• ବିଭିନ୍ନ ଦେଶର ୧୮ ବୈଜ୍ଞାନିକଙ୍କ ସମେତ ଭାରତରୁ ସାମିଲ ହେଲେ ଡକ୍ଟର ସିଦ୍ଧାର୍ଥ ପତି
• ୧୧ ଦେଶର ୫୨ଟି ସାଇଟ୍ ସମେତ ଓଡ଼ିଶାରେ ହୋଇଛି ସର୍ଭେ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଏସିଆନ୍ ହର୍ସ ସୁ କ୍ରାବ୍ (ନୀଳରକ୍ତ କଙ୍କଡା) ସଂରକ୍ଷଣ ସ୍ଥିତିକୁ ଆକଳନ କରିବା ପାଇଁ ପ୍ରଥମ ଜେନେଟିକ୍ ବେସଲାଇନ୍ ତଥ୍ୟ ଦେବା ପାଇଁ ଆନ୍ତର୍ଜାତୀୟ ବୈଜ୍ଞାନିକଙ୍କ ଦ୍ୱାରା ନୀଳରକ୍ତ କଙ୍କଡ଼ା ସଂରକ୍ଷଣ ପାଇଁ ନୂତନ ଗବେଷଣା ଆରମ୍ଭ କରାଯାଇଛି।
ଏହି ଗବେଷଣାର ଫଳାଫଳ ‘କନଜରଭେସନ୍ ଲେଟର୍’ ଜର୍ନାଲ୍ ରେ ପ୍ରକାଶ ପାଇବା ସହ ଗବେଷଣା କଥା ସାର୍ବଜନୀନ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗାତ୍ମକ ଗବେଷଣାରେ ଭାରତ, ଜାପାନ, ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିଆ, ଚୀନ, ଥାଇଲାଣ୍ଡ, ଅଷ୍ଟ୍ରେଲିଆର ୧୮ ଜଣ ବୈଜ୍ଞାନିକ ସାମିଲ ହୋଇଛନ୍ତି। ସେହିପରି ଭାରତରୁ ଓଡିଶା ରାଜ୍ୟର ବାଲେଶ୍ଵରବାସୀ ବୈଜ୍ଞାନିକ ଡକ୍ଟର ସିଦ୍ଧାର୍ଥ ପତି ମଧ୍ଯ ଏହି ସହଯୋଗୀ ଗବେଷଣାରେ ସ୍ଥାନ ପାଇଛନ୍ତି। ଇଣ୍ଡୋନେସିଆ, ମାଲେସିଆ, ଚୀନ, ଥାଇଲାଣ୍ଡ, ଜାପାନ, ଭିଏତନାମ, ବାଙ୍ଗଲାଦେଶ, ସିଙ୍ଗାପୁର ପରି ଭାରତର ଓଡ଼ିଶାରେ ମଧ୍ୟ ନୀଳରକ୍ତ କଙ୍କଡା ସର୍ଭେ କରାଯାଇଛି। ୧୧ ଟି ଦେଶର ୫୨ ଟି ସାଇଟ୍ ରେ ସର୍ଭେ କରାଯାଇ ସିଙ୍ଗାପୁର ସ୍ଥିତ ନେସନାଲ୍ ୟୁନିଭରସିଟିରେ ଗବେଷଣା କରାଯାଇଛି।
ଏହି ଗବେଷଣାରେ ଜନସଂଖ୍ଯା ଢାଞ୍ଚା, ବିବର୍ତ୍ତନବାଦୀ ଇତିହାସ ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପରିଚାଳିତ ଦୁର୍ବଳତାକୁ ବୁଝିବା ପାଇଁ ବୈଜ୍ଞାନିକମାନେ ତିନୋଟି ଏସୀୟ ହର୍ସସୁ କ୍ରାବ୍ (Horseshoe) ପ୍ରଜାତିର ପ୍ରାକୃତିକ ପରିସର ମଧ୍ୟରେ ବ୍ଯାପକ ନମୁନା ସଂଗ୍ରହ କରା ଯାଇଥିଲା। ଏହି ନୀଳରକ୍ତ କଙ୍କଡ଼ା ନିରନ୍ତର ଅସ୍ତିତ୍ୱ ଦିଗରେ ପ୍ରସ୍ତୁତ ସଂରକ୍ଷଣ କାର୍ଯ୍ୟ ପାଇଁ ବେସଲାଇନ୍ ତଥ୍ଯ ପ୍ରଦାନ କରିବା ଏବଂ ଏହା ଡାଇନୋସର ଯୁଗ ପୂର୍ବରୁ ପ୍ରାୟ ଅପରିବର୍ତ୍ତିତ। ବିଶ୍ୱ ପରିବର୍ତ୍ତନରୁ କେମିତି ବଞ୍ଚିଛି ତାହା ମଧ୍ଯ ଦର୍ଶାଇବା ହେଉଛି ଏହି ଗବେଷଣା ଲକ୍ଷ୍ୟ। ହର୍ସସୁ କ୍ରାବ୍ ହେଉଛି ଅନନ୍ୟ ଜୀବନ୍ତ ଜୀବାଶ୍ମ ଯାହାକି ୪୦୦ ନିୟୁତ ବର୍ଷର ବିଶ୍ଵ ପରିବର୍ତ୍ତନ ମାଧ୍ୟମରେ ମଧ୍ୟ ପରିବର୍ତ୍ତନ ହୋଇନାହିଁ। ଆନ୍ଥ୍ରୋପୋଜେନିକ୍ ଚାପରେ ସେମାନେ ବିଶ୍ଵ ବ୍ୟାପୀ ଦ୍ରୁତ ହ୍ରାସର ସମ୍ମୁଖୀନ ହୋଇଛନ୍ତି। ବିଶ୍ଵରେ ଚାରି ପ୍ରକାର ପ୍ରଜାତିର ନୀଳରକ୍ତ କଙ୍କଡା ଦେଖାଯାନ୍ତି ଏବଂ ଏଥିମଧ୍ୟରୁ ତିନି ପ୍ରଜାତି ଏସିଆ ମହାଦେଶରେ ଦେଖାଯାନ୍ତି। ସେଥିରୁ ଦୁଇଟି ପ୍ରଜାତି ଭାରତ ତଥା ଓଡିଶା ଉପକୂଳରେ ଦେଖା ଯାଆନ୍ତି। ଏହି ତିନି ପ୍ରଜାତି ସି. ରତନଦିକାଉଦା, ଟି. ଗିଗସ୍ ଏବଂ ଟି. ତ୍ରିଦେନତାତୁସ ପ୍ରଜାତିର ନୀଳରକ୍ତ କଙ୍କଡାର ଡିଏନଏ ଓ ଗୁଣସୂତ୍ର ଉପରେ ଗବେଷଣା କରାଯାଇଛି। ବିସ୍ତୃତ ଭୌଗୋଳିକ ଏବଂ ଜେନୋମିକ୍ ନମୁନା ସଂଗ୍ରହକୁ ବ୍ୟବହାର କରି ପରିବେଶ ଏବଂ ଜଳବାୟୁ ଡାଟାସେଟ୍ ସହିତ ଡିଏନଏକୁ ଏକତ୍ର କରି ଏହି ଗବେଷଣା ଜନସଂଖ୍ୟା ଜେନେଟିକ୍ ଗଠନ, ଜନସଂଖ୍ୟା ଇତିହାସ ଆକଳନ କରିବାରେ ସଫଳ ହୋଇଛି। ଏହି ଗବେଷଣା ନୀଳରକ୍ତ କଙ୍କଡ଼ାଙ୍କ ଭବିଷ୍ଯତର ତିଷ୍ଠି ରହିବା ପାଇଁ ପ୍ରମୁଖ ବାସସ୍ଥାନ ସଂରକ୍ଷଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେରଣା ଏବଂ ଆବଶ୍ଯକ ବେସଲାଇନ୍ ତଥ୍ଯ ପ୍ରଦାନ କରେ ବୋଲି ବୈଜ୍ଞାନିକ ଟିମର ସଦସ୍ୟ ଡ. ସିଦ୍ଧାର୍ଥ ପତି କହିଛନ୍ତି।
ପ୍ରକାଶ ଥାଉ କି, ରାଜ୍ଯ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଡ. ସିଦ୍ଧାର୍ଥ ପତିଙ୍କୁ ତାଙ୍କର ନୀଳରକ୍ତ ଏବଂ ସାମୁଦ୍ରିକ ଜୀବ ଜଗତର ଗବେଷଣା ପାଇଁ ସମ୍ମାନଜନକ ‘ବିଜୁ ପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ ପୁରସ୍କାର’ ୨୦୨୪ ରେ ସମ୍ମାନିତ କରାଯାଇଛି।