ଦ୍ବାପର ଯୁଗରେ ଦୁଷ୍ଟ ଦଳନ ଓ ସନ୍ଥ ପାଳନ କରିବାପାଇଁ ଭଗବାନ ଶ୍ରୀକୃଷ୍ଣ ପରମ ପବିତ୍ର ଯଦୁବଂଶରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀକୃଷ୍ଣ ପରମ ଯୋଗୀ। ତାଙ୍କ ଲୀଳାଖେଳାର ଚରିତ ଅପୂର୍ବ। ସେ ସର୍ବଶକ୍ତିମାନ ପରମବ୍ରହ୍ମ। ସେ ସାକାର ପୁଣି ନିରାକାର। ତାଙ୍କର ଆଦି ଅନ୍ତ ଭାବ ବୁଝିବାକୁ ବ୍ରହ୍ମା ଶଙ୍କର ମଧ୍ୟ ଅସମର୍ଥ। ସନାତନ ସଂସ୍କୃତିରେ ଜନ୍ମାଷ୍ଟମୀର ଯଥେଷ୍ଟ ଗୁରୁତ୍ବ ରହିଥିବାବେଳେ ବୈଷ୍ଣବ ଓ ଗୋପାଳ ସଂପ୍ରଦାୟରେ ଏହାକୁ ଆଡ଼ମ୍ବର ସହକାରେ ପାଳନ କରାଯାଏ। ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। ଭୋଜବଂଶୀ କଂସ ଥିଲେ ଶ୍ରୀକୃଷ୍ଣଙ୍କ ମାମୁଁ। ଅସୁର ସ୍ବଭାବଯୁକ୍ତ କଂସଙ୍କ ଅତ୍ୟାଚାରରେ ତ୍ରିଭୁବନ ତ୍ରାହି ତ୍ରାହି ଡାକ ଦେଉଥିଲେ। କଂସଙ୍କ କବଳରୁ ସମସ୍ତଙ୍କୁ ମୁକ୍ତ କରିବାକୁ ଅବତାର ଗ୍ରହଣ କଲେ ପରମପୁରୁଷ ପରମବ୍ରହ୍ମ। ଦେବକୀଙ୍କ ବିବାହ ପରେ କଂସ ନିଜେ ସାରଥୀ ରୂପରେ ଭଗ୍ନୀ ଓ ଜାମତାଙ୍କୁ ନେଇ ଯାଉଥିବା ସମୟରେ ଶୂନ୍ୟବାଣୀ ହେଲା- ରେ ରେ କଂସାସୁର, ଏହି ଦେବକୀର ଅଷ୍ଟମ ଗର୍ଭ କୁମର ତୋତେ ବଧ କରିବ। ଏହି ବାଣୀ ଶୁଣି କଂସ ନିଜ ଭଗିନୀ ଦେବକୀ ଓ ତାଙ୍କ ସ୍ବାମୀ ବସୁଦେବଙ୍କୁ ନେଇ ବନ୍ଦୀ କରି କାରାଗାରରେ ରଖିଲେ। ବର୍ଷକୁ ବର୍ଷ ଦେବକୀଙ୍କ ଛ’ ପୁତ୍ରକୁ କଂସ ବିନାଶ କଲେ। ସପ୍ତମ ଗର୍ଭର ସନ୍ତାନକୁ ଅମ୍ବିକା ଯୋଗ ବଳରେ ହରଣ କରି ରୋହିଣୀ ଗର୍ଭରେ ସ୍ଥାପନ କଲେ। ରୋହିଣୀ ବସୁଦେବଙ୍କ ପ୍ରଥମ ପତ୍ନୀ। ଯେତେବେଳେ କଂସ ଦେବକୀ ଓ ବସୁଦେବକୁ ବନ୍ଦୀ କରି ଆଣିଲେ, ସେହି ସମୟରେ ରୋହିଣୀ ଗୋପପୁର ନନ୍ଦ ମହାରାଜଙ୍କ ଘରେ ଲୁଚି ରହିଲେ। ସେହି ରୋହିଣୀ ଗର୍ଭରେ ଜନ୍ମ ନେଇଥିଲେ ଶଙ୍କର୍ଷଣ, ଯାହାଙ୍କୁ ନନ୍ଦରାଜା ବଳରାମ ନାମ ଦେଲେ। ଏହା ପୂର୍ବରୁ ଭଗବାନ ଦେବତାମାନଙ୍କୁ ଗୋପ ଓ ମଥୁରାର ଯଦୁବଂଶରେ ଜନ୍ମ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଦେବତାମାନେ ଗୋପୀ ଗୋପାଳ ଓ କଂସଙ୍କ ପାର୍ଷାଦ ଭାବରେ ଜନ୍ମନେଇ କୃଷ୍ଣ ଜନ୍ମର ଶୁଭ ମୁହୂର୍ତ୍ତକୁ ଅନେଇ ରହିଲେ। ପରମପୁରୁଷ ଦେବକୀଙ୍କ ଅଷ୍ଟମ ଗର୍ଭରେ ପ୍ରବେଶ କଲେ। ସଂସାରର ପାଳନକର୍ତ୍ତାଙ୍କୁ ଉଦରରେ ଧରି ଦେବକୀଙ୍କ ତେଜ ବଢ଼ିବାରେ ଲାଗିଲା। କଂସ ମହାଭୟ ପାଇ ବନ୍ଦୀଶାଳାର ସୁରକ୍ଷା ବଢ଼ାଇଦେଲେ। ପରିଶେଷରେ ଦେବକୀଙ୍କ ଗର୍ଭରୁ ଅର୍ଦ୍ଧରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମଗ୍ରହଣ କଲେ। ସ୍ବର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କରି ତାଙ୍କର ଜୟଗାନ କଲେ। ଶ୍ରୀକୃଷ୍ଣଙ୍କ ଅପୂର୍ବ ରୂପ ଦେଖି ଦେବକୀ-ବସୁଦେବ ପ୍ରମାଦ ଗଣିଲେ। ଆଉ କିଛି କ୍ଷଣ ପରେ କଂସ ଆସି ଏହି ଶିଶୁକୁ ନେଇ ନିଧନ କରିବେ।
