ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ: ପୃଥିବୀ ମାତାଙ୍କ ଜନ୍ମକଥା

ପ୍ରାଚୀନ କାଳର କଥା। ସେତେବେଳେ ଏ ସମସ୍ତ ଜଗତ ଜଳମଗ୍ନ ହୋଇ ରହିଥାଏ। ସେହି ପ୍ରଳୟ ଜଳରେ ଭଗବାନ୍ ବିଷ୍ଣୁ, ଅନନ୍ତ ଶଯ୍ୟାରେ ଶୟନ କରିଥାନ୍ତି। ବିଷ୍ଣୁଙ୍କ କର୍ଣ୍ଣମୂଳ ମଳରୁ ଦୁଇଟି ଦାନବ ଜନ୍ମ ହେଲେ, ମଧୁ ଓ କୈଟଭ। ସମୟକ୍ରମେ ମଧୁ ଓ କୈଟଭ ଦାନବଦ୍ବୟ ଖୁବ୍ ଦୁର୍ଦ୍ଧାନ୍ତ ଓ ବଳଶାଳୀ ହୋଇ ପଡ଼ିଲେ। ଦିନେ ଅଗାଧ ଜଳରେ ସେମାନେ କ୍ରୀଡ଼ା କରୁଥିବାବେଳେ କହିଲେ ଏହି ଜଳ କୁଆଡୁ ଆସିଲା,ଏହାକୁ ସୃଷ୍ଟିକଲା କିଏ, ଆମକୁ ସୃଷ୍ଟିକଲା କିଏ? ଏ ଜଳ ମଧ୍ୟରେ ନିଶ୍ଚୟ କୌଣସି ଶକ୍ତି ଅଛି ଓ ସେହି ଶକ୍ତି ଆମକୁ ସୃଷ୍ଟି କରିଛି। ସେହି ଶକ୍ତିକୁ ଚାଲ ଅନୁସନ୍ଧାନ କରିବା। ସେମାନେ ଏପରି ଭାବୁ ଥିବା ସମୟରେ ଅନ୍ତରୀକ୍ଷରୁ “ବାଗବୀଜ” ବୋଲି ଗୋଟିଏ ଶବ୍ଦ ଶୁଣିବାକୁ ମିଳିଲା। ସେମାନେ ସେହି ଧ୍ୱନୀକୁ ବାରମ୍ବାର ଉଚ୍ଚାରଣ କରିବାରେ ଲାଗିଲେ। ଏପରି ପ୍ରାୟ ଏକ ହଜାର ବର୍ଷ ବିତି ଗଲା। ସେହି ଧ୍ଵନୀ ଥିଲା ମାଆ ମହାମାୟାଙ୍କ ବୀଜମନ୍ତ୍ର। ଦିନେ ସେମାନେ ଜଳରେ ବିଚରଣ କରୁଥାନ୍ତି ଏହି ସମୟରେ ଆକାଶରୁ ସେମାନେ ଗୋଟିଏ ନାରୀର କଣ୍ଠସ୍ବର ଶୁଣିଲେ, ହେ ଦୈତ୍ୟଦ୍ୱୟ! ତୁମ ମାନଙ୍କ ପ୍ରାର୍ଥନାରେ ମୁଁ ସନ୍ତୁଷ୍ଟ ହୋଇଛି। ତୁମେ ମୋତେ କି ବରମାଗୁଛ ମାଗ। ମଧୁ କୈଟଭ କହିଲେ, ମାଆ! ଆପଣ ଆମକୁ ଇଚ୍ଛାମୃତ୍ୟୁର ବର ପ୍ରଦାନ କରନ୍ତୁ। ସେହି କଣ୍ଠସ୍ୱର ପୁଣି କହିଲା, ରେ ଦାନବ! ତୁମର ମୃତ୍ୟୁ ତୁମର ଇଚ୍ଛାଧୀନ ହେବ ନାହିଁ। ମୁଁ ଚାହିଁଲେ ଯାଇ ତୁମର ମୃତ୍ୟୁ ହେବ। ତେବେ ମୁଁ ତୁମକୁ ବର ଦେଉଛି, ଦେବ ବା ଦାନବ କେହି ତୁମକୁ ପରାଜିତ କରି ପାରିବେନାହିଁ। ମାଆଙ୍କ ସେହି ବରକୁ ଅମର ବର ମଣି ଦୈତ୍ୟ ଦ୍ବୟ ଆନନ୍ଦିତ ହେଲେ। କିଛିଦିନ ପରେ, ଦୈତ୍ୟ ଦ୍ୱୟ ଦିନେ ଜଳରେ ଘୁରି ବୁଲୁଥିଲା ବେଳେ ତାଙ୍କ ଦୃଷ୍ଟି ପଡ଼ିଲା କମଳ ପୁଷ୍ପ ଉପରେ ବିରାଜମାନ କରିଥିବା, ବ୍ରହ୍ମାଙ୍କ ଉପରେ। ବ୍ରହ୍ମା ଭଗଵାନ ବିଷ୍ଣୁଙ୍କ ନାଭି କମଳରୁ ଜନ୍ମ ହୋଇ କମଳ ପୁଷ୍ପ ଉପରେ ବସି ସୃଷ୍ଟି ସର୍ଜନା ପାଇଁ ଚକ୍ଷୁ ମୁଦ୍ରିତକରି ଭଗବାନ ବିଷ୍ଣୁଙ୍କ ଧ୍ୟାନରେ ବସିଥିଲେ। ପୂର୍ବରୁ କୌଣସି ଜୀବଙ୍କୁ ଦେଖି ନଥିବା ଅସୁରଦ୍ବୟ ବ୍ରହ୍ମାଙ୍କୁ ଦେଖିବାମାତ୍ରେ ତାଙ୍କୁ କହିଲେ, ଆସ ଆମ ସହିତ ଯୁଦ୍ଧକର,ଏମିତି ଆଖି ବୁଜି ବସିଛ କଅଣ। ଵେଦପତି ଖୁବ ଭୟଭୀତହୋଇ ଅନନ୍ତ ଶଯ୍ୟାରେ ଯୋଗନିଦ୍ରାରେ ଶୟନ କରିଥିବା ଭଗବାନ ବିଷ୍ଣୁଙ୍କୁ ସ୍ତୁତି କରିବାକୁ ଲାଗିଲେ। ମାତ୍ର ବ୍ରହ୍ମା ଯେତେ ସ୍ତୁତି କଲେ ମଧ୍ୟ ତାଙ୍କ ଯୋଗ ନିଦ୍ରା ଭଙ୍ଗ ହେଲା ନାହିଁ। ବ୍ରହ୍ମା ତାଙ୍କୁ ଜାଗ୍ରତ କରାଇବା ପାଇଁ ଶେଷକୁ ମାଆ ଯୋଗନିଦ୍ରାଙ୍କୁ ସ୍ତୁତି କଲେ। ବ୍ରହ୍ମାଙ୍କ ସ୍ତୁତିରେ ଦେବୀ ମହାମାୟା ସନ୍ତୁଷ୍ଟ ହୋଇ ବିଷ୍ଣୁଙ୍କ ଉପରୁ ତାଙ୍କ ମାୟା ଉଠାଇ ନେବାରୁ ବିଷ୍ଣୁ ଜାଗ୍ରତ ହେଲେ। ଭଗବାନ ସମ୍ମୁଖରେ ଯୋଡ଼ହସ୍ତ ବ୍ରହ୍ମାଙ୍କୁ ଦେଖି କହିଲେ, ପଦ୍ମଯୋନି! ଆପଣ ଜପ ତପ ଛାଡ଼ି ଏପରି ଭୟଭୀତହୋଇ ଏଠାରେ ଛିଡ଼ା ହୋଇଛନ୍ତି କାହିଁକି? ବ୍ରହ୍ମା ତାଙ୍କୁ ସମସ୍ତ କଥା କହି ଦୈତ୍ୟଙ୍କ କବଳରୁ ରକ୍ଷା କରନ୍ତୁ ବୋଲି କହିଲେ। ବିଷ୍ଣୁ ତାଙ୍କୁ ଅଭୟ ଦେଇ କହିଲେ, ଆପଣ ଆଦୌ ଭୟ କରନ୍ତୁ ନାହିଁ। ଆପଣ ଏଠାରେ ନିରାପଦରେ ଅବସ୍ଥାନ କରନ୍ତୁ। ଦୈତ୍ୟଦ୍ୱୟ ଆପଣଙ୍କୁ ଆକ୍ରମଣ କରିବାକୁ ଆସିଲେ, ମୁଁ ତାଙ୍କୁ ଏଇଠି ବଧ କରିବି ସେମାନେ କିଛି କରିପାରିବେ ନାହିଁ।ବ୍ରହ୍ମାଙ୍କୁ ଅନୁସରଣ କରି, ମଧୁ କୈଟଭ ସେଠାରେ ଆସି ପହଞ୍ଚି କହିଲେ, ଆରେ ତୁ ଆମ ସହିତ ଯୁଦ୍ଧ ନକରି ଏଠାକୁ ପଳାଇ ଆସିଛୁ। ଏ କ’ଣ ତୋତେ ରକ୍ଷାକରିବ। ଆମେ ଆଗେ ତୋତେ ବଧ କରିବୁ। ତାପରେ ତା କଥା। ଯଦି ତୁ ଆମସହ ଯୁଦ୍ଧ ନକରି ପାରୁ ତେବେ ଆମ ଶରଣ ପଶ। ବିଷ୍ଣୁ ରାକ୍ଷସ ଦୁହିଁଙ୍କ ଆହ୍ବାନ ଶୁଣି କହିଲେ, ତୁମେ ଦୁହେଁ ଅତୀବ ବଳଶାଳୀ ଜଣାପଡୁଛ। ହେ ବୀର ! ଯଦି ତୁମର ଯୁଦ୍ଧ କରିବାକୁ ଇଚ୍ଛା, ତୁମେ ମୋ ସହ ଯୁଦ୍ଧକରି ତୁମର ଅଭିଳାଷ ପୂର୍ଣ୍ଣ କର। ଏଥିରେ ମଧୁ ଓ କୈଟଭ ସମ୍ମତ ହେଲେ। ବିଷ୍ଣୁଙ୍କ ସହ ତାଙ୍କର ଭୟଂକର ବାହୁ ଯୁଦ୍ଧ ଆରମ୍ଭ ହୋଇ ଗଲା। ଏହି ଯୁଦ୍ଧ ପାଞ୍ଚହଜାର ବର୍ଷ ଧରି ଚାଲିଲା। ବିଷ୍ଣୁ ଦୈତ୍ୟଙ୍କ ସହ ଯୁଦ୍ଧ କରି କରି ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ି ଭାବିଲେ,ଏମାନେ ଧୈର୍ଯ୍ୟର ସହ ଯୁଦ୍ଧ କରୁଛନ୍ତି, ଅଥଚ ମୁଁ କାହିଁକି କ୍ଳାନ୍ତ ହୋଇ ପଡ଼ୁଛି। ବିଷ୍ଣୁ ରାକ୍ଷସ ଦୁହିଁଙ୍କୁ କହିଲେ, ଆରେ! ତୁମେ ଦୁଇ ଜଣ ମୋସହ ଲଢେ଼ଇ କରୁଛ, ମୁଁ ଏକା ଏକା ତୁମ ସହ ଲଢ଼ି, ଥକି ପଡିଲିଣି। ମୋର ଟିକିଏ ବିଶ୍ରାମ ଆବଶ୍ୟକ। ମୋତେ ଟିକିଏ ବିଶ୍ରାମ ଦିଅ। ଦୈତ୍ୟ ମଧୁ ଓ କୈଟଭ ଏଥିରେ ସମ୍ମତ ହେଲେ। ବିଷ୍ଣୁ ବିଶ୍ରାମ ନେଉଥିଲା ବେଳେ, ଦୈତ୍ୟ ଦ୍ୱୟଙ୍କୁ ଅଭୟ ଦେଇଥିବା ମା’ ଭଗବତୀଙ୍କୁ ଧ୍ୟାନ କଲେ। ମାଆ ପ୍ରସନ୍ନହୋଇ କହିଲେ, ହେ ବିଷ୍ଣୁ ! ଜଗତର ମଙ୍ଗଳପାଇଁ ମୁଁ ମାୟା ବିସ୍ତାରକରି ଏହି ରାକ୍ଷସଙ୍କୁ ମୋହିତ କରିଦେବି। ସେହି ସମୟରେ ରାକ୍ଷସଙ୍କୁ ତୁମେ ନିଧନ କରିବ। ତୁମେ ପୁନଃ ଯୁଦ୍ଧକର। ପୁଣି ବିଷ୍ଣୁଙ୍କସହ ରାକ୍ଷସଙ୍କର ପ୍ରବଳ ଯୁଦ୍ଧ ଆରମ୍ଭ ହୋଇଗଲା। ଏହି ସମୟରେ, ମୋହିନୀ ରୂପରେ ମହାଦେବୀ, ରାକ୍ଷସ ଦ୍ବୟଙ୍କୁ ମୋହିତ କରି ନିର୍ବଳ କରିଦେଲେ। ସେମାନେ ଆଉ ଯୁଦ୍ଧକରି ପାରିଲେ ନାହିଁ। ଏତିକିବେଳେ ଭଗବାନ୍ ବିଷ୍ଣୁ କହିଲେ, ହେ ମହାବୀର ! ମୁଁ ତୁମ ସହ ଯୁଦ୍ଧ କରି ଅତ୍ୟନ୍ତ ପ୍ରୀତ ହୋଇଛି। ତୁମେ ମୋତେ କି ବର ମାଗୁଛ, ମାଗ। ମାୟାମୋହିତ ରାକ୍ଷସ କହିଲେ, ତୁମେ ଆମକୁ କି ବର ଦେବ ହେ। ବରଂ ତୁମେ ଆମକୁ ବର ମାଗ। ବିଷ୍ଣୁ କହିଲେ, ହେଉ! ତା ହେଲେ ତୁମେ ମୋତେ ଏହି ବର ଦିଅ, ତୁମେ ମୋ’ ହାତରେ ମୃତ ହେବ। ମଧୁ କୈଟଭ ଦୁଇଭାଇ ନିଜ ଜାଲରେ ନିଜେ ଛନ୍ଦି ହୋଇ ପଡ଼ିଲେ। ଚତୁର୍ଦ୍ଦିଗରେ ଅନନ୍ତ ଜଳରାଶିକୁ ଚାହିଁ, ସେମାନେ ଟିକିଏ ଚିନ୍ତାକରି, କହିଲେ, ଠିକ୍ ଅଛି! ଆମକୁ କୌଣସି ଏକ ଜଳଶୁନ୍ୟ ଯାଗାରେ ପକେଇ ମାରି ପାରିବ ତ ଦେଖ। ସେମାନେ ଭାବି ଥିଲେ ଚାରିଆଡ଼େ ତ ଜଳ। ଜଳଶୁନ୍ୟ ଯାଗା ଅଛି ଯେ ଇଏ ଆମକୁ ପକାଇ ମାରିବ। ଭଗବାନ ବିଷ୍ଣୁ ଆଉ କାଳବିଳମ୍ୱ ନକରି ସୁଦର୍ଶନ ଚକ୍ରକୁ ସ୍ମରଣ ପୂର୍ବକ ନିଜର ଜାନୁକୁ ଚାରି ହଜାର କ୍ରୋଶ ଯାଏ ବିସ୍ତାର କଲେ। ବିଷ୍ଣୁ ଦୈତ୍ୟ ଦ୍ୱୟଙ୍କୁ କହିଲେ, ଦେଖ ସମ୍ପୂର୍ଣ୍ଣରୂପେ ଏ ଜଳଶୂନ୍ୟ ସ୍ଥାନ। ତୁମ ମସ୍ତକକୁ ଏଠାରେ ରଖ। ମଧୁକୈଟଭ ବିସ୍ମିତ ହୋଇ ତାଙ୍କ ଶିରକୁ ରଖି ଦେଲେ। ଭଗଵାନ ବିଷ୍ଣୁ ତତ୍କ୍ଷଣାତ୍ ସୁଦର୍ଶନ ଚକ୍ରରେ ରାକ୍ଷସ ଦ୍ୱୟଙ୍କ ମସ୍ତକ ଛେଦନକଲେ। ବ୍ରହ୍ମା ରକ୍ଷା ପାଇଗଲେ। ଦେବୀଙ୍କ ମଧୁ କୈଟଭଙ୍କୁ ବର ମଧ୍ୟ ସଫଳ ହେଲା। ବିଶାଳ ଶରୀର ଧାରୀ ସେହି ଦୈତ୍ୟଦ୍ବୟଙ୍କ ମେଦ, ମଜ୍ଜା ଓ ରୁଧିରରେ ବିସ୍ତୃତ ଜଳ ଭାଗର କେତେକ ଅଂଶ ପୁରି ଉଠିଲା। ମେଦରୁ ସୃଷ୍ଟ, ସେହି ଅଂଶକୁ ମେଦିନୀ କୁହାଗଲା। ରାଜା ପୃଥୁଙ୍କ ନାମାନୁସାରେ ତାହା ପୁଣି ପୃଥିବୀ ବୋଲି ପରିଚିତ ହେଲା। ରାଜା ପୃଥୁ, ଗାଭୀ ରୂପୀ, ଧରଣୀଙ୍କୁ ଦୋହନ କରି ଥିଲେ ବୋଲି ପୌରାଣିକ କାହାଣୀ ରହିଛି। ନୈମିଷାରଣ୍ୟରେ ସମବେତ ୠଷିମୁନିମାନଙ୍କୁ ସୂତ ମୁନି ଶ୍ରୀମଦ ଦେବୀ ଭାଗବତରେ ମାଆ ପରାଶକ୍ତି ମହାମାୟାଙ୍କ ଲୀଳାକଥା ଶୁଣାଇ ମେଦିନୀ ସୃଷ୍ଟିର ଏହି ସୁନ୍ଦର କାହାଣୀ କହିଥିଲେ।

ଅର୍ଜୁନୀ ଚରଣ ବେହେରା
ମୋ: 7693091971
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.