ଶ୍ରୀମଦ୍ଭାଗବତ ମହାପୁରାଣ ପ୍ରଥମସ୍କନ୍ଧ ସାରଗର୍ଭକ ପୁନଃ ଆଲୋଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର, ବାଲେଶ୍ଵର, ଓଡିଶା ତରଫରୁ ଶ୍ରୀମଦ୍ଭାଗବତ ମହାପୁରାଣ ବିସ୍ତୃତ ବ୍ୟାଖ୍ୟା ସହ ସତସଙ୍ଗ କାର୍ଯ୍ୟକ୍ରମ ବୁଧବାର ଓ ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଛି। ବହୁ ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ ,ଦେବେନ୍ଦ୍ର କୁମାର ନାଏକ ସଭାପତିତ୍ୱରେ ଶ୍ରୀମଦ୍ଭାଗବତ ମହାପୁରାଣ,ପ୍ରଥମସ୍କନ୍ଧର ସମସ୍ତ ଅଧ୍ୟାୟ ବିଗତ ଦୁଇ ଦିନ ଧରି ବିସ୍ତୃତ ଭାବରେ ଆଲୋଚନା ହୋଇଯାଇଛି । ପ୍ରଥମ ଦିବସର ସାୟଂକାଳର ପ୍ରାରମ୍ଭରେ ଶ୍ରୀମତୀ ବିଷ୍ଣୁପ୍ରିୟା ପଣ୍ଡା ମହୋଦୟା ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ବେଳେ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତ ସତସଙ୍ଗୀମାନଙ୍କୁ ଶୁଭେଚ୍ଛା ଓ ସ୍ବାଗତ କରିବା ସହ କଥାବ୍ୟାସ ଦ୍ବୟଙ୍କ ପରିଚୟ ରଖିଥିଲେ । ଶ୍ରୀଯୁକ୍ତ ରତିନାରାୟଣ ରାଉତ ମହୋଦୟ ପୌରୋହିତ୍ୟ ଆସନରେ ଆସୀନ ହୋଇ ଆକାଶୀୟ ମଞ୍ଚକୁ ସର୍ବପ୍ରଥମେ କଥାବ୍ୟାସ ଡ଼ ପ୍ରଦୀପ୍ତ କୁମାର ମିଶ୍ର ମହୋଦୟଙ୍କୁ ଏବଂ ଦ୍ବିତୀୟ ଦିନ ସତସଙ୍ଗରେ କଥାବାଚକ ପଣ୍ଡିତ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ମହୋଦୟଙ୍କୁ ସଭକ୍ତିକ ପାଛୋଟି ଆଣି ଭାଗବତର ଦଶଟି ଅଧ୍ୟାୟର ତାତ୍ତ୍ବିକ କଥା ଆଲୋଚନା କରିବା ପାଇଁ ନିବେଦନ କରିଥିଲେ । ବିଶିଷ୍ଟ ପ୍ରବାଚକ ଡ଼ ମିଶ୍ର ମହୋଦୟ ପ୍ରଥମ ଅଧ୍ୟାୟରୁ ପଞ୍ଚମ ଅଧ୍ୟାୟ ଏବଂ ବିଶିଷ୍ଟ କଥାବାଚକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ଷଷ୍ଠ ଅଧ୍ୟାୟରୁ ଦଶମ ଅଧ୍ୟାୟ ପର୍ଯ୍ୟନ୍ତ ଆଲୋଚନା କରିଥିଲଦ୍ବିତୀୟ ଦିବସର ସାୟଂକାଳରେ ଗବେଷକ ଡ଼ ନିରଞ୍ଜନ ସାହୁ ମହୋଦୟ ଏବଂ କଥାବ୍ୟାସ ପଣ୍ଡିତ ଶ୍ୟାମସୁନ୍ଦର ଦାଶ ମହୋଦୟ ଏକାଦଶ ଅଧ୍ୟାୟରୁ ଊନବିଂଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀମଦ୍ଭାଗବତମହାପୁରାଣ ଉପରେ ଦୀକ୍ଷାନ୍ତ ଆଲୋଚନା କରିଥିଲେ ।