ବସୁଦେବ କହୁଛନ୍ତି- ହେ ଅପୂର୍ବ ତେଜୋବନ୍ତ ଶିଶୁ, ତୁମେ ହିଁ ନିଜକୁ ରକ୍ଷାକର। ମୁଁ ଉପାୟଶୂନ୍ୟ, କିଛି କରିପାରିବି ନାହିଁ। ମାତାପିତାଙ୍କ ବ୍ୟାକୁଳତା ଦେଖି ବାଳକ ଶ୍ରୀକୃଷ୍ଣ ସେମାନଙ୍କୁ ନିଜ ଜନ୍ମର ଉଦ୍ଦେଶ୍ୟ ବିଷୟରେ ବୁଝାଉଛନ୍ତି। ସଂସାରର ପାପଭାରାକୁ ଉଶ୍ୱାସ କରିବା ଓ ଧର୍ମ ପ୍ରତିଷ୍ଠା କରିବା ନିମନ୍ତେ ସେ ମାନବ ରୂପ ଧାରଣ କରିଛନ୍ତି। ତାଙ୍କର ଏହି ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି। ତେଣୁ ଭୟ କରିବାର କୌଣସି କାରଣ ନାହିଁ। ଏହାପରେ କୃଷ୍ଣଙ୍କ ନିର୍ଦ୍ଦେଶ ପ୍ରକାରେ ପିତା ବସୁଦେବ ତାଙ୍କୁ ବର୍ଷଣମୁଖର ରଜନୀରେ ଭରା ହୋଇଥିବା ଯମୁନା ନଈ ପାରିହୋଇ ନନ୍ଦ ମନ୍ଦିରରେ ପ୍ରବେଶ କଲେ। ସେଠାରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ କନ୍ୟା ଶିଶୁକୁ ବଦଳାଇ ଆଣିଲେ। ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି। ଶ୍ରୀମଦ୍ଭଗବଦ ଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ଵର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ। ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ। ମହାପୁରୁଷମାନେ ଦେଖାଇଦେଇଥିବା ପଥରେ ଯାଇ ଇତରଲୋକେ ସୁଖ, ଶାନ୍ତି ଓ ସମୃଦ୍ଧି ସହଜରେ ହାସଲ କରିପାରିବେ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ। ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି ଏବଂ ବର୍ତ୍ତମାନ କଳିଭୋଗବ୍ଦ ୫୧୧୩ ଚାଲିଛି। ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହେଇଥିଲା। ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏଇଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି। ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ। ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈସମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ। ଭାଦ୍ର କୃଷ୍ଣାଷ୍ଟମୀ ଅର୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ। କିନ୍ତୁ ବିଷ୍ଣୁପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି। ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଭଗବାନ ଶ୍ରୀକୃଷ୍ଣ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି, ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି। ଏହା ଶ୍ରୀମଦ ଭଗବତ ଗୀତା ନାମରେ ବିଶ୍ୱ ବିଖ୍ୟାତ। ଶ୍ରୀମଦ ଭଗବତ ଗୀତା ବିଶ୍ୱ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି। ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ।