ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି ଦୁର୍ଗା ପୂଜା। ଗତବର୍ଷ ୨୦୨୩ ଦୁର୍ଗା ମନ୍ଦିର ପ୍ରତିଷ୍ଠା ହେବା ଠାରୁ କେବଳ ନର୍ଲାରୋଡ ଠାରେ ମୂର୍ତ୍ତି ଆଉ ସ୍ଥାପନ କରାଯାଉନି। ଦୁର୍ଗା ମନ୍ଦିରରେ ଥିବା ସ୍ଥାୟୀ ଦୁର୍ଗା ମୂର୍ତ୍ତି ପୂଜା ଚାଲିଛି। ହେଲେ ଅନ୍ୟ ସ୍ଥାନ ମାନଙ୍କରେ ଦୁର୍ଗା ମୂର୍ତ୍ତି ସମେତ ପାର୍ଶ୍ଵ ଦେବତା ଗଣେଶ, ଲକ୍ଷ୍ମୀ, ସରସ୍ବତୀ ଓ କାର୍ତ୍ତିକେଶ୍ୱରଙ୍କ ମୂର୍ତ୍ତି ଗୁଡିକ ନିର୍ମାଣ କରୁଛନ୍ତି କାରିଗର। ନର୍ଲା, ରୁପ୍ରାରୋଡ ଓ ବାଲିପଡା ପ୍ରଭୃତି ସ୍ଥାନରେ ମୂର୍ତ୍ତି ଗୁଡ଼ିକ ନିର୍ମାଣ ସରିଯାଇଥିବା ବେଳେ ରଙ୍ଗକରା ମଧ୍ଯ ଅନ୍ତିମ ପର୍ଯ୍ୟାୟରେ। ଆସନ୍ତା କାଲି ବୁଧବାର ମହାଳୟା ଅମାବାସ୍ୟା ନବରାତ୍ରୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷ ଅନେକ ଆନନ୍ଦ ଓ ଉହ୍ଲାସ ଉଦ୍ଦୀପନା ମଧ୍ୟରେ ପାଳିତ ହେବାକୁ ଯାଉଛି ମା ଜଗଜ୍ଜନନୀଙ୍କ ପୂଜା। ନର୍ଲା ବ୍ଲକ ଅଧିନସ୍ଥ ନର୍ଲା, ନର୍ଲାରୋଡ, ରୁପ୍ରାରୋଡ, ଶାନ୍ତପୁର, ସେରଗଡ, ରୁପ୍ରା ଏଭଳି ୭ ଗୋଟି ସ୍ଥାନରେ ଦୂର୍ଗାପୂଜା ଅନୁଷ୍ଠିତ ହୋଇଥାଏ। ଏଥି ମଧ୍ୟରୁ ନର୍ଲାରୋଡ ଓ ରୁପ୍ରାରୋଡରେ ନବରାତ୍ରୀ ଦୁର୍ଗାପୂଜା ପାଳନ କରାଯାଇଥାଏ। ଚଳିତ ବର୍ଷ ନର୍ଲାରେ ପ୍ରଥମ କରି ନବରାତ୍ରୀ ଦୁର୍ଗା ପୂଜା ଅନୁଷ୍ଠିତ ହେଉଛି। ଗତବର୍ଷ ବାଲିପଡାରେ ସୁବର୍ଣ୍ଣ ଜୟନ୍ତୀ ନବରାତ୍ରୀ ଦୁର୍ଗା ପୂଜା ପାଳିତ ହୋଇଥଲା। ଚଳିତ ବର୍ଷ ମଧ୍ଯ ବାଲିପଡାରେ ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଛି। ନବରାତ୍ରୀ ପୂଜା ସ୍ଥାନର ମୂର୍ତ୍ତିରେ ତୂଳୀର ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ବୁଧବାର ସକାଳ ସୁଧା ମୂର୍ତ୍ତି ରଙ୍ଗକରା ଓ ବେଶ ପରିପାଟି ସବୁ ସମ୍ପନ୍ନ ହୋଇଯିବ । ଆସନ୍ତା କାଲି ବୁଧବାର ଅପରାହ୍ନ ୪ ଟା ବେଳେ କଳସ ଯାତ୍ରା ହୋଇ ପୂଜା ମଣ୍ଡପକୁ କଳସ ଆସିବ ବୋଲି ପୂଜା କମିଟି ତରଫରୁ ସୂଚନା ମିଳିଛି ।
ବାଲିପଡା ଓ ରୁପ୍ରା, ଶାନ୍ତପୁର, ସେରଗଡ଼ ପ୍ରଭୃତି ସ୍ଥାନରେ ମଧ୍ୟ ମୂର୍ତ୍ତିଗଡା ଦୃତ ଗତିରେ ଚାଲିଛି । ମୂର୍ତ୍ତିଗଢା ଏବେ ଅନ୍ତିମ ପର୍ଯ୍ୟାୟରେ ଆସି ପହଂଚି ଯାଇଛି । ପ୍ରତି ବର୍ଷ ଏହି ସ୍ଥାନ ମାନଙ୍କୁ କଲିକତା ଓ ଟିଟିଲାଗଡରୁ ମୂର୍ତ୍ତି କାରିଗର ମାନେ ଆସି ମୂର୍ତ୍ତି ତିଆରି କରିଥାନ୍ତି । ଗତ ୧୦ ବର୍ଷ ହୋଇଗଲଣି ଦଶହରା ସମୟରେ ଲଘୁଚାପ ଜନିତ ବର୍ଷା ହୋଇ ଆସୁଛି। ପାଗ ଅନୁକୂଳ ଦେଖି ପୂଜାରେ ମନୋରଂଜନର କାର୍ଯ୍ୟକ୍ରମ କରାଯିବ ବୋଲି ପୂଜା କମିଟି ସୂତ୍ରରୁ ସୂଚନା ମିଳିଛି।