ସଙ୍କଟରେ ବାଉଁଶ କାରିଗରୀଙ୍କ ଜୀବନ ଜୀବିକା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସଭ୍ୟତା ଯେତେ ଯେତେ ଉନ୍ନତି କରୁଛି ସଭ୍ୟ ସମାଜ ପ୍ରାକୃତିକ ଖାଦ୍ୟ ପେୟ ପ୍ରତି ସେତେ ଆକୃଷ୍ଟ ହେବାରେ ଲାଗିଛି । ହର୍ବାଲ ଜିନିଷ ପ୍ରତି ଏବେ ମାନବ ସମାଜ ବେସ୍ ସଚେତନ । ପ୍ରକୃତି ଦତ୍ତ ଖାଦ୍ୟ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଗରୀବରୁ ଧନୀ ସମସ୍ତଙ୍କ ନିକଟରେ କରଡି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରି ପାରିଛି । କେବଳ କଳାହାଣ୍ଡି ଜିଲ୍ଲା ବୋଲି ନୁହଁ ପଶ୍ଚିମ ଓଡିଶାର କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର, ଫୁଲବାଣୀ, କନ୍ଧମାଳ ପ୍ରଭୃତି ଜିଲ୍ଲାରେ କରଡି ତରକାରୀର ସ୍ୱତନ୍ତ୍ରତା ରହିଛି । ଜୁନ୍ ମାସ ମଧ୍ୟ ଭାଗରୁ ବର୍ଷା ଆରମ୍ଭ ହୋଇଯିବା ପରେ ବାଉଁଶ ବୁଦାରେ ବାଉଁଶ ପିଲ ଦେବା ଆରମ୍ଭ କରିଥାଏ । ଏହି ବାଉଁଶ ପିଲକୁ ଭାଙ୍ଗି ଆଣି ତାକୁ ଚୁନା ଚୁନା ଭାବରେ କାଟି ତାକୁ ତରକାରୀ ଭାବରେ ଖିଆଯାଇଥାଏ । ପିଲ ବାଉଁଶ ବା ବାଉଁଶ ଗଜାକୁ ଚୁନା ଚୁନା କାଟି ଦେଲାପରେ ତାକୁ ହିଁ କରଡି ବୋଲି କୁହାଯାଇଥାଏ ।
ବାଉଁଶ ପିଲକୁ ଚୁନା ଚୁନା କାଟି କିମ୍ବା ଚକି ଚକି ଭାବରେ କାଟି ସେଥିରେ ସୁସ୍ୱାଦୁ କରଡି ତରକାରୀ ପ୍ରସ୍ତୁତ କରାଯାଇଥାଏ । କଳାହାଣ୍ଡି ଜିଲ୍ଲା ସମେତ ପଶ୍ଚିମ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଏହି ସିଜନ ରେ ଗରୀବରୁ ଧନୀ ସମସ୍ତ ବର୍ଗର ପରିବାର ଗୁଡିକ ମଧ୍ୟରେ କରଡି ତରକାରୀର ବେଶ୍ ଚାହିଦା ରହିଛି । କଳାହାଣ୍ଡି ଜିଲ୍ଲା ନର୍ଲା, ମ.ରାମପୁର, ଥୁଆମୂଳ ରାମପୁର, ଭବାନୀପାଟଣା, କେସିଙ୍ଗା, କୋକସରା, ଲାଞ୍ଜିଗଡ, ଧର୍ମଗଡ, ଜୁନାଗଡ ପ୍ରଭୃତି ଅଞ୍ଚଳରେ ଏହି କରଡ଼ିର ସ୍ଥାନେ ସ୍ଥାନେ ସ୍ୱତନ୍ତ୍ର ବଜାର ବସିଥିବା ଦେଖିବାକୁ ମିଳିଥାଏ । ଭବାନୀପାଟଣାରୁ ନର୍ଲା ଆସିବା ବେଳେ ରାଜରାସ୍ତାର କଡେ କଡେ ଦେପୁର ଠାରୁ ଛତିକୁଡା ମଧ୍ୟରେ ଏହି କରଡି ବଜାର ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ବସି ଆସୁଛି । ଏହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକ ଭିଆପି ଗାଡି ଗୁଡିକ ଏହି ରାସ୍ତା କଡର ଡୁଙ୍ଗୁରିଗୁଡା, ସିନାଙ୍ଗଭଟା ପ୍ରଭୃତି ସ୍ଥାନରେ ଅଟକି କରଡି, ଛତୁ, କାଙ୍କଡ ଓ ସପୁରୀ କିଣୁଥିବା ଦୃଶ୍ୟ ବେଶ ମନୋରମ ଅଟେ । ମାଳ ମାଳ ଭିଆପି ଗାଡି ଧାଡିବାନ୍ଧି ଅଟକି ରହିଥାନ୍ତି କେବଳ କରଡି ଓ ହଣ୍ଡୁଆ କିଣିବା ପାଇଁ । ଜୁନ୍ ମାସ ଶେଷରୁ ସେପ୍ଟେମ୍ବର ମାସ ମଧ୍ୟରେ କରଡି ଉପଲବ୍ଧ ହୋଇଥାଏ । ଏହାପରେ କରଡ଼ିକୁ କପଡାରେ ବାନ୍ଧି ତା ଉପରେ ବଡ ଶିଳାଖଣ୍ଡ ଚାପଦେଇ ପାଣି ନିଗାଡି ଦିୁଆଯାଇଥାଏ । ତିନି ଚାରିଦିନ ଏପରି ଭାବରେ ପଚାଇ ରଖି ତାକୁ ସୁଖାଇ ଗୁଣ୍ଡକରି ସେଥିରୁ ପ୍ରସ୍ତୁତ କରାଯାଇଥାଏ ହଣ୍ଡୁଆ । ଏହି ହଣ୍ଡୁଆ ପଖାଳ ଭାତ ସହିତ ଖାଇବାରେ ସ୍ୱତନ୍ତ୍ର ମଜା ରହିଥିବା କୁହାଯାଇଛି ।
