ଜଣେ ଗୃହସ୍ଥ ପକ୍ଷରେ ବର୍ଷକ ମଧ୍ୟରେ ଚାରିଗୋଟି ଶ୍ରାଦ୍ଧ ସ୍ୱତନ୍ତ୍ର ଭାବେ କରିବାର ବ୍ୟବସ୍ଥା ଅଛି, ଯଥା: ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ଦୀପଦାନ ବା ପୟାଶ୍ରାଦ୍ଧ। ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅପରପକ୍ଷ ଆରମ୍ଭ ହୋଇ ସେହି ମାସର ଅମାବାସ୍ୟା ତିଥିରେ, ମହାଳୟା ଶ୍ରାଦ୍ଧ ପରେ, ପିତୃପକ୍ଷର ପରିସମାପ୍ତି ହୁଏ। ଏହି ପିତୃପକ୍ଷରେ ପ୍ରତ୍ୟେକ ଦିନ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିବିଧାନରେ କରଣୀୟ। ଏହି ପକ୍ଷରେ ପିତୃପୁରୁଷମାନେ ନିଜନିଜର ଆତ୍ମୀୟମାନଙ୍କଠାରୁ ତିଳୋଦକ ଓ ଅନ୍ନବ୍ୟଞ୍ଜନ ପାଇବାକୁ ଆଗ୍ରହୀ ଥାଇ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଥାନ୍ତି। ପ୍ରତ୍ୟେକ ଦିନ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରି ତୃପ୍ତି କରିବାର ଅନୁକୂଳ ସମୟ। ଅସୁବିଧାବଶତଃ ପ୍ରତ୍ୟେକ ଦିନ ଶ୍ରାଦ୍ଧ ନ କରି ପାରିଲେ ଅନ୍ତତଃପକ୍ଷେ ପିତାଙ୍କର ଦେହାନ୍ତ ଯେଉଁ ତିଥିରେ ହୋଇଥିବ, ସେହିଦିନ ଶ୍ରାଦ୍ଧ କରିବା ବିଧେୟ। କିନ୍ତୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ତର୍ପଣ ଚାଲୁ ରଖିବାକୁ ହେବ। ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ। ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ।
ମହଳୟା ଶ୍ରାଦ୍ଧର ତର୍ପଣର ପ୍ରଥମ ପାହାଚ ଦେବତର୍ପଣ ଏଇ ତର୍ପଣରେ ମନ୍ତ୍ର ସହିତ ବ୍ରହ୍ମା (ମନ୍ତ୍ର -ଓଁ ବ୍ରହ୍ମା ତୃପ୍ୟନ୍ତାମ୍) ବିଷ୍ଣୁ, ରୁଦ୍ର, ପ୍ରଜାପତି, ଦେବଗଣ, ଛନ୍ଦଗଣ, ବେଦଗଣ, ଋଷିଗଣ, ସନାତନ, ପୁରାଣାଚାର୍ଯ୍ୟ, ଗନ୍ଧର୍ବାଚାର୍ଯ୍ୟ, ଇତରାଚାର୍ଯ୍ୟ, ସମ୍ବତ୍ସରସାବୟବ, ଦେବୀ, ଅପ୍ସରା, ଦେବାନୁଗା, ନାଗଗଣ, ସାଗରଗଣ, ପର୍ବତଗଣ, ସରିତଗଣ, ମନୁଷ୍ୟଗଣ, ଯକ୍ଷଗଣ, ରାକ୍ଷସଗଣ, ପିଶାଚଗଣ, ସୁପର୍ଣ୍ଣଗଣ, ଭୂତଗଣ, ପଶୁଗଣ, ବନସ୍ପତିସମୂହ, ଔଷଧସମୂହ, ଭୂତଗ୍ରାମ ଚତୁର୍ବିଧ ଇତ୍ୟାଦି ଦେବଗଣଙ୍କୁ ଗୋଟିଏ ଥର ତର୍ପଣ ଜଳ ଅର୍ପଣ କରାଯାଏ। ତର୍ପଣର ଦ୍ୱିତୀୟ ପାହାଚରେ ଦଶଜଣ ଋଷିଙ୍କୁ ମନ୍ତ୍ର ସହିତ ମରୀଚି (ଓଁ ମରୀଚିଃ ସ୍ତୁପ୍ୟନ୍ତାମ୍), ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ବଶିଷ୍ଠ, ପ୍ରଚେତା, ଭୃଗୁ ଓ ନାରଦ ଗୋଟିଏ ଥର ତର୍ପଣ ଜଳ ଅର୍ପଣ କରାଯାଏ। ତର୍ପଣର ତୃତୀୟ ପାହାଚରେ ସାତ ଜଣ ଦିବ୍ୟ ମନୁଷ୍ୟଙ୍କୁ ମନ୍ତ୍ର ସହିତ ସନକ (ଓଁ ସନକଃ ତୃପ୍ୟନ୍ତାମ୍) ସନନ୍ଦ, ସନାତନ, କପିଳ, ଆସୁରୀ, ବୋଢୁ , ଏବଂ ପଞ୍ଚଶିଖ ପ୍ରତ୍ୟେକଙ୍କୁ ଦୁଇ ଥର ଲେଖାଏଁ ତର୍ପଣ ଜଳ ଅର୍ପଣ କରାଯାଏ। ତର୍ପଣର ଚତୁର୍ଥ ପାହାଚ ପିତୃ ତର୍ପଣ ଆରମ୍ଭରେ ମନ୍ତ୍ର ସହିତ ଏକାଦଶ ପିତୃ ଶ୍ରେଣୀ ଯଥା କବ୍ୟବାଡ଼ନଳ ( ଓଁ କବ୍ୟବାଡ଼ନଳଃ ତୃପ୍ୟନ୍ତାମ୍) ସୋମ ଯମ ଅର୍ଯ୍ୟମା ଅଗ୍ନିଷ୍ୱାତ୍ୱା ସୋମପା ବର୍ହିଷଦ ବସୁ ରୁଦ୍ର ଆଦିତ୍ୟ ଆଚାର୍ଯ୍ୟଙ୍କୁ ତିନି ଥର ଲେଖାଏଁ ତର୍ପଣ ଜଳ ଅର୍ପଣ କରାଯାଏ। ପିତୃ ଶ୍ରେଣୀ ପରେ ଚତୁର୍ଦ୍ଦଶ ଯମଙ୍କୁ ମନ୍ତ୍ର ସହିତ ତର୍ପଣ ଜଳ ଅର୍ପଣ କରାଯାଏ ଯଥା ଯମ (ଓଁ ଯମାୟ ନମଃ) ଧର୍ମରାଜ, ମୃତ, ଅନ୍ତକ, ବୈବସ୍ୱତ, କାଳ, ସର୍ବଭୁତକ୍ଷୟ, ଔଦୁମ୍ବର, ଦଧ୍ନ, ନୀଳ, ପରମେଷ୍ଠୀ, ବୃକୋଦର, ଚିତ୍ର, ଓ ଚିତ୍ରଗୁପ୍ତ ଯମ ତର୍ପଣ ପରେ ଗୋତ୍ର ଉଚ୍ଚାରଣ କରି ପିତା ପିତାମହ ପ୍ରପିତାମହ ସେମାନଙ୍କର ପତ୍ନୀ ମାତା ପିତାମହୀ ପ୍ରପିତାମହୀଙ୍କ ନାମରେ ପ୍ରତ୍ୟେକଙ୍କୁ ତିନି ତିନି ଥର ତର୍ପଣ ଜଳ ଅର୍ପଣ କରାଯାଏ। ପୁନଶ୍ଚ ମନ୍ତ୍ର ସହିତ ଅଜା ଘର ଗୋତ୍ରଉଚ୍ଚାରଣ କରି ମାତାମହ ପ୍ରମାତାମହ ବୃଦ୍ଧପ୍ରମାତାମହ ପ୍ରତ୍ୟେକଙ୍କ ନାମରେ ତିନିଥର ଲେଖାଏଁ ତର୍ପଣ ଜଳ ପ୍ରଦାନ କରାଯାଏ। ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ। ପିତୃ ତର୍ପଣ ପରେ ପିତୃବ୍ୟ ଭାଇ ଶଶୁର ଗୁରୁ ସଖାଙ୍କ ପାଇଁ ଜଳଦାନ ଓ ସମାପ୍ତିରେ ଜଗତ ତଥା ରାଷ୍ଟ୍ର କଲ୍ୟାଣ ପାଇଁ ଅବିବାହିତ ଭୀଷ୍ମଙ୍କୁ ପିଣ୍ଡୋଦକ ଆଶାୟୀ ସମସ୍ତ ପୂର୍ବଜଙ୍କୁ ତର୍ପଣ ଜଳ ଅର୍ପଣ କରାଯାଏ। ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ। ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ।