ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ଏକ ଦିବସୀୟ ଦକ୍ଷତା ନିର୍ମାଣ କାର୍ଯକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମହାବିଦ୍ୟାଳୟ ଶିକ୍ଷକମାନଙ୍କ ନିମିତ୍ତ “ଗବେଷଣା ନିବନ୍ଧର ପ୍ରସ୍ତୁତି ପାଇଁ ମାର୍ଗଦର୍ଶନ” ବିଷୟରେ ଏକ ଦିନିକିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏକଦିବସୀୟ ଦକ୍ଷତା ନିର୍ମାଣ ସମ୍ବନ୍ଧିତ ଏହି କାର୍ଯକ୍ରମ ମାନବ ସମ୍ବଳ ବିକାଶ କେନ୍ଦ୍ର, ଫକୀର ମୋହନ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ଆର୍ଥନୀତିକ ସଂଘର ମିଳିତ ଆନୁକୁଲ୍ୟରେ “କିପରି ଗବେଷଣା ନିବନ୍ଧର ମାର୍ଗଦର୍ଶନ କରାଯିବ” ବିଷୟରେ ମହାବିଦ୍ୟାଳୟ ଶିକ୍ଷକମାନଙ୍କ ନିମିତ୍ତ ଦକ୍ଷତା ନିର୍ମାଣ କାର୍ଯକ୍ରମ ଅନୁଷ୍ଠିତ କରାଯାଇଥିଲା। ଏଥିରେ ଫକୀର ମୋହନ ବିଶ୍ବବିଦ୍ୟାଳୟ ସହିତ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକରୁ ପଚାଶରୁ ଉର୍ଦ୍ଧ୍ବ ଅଧ୍ୟାପକ ଅଂଶଗ୍ରହଣ କରିଥିଲେ।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ରେ ଗବେଷଣାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଥିବା ହେତୁ ଏହି କର୍ମଶାଳାଟି ଅତ୍ୟନ୍ତ ପ୍ରାସଙ୍ଗିକ ହୋଇପାରିଛି ବୋଲି ପ୍ରକାଶ କରିଥିଲେ। ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ରନିନ୍ଦ୍ର କୁମାର ନାୟକ ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥିସହ କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ସୁନୀଲ କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନ ହେବାନେଇ ଆଶାବ୍ୟକ୍ତ କରିଥିଲେ।

ଓଡ଼ିଶା ଅର୍ଥନୀତିକ ସଂଘର ସମ୍ପାଦକ ଡ଼କ୍ଟର ଅମରେନ୍ଦ୍ର ଦାସ ମହାବିଦ୍ୟାଳୟ ସ୍ତରରେ ବିଦ୍ୟାର୍ଥୀମାନଙ୍କ ନିମିତ୍ତ ଗବେଷଣାର ପ୍ରାଥମିକ ଭିତ୍ତିଭୂମି ପ୍ରତିଷ୍ଠିତ ହେଉଥିବା ହେତୁ ଏବଂ ଗବେଷଣା ନିବନ୍ଧ ପ୍ରସ୍ତୁତିର ସମସ୍ତ ନୀତିନିୟମର ଅବଧାରଣା ଶିକ୍ଷକ ମାନଙ୍କ ଭିତରେ ବିକଶିତ ହେବା ଅନିବାର୍ଯ୍ୟ ହୋଇଥିବା କାରଣରୁ ଏହି ଏକଦିବସୀୟ କାର୍ଯକ୍ରମଟି ବେଶ୍ ପ୍ରାସଙ୍ଗିକ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓଡ଼ିଶା ଅର୍ଥନୀତିକ ସଂଘର ସଭାପତି ପ୍ରଫେସର ରବି ନାରାୟଣ ପାତ୍ର ଗୁଣାତ୍ମକ ଅଧ୍ୟୟନ ଓ ଗବେଷଣାକୁ ପ୍ରାଥମିକତା ଦେଇ ଏହି ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ହେତୁ ଏହା ଅଂଶଗ୍ରଣକାରୀ ଅଧ୍ୟାପକବୃନ୍ଦଙ୍କ ମେଧାଶକ୍ତି ବିକାଶରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ।
ମାନବ ସମ୍ବଳ ବିକାଶ କେନ୍ଦ୍ରର ସଦସ୍ୟ ଡ଼କ୍ଟର ରାଜଶ୍ରୀ ଦତ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପନିର୍ଦ୍ଦେଶକ ଡ଼କ୍ଟର ଦେବଦତ୍ତ ଦାସ କୃତଜ୍ଞତା ଜ୍ଞାପନ କରିଥିଲେ। ମାନବ ସମ୍ବଳ ବିକାଶ କେନ୍ଦ୍ରର ସଦସ୍ୟ ଡ଼କ୍ଟର ସଚିତା ନନ୍ଦ ଶା, ଶ୍ରୀ ଅରୁଣ କୁମାର ନାୟକ, ଡ଼କ୍ଟର ପ୍ରହ୍ଲାଦ ଖିଲା ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ଶୃଙ୍ଖଳିତ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଏନ.ଆଇ.ଟି ରାଉରକେଲାର ପ୍ରଫେସର ଜଳନ୍ଧର ପ୍ରଧାନ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ହିମାଂଶୁ ଏସ୍ ରାଉତ, ଆଇ.ଆଇ.ଟି ଭୁବନେଶ୍ୱରର ଅଧ୍ୟାପିକା ଡ଼କ୍ଟର ମଧୁସ୍ମିତା ଦାସ ପ୍ରମୁଖ ଏଥିରେ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ବିଭିନ୍ନ ବୈଷୟିକ ଅଧିବେଶନ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.