ସମ୍ବଲପୁର, ବଲାଙ୍ଗୀର, ବରଗଡ ଓ ସୋନପୁର ଜିଲ୍ଲାରେ କରିଡ ଉତ୍ପାଦନ ହେଉନଥିଲେ ମଧ୍ୟ ଏହି ଜିଲ୍ଲାବାସୀଙ୍କ କରିଡ ପ୍ରତି ସ୍ୱତନ୍ତ୍ର ଋଚି କୁ ଆଖି ଆଗରେ ରଖି କଳାହାଣ୍ଡି ଜିଲ୍ଲାରୁ ବିଶେଷ କରି ନର୍ଲା, କେସିଙ୍ଗା ଓ ଲାଞ୍ଜିଗଡରୁ କରଡି ଏବଂ ହଣ୍ଡୁଆ ରପ୍ତାନୀ ହୋଇଥାଏ । ସେଠାରେ ଚଢାଦରରେ କରଡି ଓ ହଣ୍ଡୁଆ ବିକ୍ରୟ କରି ବେଶ୍ ଭଲ ଦୁଇପଇସା ପାଇଥାନ୍ତି କରଡି ବ୍ୟବସାୟୀ ମାନେ । ଆଗରୁ ବସ୍ ଓ ଟ୍ରେନ୍ ଯୋଗେ କରଡି ଓ ହଣ୍ଡୁଆ ରପ୍ତାନୀ ପ୍ରତି ବିଶେଷ କଟକଣା ରହିଥିଲା । କେନ୍ଦ୍ର ସରକାର ବାଉଁଶକୁ ଟ୍ୟାକ୍ସ୍ ଫ୍ରି କରିଦେବା ପରେ ଏବେ ଆଉ ବନ ବିଭାଗ ତରଫରୁ କରଡି ଓ ହଣ୍ଡୁଆ ରପ୍ତାନୀ ପ୍ରତି ସେତେଟା କଟକଣା ରହୁନି । ସମ୍ବଲପୁର, ବଲାଙ୍ଗୀର, ସୋନପୁର ଓ ବରଗଡ ରେ କରଡି ଓ ହଣ୍ଡୁଆ ତରକାରୀ କରିକି ଖାଇବା ସହ କରଡିକୁ ସ୍ୱତନ୍ତ୍ର ଢଙ୍ଗରେ ଗଚ୍ଛିତ ରଖି ବର୍ଷ ତମାମ ତରକାରୀ ଭାବରେ ବ୍ୟବହାର କରି ଖାଇଥାନ୍ତି । ତରକାରୀ ବ୍ୟତୀତ କରଡି ଖୁବ୍ ସୁନ୍ଦର ଓ ସୁମିଷ୍ଟ କରିଡ ଆମ୍ବିଲ ପ୍ରସ୍ତୁତ କରାଯାଇଥାଏ । ଏହାବାଦ୍ ଏହି ସବୁ ଜିଲ୍ଲାର ଲୋକେ କରଡିରେ ସୁମିଷ୍ଟ ଆଚାର ପ୍ରସ୍ତୁତ କରି ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ । ହେଲେ କରଡି ତରକାରୀ ଓ କରଡିତ ତଥା ହଣ୍ଡୁଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରତି ଧିରେ ଧିରେ ଲୋକଙ୍କ ଚାହିଦା ବଢିବା ହେତୁ ଏବେ ନିକଟସ୍ଥ ଜଙ୍ଗଲ ଗୁଡିକରେ ବାଉଁଶ ଉତ୍ପାଦନ କମିବା ଯୋଗୁଁ ବାଉଁଶ କାରୀଗର ମାନଙ୍କୁ ଚିନ୍ତା ଘାରିବାରେ ଲାଗିଛି । ବାଉଁଶ ବଢିବା ଆଗରୁ କରଡି ବ୍ୟବସାୟୀ ମାନେ ବାଉଁଶ ପିଲକୁ କାଟିନେଇ କରଡି ଓ ହଣ୍ଡୁଆ ପ୍ରସ୍ତୁତ କରୁଥିବାରୁ ବାଉଁଶ କ୍ରମଶଃ ଲୋପ ପାଇବାକୁ ବସିଲାଣି । ବିଶେଷଜ୍ଞ ମାନଙ୍କ ମତାନୁଯାୟୀ ଏଭଳି ଯଦି ଲଗାତାର ଆଉକିଛି ବର୍ଷ ଏହି ପରିମାଣରେ କରଡି ଓ ହଣ୍ଡୁଆର ବ୍ୟବହାର ଚାଲେ ତାହେଲେ ବାଉଁଶ ଯେ ସମ୍ପୂର୍ଣ୍ଣ ଲୋପ ପାଇଯିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଏଣୁ ସରକାର ବାଉଁଶ ର ସୁରକ୍ଷା ପାଇଁ ଏବଂ ବାଉଁଶ କାରିଗର ମାନଙ୍କ ଜୀବନ ଜୀବିକା ପାଇଁ ବେଳହୁଁ ସଜାଗ ହେବା ବାଞ୍ଛନୀୟ ବୋଲି ମତ ପ୍ରକାଶ ପାଉଛି ।