ଭୂବନେଶ୍ବର,୨/୧୨:
ଭାରତର ପ୍ରତ୍ନତାତ୍ତିକ ମାନଚିତ୍ରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ଦୁର୍ଗର ନାମ ରହିଛି । ବର୍ତ୍ତମାନ ଏହି ଦୁର୍ଗ ମଝିରେ ଭାରତୀୟ ପ୍ରାତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ଭୁବନେଶ୍ୱର ତାଙ୍କର ଖନନ କାର୍ଯ୍ୟ ଆରମ୍ଭ କରି ଛନ୍ତି । ଗତ ନଭେମ୍ବର ୧୧ ତାରିଖରୁ କ୍ୟାମ୍ପ ଆରମ୍ଭ କରି ଗତ ନଭେମ୍ବର ୨୨ ତାରିଖରୁ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଦୁର୍ଗ ପ୍ରାଚୀର ମଝିରେ ଦୁଇଗୋଟି ସ୍ଥାନରେ ୧୦/୧୦ମି. ଜାଗାରେ ଖନନ କାର୍ଯ୍ୟ ହୋଇଛି।
ଏହି ଖନନ ସମୟରେ ଅନ ଭଙ୍ଗାଇଟା ଅଂଶ, ମାଟିପାତ୍ର ଅଂଶ, ମାଟି ଖପୁରି, ଭଙ୍ଗା ଚୁଡି, ବିଭିନ୍ନ ପ୍ରକାର ପଥର ଆଦି ମିଳିଥିବା ଆର୍କିଓଲୋଜି ଆଶିଷ ସାହୁ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ଖନନ ଶାଖାର ମୁଖ୍ୟ ଆର୍କିଓଲୋଜିଷ୍ଟ ବିଶେଷଜ୍ଞ ଡିସେମ୍ବର ୩ ତାରିଖରେ ଆସୁଥିବାରୁ ୪ ତାରିଖରୁ ଖନନ କାର୍ଯ୍ୟକୁ ବ୍ୟାପକ ପ୍ରସ୍ତୁତି କରାଯାଇ ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କ୍ଷେତ୍ର ଅଭିଜ୍ଞତା ନେବାକୁ ଅନୁମତି ଦିଆଯିବାର ପ୍ରସ୍ତାବ ରହିଛି। ପୂର୍ବ ପ୍ରତ୍ନତାତ୍ତିକ ଖନନ ଆଧାରରେ ଖ୍ରୀ.ପୂ.୩ୟ ଶତାଦ୍ଦୀରୁ ଖ୍ରୀ.ଦ୍ଦ.୫ମ ଶତାଦ୍ଦୀ ମଧ୍ୟରେ ଅସୁରଗଡ ଦୂର୍ଗର ସମୟ ନିରୁପଣ କରାଯାଇଥିଲା ।
ଏଠାରେ ସୂଚନା ଯୋଗ୍ୟଯେ ୧୯୭୨ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୂଖ୍ୟ ସ୍ୱର୍ଗୀୟ ଡଃ ନବୀନ କୁମାର ସାହୁଙ୍କ ଦ୍ବାରା ହୋଇଥିବା ପ୍ରତ୍ନତାତ୍ତିକ ଖନନ ସଂମ୍ପୂର୍ଣ୍ଣ ନଥିଲା। ଭୂମିର ପ୍ରାକୃତିକ ସ୍ତର ପର୍ଯ୍ୟନ୍ତ ଏହି ଖନନ କାର୍ଯ୍ୟ କରାଯାଇନଥିଲା। ପ୍ରଥମ ଥର ପାଇଁ ଅସୁରଗଡରେ ବଡ ଧରଣର ଖନନ ହେବାକୁ ଯାଉଛି ଏଥିପାଇଁ ସମସ୍ତ ପ୍ରତ୍ନତତ୍ତ୍ବବିତ ,ଇତିହାସ ପ୍ରେମୀ, ଗବେଷକ, ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖା ଯାଇଛି। ଏହି ଖନନ ଦ୍ବାରା ଅସୁରଗଡ ନଗରୀ ବିଷୟରେ ଅନେକ ଅଜଣା ତଥ୍ୟ ମିଳିପାରିବ ବୋଲି ଆଶା କରାଯାଏ । ସେହିପରି ଅସୁରଗଡ ନଗରୀର ପଶ୍ଚିମ ପାର୍ଶ୍ବରେ ଥିବା ପ୍ରତିରକ୍ଷା ଘାଟି ତଥା ସାଂସ୍କୃତିକ କେନ୍ଦ୍ର ଦେବଗିରି (ବୁଢିପଦର) ଓ ଉତ୍ତର ପଶ୍ଚିମରେ ଥିବା ଭୀମକେଲାର ପ୍ରତ୍ନତାତ୍ତିକ ଖନନ ପାଇଁ ଦାବି ହେଉଛି।
ଓଡିଆ ବାର୍ତ୍ତା ସ୍ବତନ୍ତ୍ର ପ୍ରତିନିଧି ସଞ୍ଜୟ ଧଙ୍ଗଡାମାଝୀଙ୍କ ରିପୋର୍ଟ ।