ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଲାଖବାହାଳି ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଜାରି ରହିଥିବା ବେଲେ ବୁଧବାର ଲାଖବାହାଳି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ଗଣ୍ଡଗୋଳ ହେବା ଆଶଙ୍କା ନେଇ ପ୍ରଥମ ଥରପାଇଁ ପୋଲିସ ଫୋର୍ସ ମୂତୟନ ହୋଇଥିଲା ଓ କଡ଼ା ସୁରକ୍ଷା ବଳ ଭିତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲାଖବାହାଲି ସରପଞ୍ଚ ପଦ୍ମିନୀ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ମୁଖ୍ୟ ଅତିଥିଭାବରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ରାଜ୍ୟସରକାରଙ୍କର ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଜନସଚେତନତା ସୃଷ୍ଟି କରିଥିଲେ। ବିଶିଷ୍ଟ ଅତିଥିଭାବେ ଜୋନ-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ତହସିଦାର ତଥା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିରଣ କୁମାର ମହାନ୍ତି ଯୋଗଦେଇ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ମାର୍ଗଦର୍ଶନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ରମ୍, ପୂର୍ବତନ ସରପଞ୍ଚ ରାମତୁ ମାଝୀ, ସମିତି ସଭ୍ୟା ପାର୍ବତୀ ମାଝୀ, ନାଏବ ସରପଞ୍ଚ ପତି ମାଝୀ, ପୂର୍ବତନ ସମିତି ସଭ୍ୟ ଶ୍ରୀରାମ ସାହୁ, ବିଜେପୁର ଥାନାଧିକାରୀ ରଘୁନାଥ ମାଝୀ, ଲାଞ୍ଜିଗଡ ଥାନା ଅଧିକାରୀ ବିଜୟ ଲକ୍ଷ୍ମୀ ହିକକା, ବିଶ୍ୱନାଥପୁର ଥାନା ଅଧିକାରୀ ମମତା ହେମ୍ରମ, ସମାଜସେବୀ ହରିଶଙ୍କର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଗ୍ରାମରୋଜଗାର ସେବକ ଫକୀର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚରେ ସମସ୍ତ ଉପସ୍ଥିତ ଅତିଥି ବୃନ୍ଦ ରାଜ୍ୟସରକାରଙ୍କ ଜନନୀ ସୁରକ୍ଷା ଯୋଜନାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା, ଜଗନ୍ନାଥ ସଂସ୍କୃତିକରୁ ଆରମ୍ଭ କରି କୃଷି କ୍ଷେତ୍ରର ବିକାଶ ଉପରେ ସଚେତନତା ବାର୍ତା ପ୍ରଦାନ କରିଥିଲେ। ଏଥିରେ ଏମବିକେ, ସିଆରପି, ଗାଁସାଥି, ୱାଡ଼ ସଭ୍ୟ/ସଭ୍ୟାଙ୍କ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ।