ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ। ଏହା ତିନିଦିନ ଧରି ପାଳନ କରାଯାଇଥାଏ। ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। ଗତକାଲି ପହିଲି ରଜ ସରିଥିବା ବେଳେ ଆଜି ଶନିବାର ହେଉଛି ରଜର ଦ୍ୱିତୀୟ ଦିନ ମାନେ ଆଜି ହେଉଛି ରଜ ସଂକ୍ରନ୍ତି। ତେବେ ଏହାରି ଭିତରେ କଳାହାଣ୍ଡି ଜିଲ୍ଲାର ଗାଁ ଠାରୁ ସହର ଚାରି ଆଡେ ରଜର ମାହୋଲ ଦେଖାଦେଇଛି। କୁମାରୀ ମାନେ ପାଦରେ ଅଳତା ହାତରେ ମେହେନ୍ଦୀ ଲଗାଇ ନୂଆ ବସ୍ତ୍ର ପିନ୍ଧି ବନାଇଛନ୍ତି ରଜ। ପହିଲି ରଜ ପରେ ଆସିଛି ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି। ଆଜିଠାରୁ ମିଥୁନ ମାସ ଆରମ୍ଭ ହୋଇଥାଏ। ଆଜି ସଂକ୍ରାନ୍ତି ଅବସରରେ ସକାଳୁ ସକାଳୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମନ୍ଦିରରେ ଭିଡ ଜମିଥିବା ଦେଖିବାକୁ ମିଳିଛି। ଦେବା ଦେବୀଙ୍କ ପୀଠ ଦର୍ଶନ କରି ରଜର ଦ୍ବିତୀୟ ଦିନ ଆରମ୍ଭ କରିଛନ୍ତି ଅଞ୍ଚଳବାସୀ। ବିଭିନ୍ନ ଯାଗାରେ ପ୍ରଥମ ଦିନ ପରି ଦ୍ବିତୀୟ ଦିନରେ ମଧ୍ୟ ସଜେଇ ହୋଇ ଦୋଳିରେ ଝୁଲୁଛନ୍ତି ଯୁବତୀ। ରଜ ଗୀତରେ କମ୍ପୁଛି ଗାଁ। କୃଷିଭିତ୍ତିକ ପର୍ବ ରଜକୁ ନେଇ ଉତ୍ସବ ମୁଖର ଗାଁଠୁ ସହର। ସକାଳୁ ସନ୍ଧ୍ୟା ଯାଏ ସବୁଠି ଚାଲିଛି ରଜ ମଉଜ। ଘରେ ଘରେ ମହକୁଛି ପିଠାର ବାସ୍ନା। ରଜର ଦ୍ବିତୀୟ ଦିନରେ ନୂଆ ଜାମା ପିନ୍ଧି ତରୁଣୀ ମାନେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିବା ପରେ ଏକାଠି ହୋଇ ଘରେ ଘରେ ବୁଲି ପିଠା ଖାଇବା ସହ ଦୋଳି ଖେଳି ରଜ ପାଳୁଛନ୍ତି। ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପାଳନ ହେଉଛି ରଜ ପର୍ବ।