ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠରେ ଶନିବାର ମହାପ୍ରଭୂ ଦଧିବାମନଜୀଉଙ୍କ ସ୍ନାନଯାତ୍ରା ଏକ ଭକ୍ତିମୟ ପରିବେଶ ମଧ୍ୟରେ ସମାପନ ହୋଇଯାଇଛି। ଆଜି ଦେବଗିରିର ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରାତଃ ସମୟରୁ କବାଟଫିଟା ନିତି ପରଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଭିନ୍ନ ନିତି ପରମ୍ପରା ଅନୁକ୍ରମରେ ଚାଲିଥିଲା। ସନ୍ଧ୍ୟା ୫ଟା ୩୦ରେ ଦଧିବାମନଙ୍କ ସ୍ନାନନିତି ସଂପନ୍ନ ହେବାପରେ ମହାପ୍ରଭୂ ଅଣସର ଘରକୁ ପ୍ରବେଶ କରିଛନ୍ତି। ପନ୍ଦର ଦିନ ପରେ ନେତ୍ରୋତ୍ସବ ଦିନ ମହାପ୍ରଭୂଙ୍କ ନବଯୌବନ ଦର୍ଶନ ଓ ଆଷାଢ ଦ୍ବିତୀୟା ଦିନ ରଥଯାତ୍ରା ଅନୁଷ୍ଠିତ ହେବ। ଆଜିର ଏହି ସ୍ନାନ ଯାତ୍ରା ନିତି ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ହରିହର ଦାସ, ବିଭିଷଣ ଦାସ, ରୋମାଞ୍ଚଳ ଦାସ, ଟିକେ ଗଉଡ, ଅଶୋକ ଧଙ୍ଗଡାମାଝୀ, ଧର୍ମେନ୍ଦ୍ର ଧଙ୍ଗଡାମାଝୀ, ଧନେ ମାଝୀ ପ୍ରମୁଖ ସଂପାଦନ କରିଥିବାବେଳେ ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀ, ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଟ୍ରଷ୍ଟର ସଦସ୍ୟ ସଞ୍ଜୟ କୁମାର ଧଙ୍ଗଡାମାଝୀ, ରଜନି ଗଉଡ, ବିଷ୍ଣୁ ଗଉଡ, ବିଭିଷଣ ଧଙ୍ଗଡାମାଝୀ ପ୍ରମୁଖ ସହଯୋଗ କରିଥିଲେ। ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଳକ୍ଷେ ଭକ୍ତମାନଙ୍କ ପ୍ରବଳ ଗହଳି ପରିଳକ୍ଷିତ ହୋଇଥିଲା। ଘଣ୍ଟ କରତାଳରେ ଦେବଗିରି ମୁଖରିତ ହୋଇ ଉଠିଥିଲା।





