରେ ଅନେକ ତଥ୍ଯାବଳୀକୁ ଅବଗତ କରାଇଥିଲେ। ସେ ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ବିଶ୍ୱର ମାତ୍ର ୫ ପ୍ରତିଶତ ପ୍ରାକୃତିକ ବିଜ୍ଞାନକୁ ଏଯାବତ ଆମେ ଜାଣିପାରିଛେ, ଆହୁରି ୯୫ ପ୍ରତିଶତ ଜାଣବା ବାକିରହିଛି। ଏଥିପାଇଁ ଆମକୁ ଭୂତଳ ଓ ଖଣିଜପଦାର୍ଥର ଅଧିକ ଗବେଷଣା ସହ ମହାକାଶ ବିଜ୍ଞାନକୁ ପ୍ରାଧାନ୍ୟ ଦେବାକୁ ହେବ। ଭବିଷ୍ୟତରେ ଅଧିକ ସ୍ପେସ୍ ଷ୍ଟେସନ ଗଠନ ହେବା ନେଇ ମତପୋଷଣ କରିଥିଲେ ଓ ତତ଼ସହିତ “ପୃଥିବୀର ସୁରକ୍ଷା : ଗୋଟିଏ ଗ୍ରହ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ” ର ଆକ୍ଷରିକ ଅର୍ଥ ବୁଝାଇ କହିଥିଲେ। ଏହାପରେ ସୌର ଶକ୍ତିର ସଂରକ୍ଷଣ ତଥା ହାଇଡ୍ରୋଜେନ ସହ ପରମାଣୁ ମିଶ୍ରଣ ଓ ମାଗ୍ନେଟିକ ପ୍ଲାଜମା ସଂପର୍କରେ ଆଲୋକପାତ କରିଥିଲେ। ଶେଷରେ ସୌରପୃଷ୍ଠରେ ଯେଉଁଭଳି ନ୍ୟୁକ୍ଲିୟର ଫ୍ଯୁଜନ ଯୋଗୁଁ ଉଦଜାନ ରୁ ହିଲିୟମ ସୃଷ୍ଟି ହୋଇ ପ୍ରଚୁର ଶକ୍ତି ଉତ୍ପାଦନ ହେଉଛି, ବୈଜ୍ଞାନିକ ମାନେ ଯଦି ସେହି ପ୍ରକ୍ରିୟା ଦ୍ବାରା ଲାବୋରଟୋରୀରେ ପ୍ରଦୁୁଷଣରୋଧୀ ଆଣବିକ ଶକ୍ତି ଉତ୍ପନ୍ନ କରିବାକୁ ସମର୍ଥ ହେବେ, ତେବେ ବିଶ୍ବରେ ଦେଖା ଯାଉଥିବା ଶକ୍ତିସଙ୍କଟକୁ ସବୁଦିନ ଲାଗି ଦୂର କରାଯାଇପାରିବ ବୋଲି ସେ ଆଶାପୋଷଣ କରିଥିଲେ । ଏଥିସହ ଏଗାର ଜଣ ପଦାର୍ଥ ବିଜ୍ଞାନର ବରିଷ୍ଠ ଅଧ୍ୟାପକ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଯୁବ ବୈଜ୍ଞାନିକ ଭାବରେ, ଡ଼କ୍ଟର ସୁଚିସ୍ମିତା ସାହୁ ଓ ଡ଼କ୍ଟର ହମାଦ୍ରୀ ତନୟା ଦାସଙ୍କୁ ସମ୍ମାନୀତ କରାଯାଇଥିଲା। ଦ୍ବିତୀୟ ଦିନର କାର୍ଯ୍ୟକ୍ରମ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ନିମନ୍ତେ ବାଙ୍ଗାଲୁରୁ ସ୍ଥିତ ଏମଏଲଏ କଲେଜର ପ୍ରଫେସର ଏସ. ସାହୁ ଏକ ପ୍ରଧ୍ୟାପନା ଉପସ୍ଥାପନା କରିଥିଲେ। ସାଧାରଣ ଆଲୋଚନା ଅଧିବେଶନରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଆଇଟିଆର)ର ସହଯୋଗୀ ନିର୍ଦ୍ଦେଶକ ଡ଼କ୍ଟର ନିଳାଦ୍ରୀ ରାଏ, ୟୁନିଭର୍ସିଟି ଅଫ ମେରିଲ୍ୟାଣ୍ଡ ସ୍କୁଲ ଅଫ ମେଡିସିନ ର ଡାକ୍ତର ନୃସିଂହ ସି. ବିଶ୍ବାଳ, ବିଏଆରସି, ମୁମ୍ବାଇ ର ବୈଜ୍ଞାନିକ ଡକ୍ଟର ପ୍ରକାଶ ଚନ୍ଦ୍ର ରାଉତ, ଆରଆରସିଏଟି, ଇନ୍ଦୋର ର ବୈଜ୍ଞାନିକ ଡକ୍ଟର ସୂର୍ଯ୍ୟ ପ୍ରକାଶ ରାମ ପ୍ରମୁଖ ପଦାର୍ଥ ବିଜ୍ଞାନ ଓ ସଂପର୍କିତ ବିଷୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଦ୍ବିତୀୟ ଦିନରେ ଅନୁଷ୍ଠିତ ହୋଇଥିବା ସାଧାରଣ ଆଲୋଚନାଚକ୍ର ଗୁଡିକରେ ବିଶ୍ୱବିଦ୍ୟାଳୟର ସଂଯୋଜକ ପ୍ରଫେସର ଏମ ସି ଅଧିକାରୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଆର୍ ପାଇକରାୟ, ଡ଼କ୍ଟର ଜେ କେ ନାୟକ (ଭିଇସିସି) , ଡ଼କ୍ଟର ବି ନାୟକ ( ଏଫଏମୟୁ), ପ୍ରଫେସର ଜି ନାଥ( ଭିଏସଏସୟୁଟି) ଓ ଏଚ୍ ବି ନାୟକ (ଏଫ.ଏମ.ୟୁ) ପ୍ରମୁଖ ଉପସ୍ଥିତ ହୋଇ ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଓଡ଼ିଶା ତଥା ଅନ୍ଯାନ୍ଯ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପଦାର୍ଥ ବିଜ୍ଞାନ ବିଶେଷଜ୍ଞ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ଦ୍ବି-ଦିବସୀୟ ସମ୍ମିଳନୀର ଅଧିବେଶନରେ ଅଂଶବିଶେଷ ହୋଇଥିଲେ। ସଂପୂର୍ଣ୍ଣ ସମ୍ମିଳନୀକୁ ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲା ,ଡ଼କ୍ଟର ଡି କେ ମିଶ୍ର ଓ ଡ଼କ୍ଟର ଆର ବିଶ୍ବାଳ ସଂଯୋଜନା କରିଥିଲେ। ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦ ସମ୍ମୁଖରେ ବାଲିଷ୍ଟିକ୍ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନର ସ୍ବତନ୍ତ୍ର ବ୍ୟବସ୍ଥା ଆୟୋଜିତ ହୋଇଥିବା ବେଳେ, ମିସାଇଲ୍ ଟେକ୍ନୋଲୋଜିର ଯନ୍ତ୍ର ଏବଂ ମଡେଲଗୁଡିକର ପ୍ରଦର୍ଶନୀ ସ୍ନାତକ ପରିଷଦ ସମ୍ମିଳନୀକକ୍ଷ-୨ ରେ କରାଯାଇଥିଲା। ଏଥିରେ ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ବିଶେଷଜ୍ଞ ତଥା ଅଧିକାରୀମାନେ ପ୍ରଦର୍ଶନୀରେ ଉପସ୍ଥିତ ହୋଇ କ୍ଷେପଣାସ୍ତ୍ର ଓ ଅନ୍ଯାନ୍ଯ ପ୍ରତିରକ୍ଷାରେ ନିୟୋଜିତ ଯନ୍ତ୍ରର ବ୍ୟବହାର ବିଷୟରେ ଦର୍ଶକମାନଙ୍କୁ ସୂଚନା ଦେଇଥିଲେ।