ସକଳଶାସ୍ତ୍ର ଫଳ ହେଉଛି ଶ୍ରୀମଦ୍ଭାଗବତମହାପୁରାଣ ।ଭାଗବତର ମଧୁରସକୁ ସମସ୍ତେ ଆସ୍ବାଦନ କରିବା ଉଚିତ ।ତଦ୍ବାରା ଦିବ୍ୟଜ୍ଞାନ ପ୍ରାପ୍ତ ହୋଇ ପାରିବେ । ସମସ୍ତ ଦେବଙ୍କ ରମ୍ୟସ୍ଥାନ ହେଉଛି ନୈମିଷାରଣ୍ୟ । ତିନି ଯୁଗର ଅବସାନ ପରେ ଯେତେବେଳେ ଧର୍ମରାଜ ଯୁଧିଷ୍ଠିର ସ୍ଵର୍ଗାରୋହଣ କରିଛନ୍ତି ଏବଂ ପରୀକ୍ଷିତ ମହାରାଜାଙ୍କ ହସ୍ତରେ ରାଜ୍ୟଭାର ସମର୍ପି ଦେଇ ,ଉପରୋକ୍ତ ସମୟରେ କଳିର ପ୍ରବେଶ ହୋଇଛନ୍ତି । କଳିକଳ୍ମୂଷରୁ ମୁକ୍ତି ପାଇଁ ଶୌନକ ଆଦି ମୁନିଗଣ ସୁତମୁନିଙ୍କୁ ନିରାକରଣ ସମ୍ବନ୍ଧରେ ପ୍ରଶ୍ନ ପଚାରିଛନ୍ତି । ମୁନିଗଣ କହୁଛନ୍ତି ହେ ପୂଜ୍ୟ ଗୁରୁଦେବ ! ଆପଣ ତ ବ୍ୟାସଦେବଙ୍କ ଶିଷ୍ୟ, ବେଦବିତ୍ ,ସେ ତୁମକୁ ସକଳ ଶାସ୍ତ୍ର ଜ୍ଞାନ ପ୍ରଦାନ କରି ଜ୍ଞାନୀ କରି ଦେଇଛନ୍ତି । କାରଣ ଗୁରୁଙ୍କୁ ସେବା ପୂଜା କରି ଜଣେ ଉତ୍ତମ ଶିଷ୍ୟ ଭାବରେ ଗୁରୁଙ୍କ ପ୍ରଦତ୍ତ ସମସ୍ତ ଶିକ୍ଷାକୁ ଆୟତ୍ତ କରିଛନ୍ତି ଆପଣ । ଦୟାପୂର୍ବକ ଆମ୍ଭକୁ କୁହନ୍ତୁ ଯେ ଏ କଳିଯୁଗରେ ମଣିଷର ବିଚିତ୍ର ବ୍ୟବହାର, ଗୁଣ କର୍ମ ଇତ୍ୟାଦି ।ଏ ସମୟରେ ମଣିଷ କିଭଳି ମାୟାରୁ ଦୂରେଇ ଯାଇ ହରି ଶରଣାର୍ଥୀ ହୋଇ ପାରିବ ସେ ଉପାୟ ଆମକୁ କୁହନ୍ତୁ । ସୁତମୁନି ସେହି ଠାରୁ ଆରମ୍ଭ କରିଛନ୍ତି ୮୪ ହଜାର ମୁନିମାନଙ୍କ ସମକ୍ଷରେ ଶ୍ରୀମଦ୍ଭାଗବତମହାପୁରାଣ କଥା । ଛଅଟି ପ୍ରଶ୍ନର ଉତ୍ତରରେ ସୁତ କଥା ଆରମ୍ଭ କରିଛନ୍ତି ,ଭଗବାନଙ୍କର ଚବିଶ ଅବତାର ବର୍ଣ୍ଣନା, ବେଦର ବିଭାଗୀକରଣ,ସର୍ବଶାସ୍ତ୍ର ରଚନା ପରେ ବ୍ୟାସ ସନ୍ତୋଷ ହୋଇ ନାହାଁନ୍ତି ଯେଣୁ ନାରଦ ମହର୍ଷିଙ୍କ ପରାମର୍ଶରେ ୧୮୦୦୦ ଶ୍ଲୋକ ସମ୍ବଳିତ ଭାଗବତ ରଚନା, ନାରଦଙ୍କ ପୂର୍ବ ଜନ୍ମ କଥା,ନାରଦଙ୍କ ଭାକ୍ତିକ ପ୍ରସଙ୍ଗ,ଅବିଦ୍ୟା ଅନର୍ଥର କାରଣ, ଆଦର୍ଶ ଚରିତ୍ର ଯାଜ୍ଞସେନୀ,ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରକା ଗମନ,କୁନ୍ତୀ ସ୍ତବ,କାମ୍ୟ କର୍ମ,ନିଷ୍କାମ କର୍ମ,ଭୀଷ୍ମଙ୍କର ମହାପ୍ରୟାଣ, ନବଧା ଭକ୍ତି ପ୍ରସଙ୍ଗ, ସାମାଜିକ ଶୃଙ୍ଖଳା ପାଇଁ ନୈତିକ ଉପଦେଶ, ଅପାଣ୍ଡବା ଧରାର ଶପଥ ଦ୍ରୋଣ କୁମର ଅଶ୍ବତ୍ଥାମାଙ୍କର,ଯଦୁବଂଶ ବିନାଶର କାରଣ,ମାଣ୍ଡବ୍ୟ ଋଷି ଉପାଖ୍ୟାନ, ଦ୍ବାରକାରେ ଦୀର୍ଘ ସମୟ ଅର୍ଜୁନଙ୍କ ରହଣୀ ସମୟରେ ଯୁଧିଷ୍ଠିରଙ୍କର ଶଙ୍କା ପ୍ରକଟ,ବିଭିନ୍ନ ସ୍ଥାନରେ ଅଶୁଭ, ଅଘଟଣ ସୂଚକ ଦୃଶ୍ୟ,ଭଗବାନଙ୍କ ଅପ୍ରକଟ ଆଶଙ୍କା ଯୁଧିଷ୍ଠିରଙ୍କୁ,ପରୀକ୍ଷିତ ଜନ୍ମ ପ୍ରସଙ୍ଗ,ବନବାସ ସମୟରେ ଦୁର୍ବାସାଙ୍କ ଆଗମନ, ଅକ୍ଷୟ ପାତ୍ର ବର୍ଣ୍ଣନା, କୁରୁସଭାରେ ଦ୍ରୌପଦୀଙ୍କୁ ବସ୍ତ୍ରାବତାରରେ ରକ୍ଷା, ଇନ୍ଦ୍ରିୟ ମେଧ ଯଜ୍ଞ, ଶରୀର ପବିତ୍ର ହେବାର ଯଜ୍ଞ, ମନକୁ ଆୟତ୍ତ କରିବାର ଯଜ୍ଞ,ଭଗବତ୍ ଯଜ୍ଞ, କଳିର ପ୍ରବେଶ,ପରୀକ୍ଷିତ ଅଭିଶପ୍ତ,ଅଭିଶାପରୁ ମୁକ୍ତି, ପରୀକ୍ଷିତଙ୍କ ଦୁଇଟି ପ୍ରଶ୍ନ ,ମୈତ୍ରେୟ ବିଦୁର ପ୍ରସଙ୍ଗ,ବ୍ରହ୍ମବିଦ୍ୟା ପ୍ରାପ୍ତି ,ପରମାର୍ଥ ସାଧନରେ କଳି ବାଧକ ଇତ୍ୟାଦି ଅନେକ ପ୍ରସଙ୍ଗ ଉପରେ ବିଶିଷ୍ଟ ପ୍ରବାଚକ ଚାରିଜଣ ଦୁଇ ଦିବସରେ ଖୁବ ସୁନ୍ଦର ଭାବରେ ଆଲୋଚନା କରି ସବୁରି ହୃଦୟ ଜିଣି ଯାଇଥିଲେ । ଉକ୍ତ ଦୁଇ ଦିନର ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୧୫୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଶ୍ରୀମଦ୍ଭାଗବତପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର ଦୁଇ ଦିନର ସତସଙ୍ଗରେ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ସହଯୋଗ କରିଥିବା ଦେବେନ୍ଦ୍ର କୁମାର ନାଏକ,ପ୍ରଫୁଲ୍ଲ କୁମାର ଦାସ, ଅର୍ଜୁନ କୁମାର ସାମଲ, ବିଷ୍ଣୁପ୍ରିୟା ପଣ୍ଡା, ରାଜେଶ୍ବରୀ ନନ୍ଦ,, ରୀତା ଅପରାଜିତା ମହାନ୍ତି, ବିନୋଦିନୀ ଦାଶ, ରତିନାରାୟଣ ରାଉତଙ୍କ ସମେତ ଅନ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ସମ୍ପାଦିକା ପ୍ରଣତି ମହାପାତ୍ର। ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରିବା ସହ କାର୍ଯ୍ୟକାରୀ ଉପଦେଷ୍ଟା ଅର୍ଜୁନ କୁମାର ସାମଲ ସଭାର ବିରତି ଆସନ୍ତା ବୁଧବାର ପର୍ଯ୍ୟନ୍ତ ଘୋଷଣା କରି ସଭା ସାଙ୍ଗ ପାଇଁ ଉଦଘୋଷଣା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.