ସଂଘମିତ୍ରା ଯାଦବ
ଭାରତ ଏପରି ଏକ ଦେଶ ଯେଉଁଠି ଜୀବିତ ବ୍ୟକ୍ତି ସଙ୍ଗେ ସଙ୍ଗେ ପୂର୍ବପୁରୁଷଙ୍କୁ ମଧ୍ୟ ସମ୍ମାନ କରାଯାଏ। ସନାତନ ଧର୍ମଧାରାରେ ପିତୃ ଉପାସନାର ଯଥେଷ୍ଟ ଗୁରୁତ୍ଵ ରହିଛି। ଶ୍ରାଦ୍ଧ ଏପରି ଏକ କର୍ମ ଯେଉଁଠି ମନୁଷ୍ୟ ଆପଣା ପରଲୋକଗତ ପୂର୍ବପୁରୁଷଙ୍କୁ ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରିଥାଏ। ନିଜର ପରଲୋକଗତ ପିତୃପୁରୁଷଙ୍କୁ ଶ୍ରଦ୍ଧା ପୂର୍ବକ ଶୁଦ୍ଧ ବ୍ୟଞ୍ଜନ ସହିତ ଦୁଧ, ଦହି ଓ ଘିଅ ଦେବାର ପରମ୍ପରାର ଅନ୍ୟନାମ ଶ୍ରାଦ୍ଧ ଅଟେ। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ। ଏହି ସମୟରେ ଦେବତା ଓ ଋଷି ମାନଙ୍କୁ ତର୍ପଣ ଓ ପିତୃ ପୁରୁଷଙ୍କୁ ଜଳ ଦେବା ଉଚିତ। ବର୍ଷର ଯେକୌଣସି ତିଥିରେ ମୃତ୍ୟୁ ହୋଇଥିଲେ ମଧ୍ୟ ଏହି ତିଥିରେ ସେହ ମୃତ ବ୍ୟକ୍ତିର ଶ୍ରାଦ୍ଧ କରିବା ପରମ୍ପରା ରହିଆସିଛି। ଯିଏ ପ୍ରତିଦିନ ତର୍ପଣ କରିପାରନ୍ତି ନାହିଁ ସେ ଏହି ପକ୍ଷର ଅମାବାସ୍ୟାରେ ଅବସ୍ୟ ତର୍ପଣ ଓ ଜଳଦାନ କରିବା ଉଚିତ। କୁହାଯାଏକି ପିତୃଗଣ ଏହି ଦିନ ଆପଣାର ପୁତ୍ର, ପୌତ୍ରଙ୍କ ଦ୍ବାରଦେଶରେ ଆପଣାର ତୃପ୍ତି ଆଶାନେଇ ଆସିଥାନ୍ତି। ଯେଉଁ ଲୋକ ଶ୍ରାଦ୍ଧ କରିଥାନ୍ତି ପିତୃଗଣ ସନ୍ତୁଷ୍ଟ ହୋଇ ଆଶିର୍ବାଦ ପ୍ରଦାନ କରିଥାନ୍ତି। ଯେଉଁମାନେ ଶ୍ରାଦ୍ଧ କରନ୍ତିନାହିଁ ତାଙ୍କର ପିତୃଗଣ ନିରାଶ ହୋଇ ଫେରି ଯାଆନ୍ତି।