ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସାରା ଓଡିଶା ବାସୀ ଆଜି ଦିନଟିର ମହତ୍ୱ ବିଷୟରେ ବେଶ ଭଲ ଭାବରେ ଅବଗତ। ଜଗତର ନାଥ ଜଗନ୍ନାଥ ଭାଇ ଭଉଣୀ ଓ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ଆଜି ରତ୍ନ ସିଂହାସନରୁ ଆସି ସ୍ନାନ ମଣ୍ଡପରେ ସ୍ନାନ କରିବା ସହ ଭକ୍ତଗଣଙ୍କୁ ଖୋଲାରେ ଦର୍ଶନ ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ନର୍ଲା ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ସକାଳୁ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଥିଲା। ନର୍ଲା ମନ୍ଦିରର ମୁଖ୍ୟ ପୂଜକ ନାରାୟଣ ପଣ୍ଡା ବଡି ଭୋରରୁ ତିନିଠାକୁରଙ୍କ ମଙ୍ଗଳ ଆଳତି ସମାପନ କରିବା ପରେ ବାଳ ଭୋଗ ଅର୍ପଣ କରିଥିଲେ ଶ୍ରୀ ଜୀଉ ମାନଙ୍କୁ। ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପହଣ୍ଡି ବିଜେକରି ସ୍ନାନ ମଣ୍ଡପକୁ ଯାଇଥିଲେ ଚତୁର୍ଦ୍ଧା ମୂର୍ତ୍ତି। ମଧ୍ୟାହ୍ନ ୧୨.୨୧ ସମୟରେ ମୁଖ୍ୟ ପୂଜକଙ୍କ ସହ ପୂଜକ ମଧୁସୁଦନ ପାଢୀ, ପଦ୍ମଲୋଚନ ପଣ୍ଡା, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ତଥା କର୍ତ୍ତା ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡିଆ, ପରିଚାଳନା କମିଟିର ସମ୍ପାଦକ ଭକ୍ତ ସୁରେନ୍ଦ୍ର (ସାନକୁନୁ) ଚାନ୍ଦ୍, ଭକ୍ତ ତପିନ୍ଦ୍ର ଗୌଡିଆ, ଚୁଳମଣି ଗୌଡିଆ, ଚଳିତ ବର୍ଷ ଛେରା ପହଁରା ପାଇଁ ମନୋନୀତ ହୋଇଥିବା ଚନ୍ଦ୍ର ଶେଖର (ମନ୍ମଥ) ପୁଝାରୀ, ବିମଲ କୁମାର କେଡିଆ, ସଞ୍ଜୟ ପଣ୍ଡା, ପ୍ରଭୋବ ଚାନ୍ଦ, ଅଜୟ ନନ୍ଦ, ମହେଶ ଚାନ୍ଦଙ୍କ ସମେତ ଶତାଧିକ ମହିଳା ଭକ୍ତ ଉପସ୍ଥିତ ରହି ତିନି ଠାକୁରଙ୍କୁ କ୍ଷୀର, ଚନ୍ଦନ ମିଶ୍ରିତ ସୁଗନ୍ଧିତ ଜଳରେ ସ୍ନାନ ମାର୍ଜନା କରାଇ, ହଳଦୀ ପ୍ରଲେପ ଦେଇ ପୋଛାପୋଛି ସାରି ନୂତନ ବସ୍ତ୍ର ପରିଧାନ ପରେ ନୈବେଦ୍ୟ ଅର୍ପଣ କରି ଅଣସର ଗୃହକୁ ନେଇଯାଇଥିଲେ। ସେହିଭଳି ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ମଧ୍ୟ ସୁନୀଲ ଅଗ୍ରୱାଲ ଓ ସୁମିତ କୁମାର ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂରତିଙ୍କୁ ସ୍ନାନ ବେଦୀରେ ସ୍ନାନ କରାଯାଇଛି। ମୁଖ୍ୟ ପଣ୍ଡା ନିଗମାନନ୍ଦ ମହାପାତ୍ର, ସହଯୋଗୀ ପଣ୍ଡା ମନୋଜ ଦାସ, ଭବାନୀପ୍ରସାଦ ରଥ, ପ୍ରତାପ ପଣ୍ଡା କର୍ତ୍ତା କୁସୁମ ମହାନ୍ତି ଓ ପ୍ରଫୁଲ୍ଲ ମହାନ୍ତି, ପ୍ରଭା ଅଗ୍ରୱାଲ ଓ ବିଜୟ ଅଗ୍ରୱାଲ, ମଞ୍ଜୁ ରୋହିଲା ଓ ଚନ୍ଦ୍ରମୋହନ ରୋହିଲା ପ୍ରମୁଖ ଚତୁର୍ଦ୍ଧା ମୂରତିଙ୍କୁ ସୁଗନ୍ଧିତ ଜଳରେ ସ୍ନାନ କରାଇଥିଲେ। ଉପସ୍ଥିତ ଭକ୍ତ ବୃନ୍ଦ ମଧ୍ୟ ଶ୍ରୀ ଜୀଉ ମାନଙ୍କୁ ସ୍ନାନ କରାଇଥିବା ଦେଖିବାକୁ ମିଳିଥିଲା। ଜୟ ଜଗନ୍ନାଥ ଧ୍ୱନିରେ ରୁପ୍ରାରୋଡ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ନୂତନ ବସ୍ତ ପରିଧାନ ଓ ଭୋଗ ଅର୍ପଣ ପରେ ଶ୍ରୀ ଜୀଉ ମାନେ ଅଣସର ଗୃହକୁ ଯାଇଥିଲେ। କେବଳ ନର୍ଲା ବୋଲି ନୁହଁ ନର୍ଲା ବ୍ଲକ୍ ଅଧିନସ୍ଥ ଲାଖଗୁଡା, ତୁଳାପଡା, ସେରଗଡ, ରୁପ୍ରା, ମାଣ୍ଡେଲ ପ୍ରଭୃତି ସ୍ଥାନରେ ମଧ୍ୟ ଶ୍ରୀ ଜୀଉ ମାନଙ୍କର ସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଆନନ୍ଦ ଉହ୍ଲାସ ମଧ୍ୟରେ ବହୁ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଛି। ରୀତି ନୀତି ଅନୁଯାୟୀ ଆଜି ଠାରୁ ତିନି ଠାକୁର ଅଣସର ଘରେ ଜ୍ୱରରେ ପିଡିତ ହୋଇ ମୁହଁମାଡି ପଡି ରହିବେ। ଆଉ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ। ତାଙ୍କୁ ଔଷଧ ଦେଇ ସୁସ୍ଥ କରାଯିବା ପରେ ଆସନ୍ତା ଜୁଲାଇ ୭ ରେ ଠାକୁରଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ମନ୍ଦିର କତ୍ତୃପକ୍ଷ ସୂଚନା ଦେଇଛନ୍ତି।