ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସଇଁନ୍ତଳା ବିଡ଼ିଓ ବିନୟ କୁମାର ଭୋଇ ବିଭିନ୍ନ ଗ୍ରାମରୁ ପଞ୍ଚାୟତବାସୀଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁପ୍ରତାପ ଭୋଇ, ମନରେଗା ଆସିଷ୍ଟାଣ୍ଟ ପୂର୍ଣ୍ଣ ସା, ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ପ୍ରାଣୀଧନ ନିରୀକ୍ଷକ ଡ. ଭୋଗୀନ୍ଦ୍ରନାଥ ମେହେର, ଗ୍ରାମ୍ୟ ଗୃହନିର୍ମାଣ ବିପିସି କିଶୋର ସାହୁ, ଓଏଲଏମର ବିଏଲସି ଦୁଲଣା ବାଗ, ସ୍ୱଚ୍ଛ ଭାରତ ମିଶନର ବ୍ଲକ ସାଧନ ସଂଯୋଜକ ଆଶୁତୋଷ ପୁଟେଲ, କୃଷି ଓଭରସିଅର ଶରତ ଦାଶ ପ୍ରମୁଖ ବିଭିନ୍ନ ବିଭାଗୀୟ ଅଧିକାରୀ ଏହି ଶିବିରରେ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ନରେନ୍ଦ୍ର କଲେତ, ସାଂସଦ ପ୍ରତିନିଧି ଅକ୍ଷୟ ରଣା ଉପସ୍ଥିତ ରହିଥିଲେ। ସମୁଦାୟ ୧୫୨ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ବିଶେଷତଃ ଗୁହାଳ, ଫାର୍ମପଣ୍ଡ, ରାସ୍ତା ନିର୍ମାଣ, ଜମି ଉନ୍ନତିକରଣ, ଭତ୍ତା ଆଦି ଦାବି ନେଇ ଲୋକେ ଆବେଦନ କରୁଥିବା ପରିଲକ୍ଷିତ ହୋଇଥିଲା। ଏଡ଼ିଇଓ କ୍ଷୀରୋଦ୍ର ସାହୁ, ଯୋଗାଣ ସହାୟିକା ସ୍ଵାଗତିକା ଦେଓ, ସୁନୀଲ ରାଜପଲିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।






