ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ମୁଗୁନାପଦର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପୋତା ଯାଇଥିବା ଶବକୁ ପୁଲିସ ମାଟି ଭିତରୁ କାଢ଼ିଛି। ହତ୍ୟା ସନ୍ଦେହ କରି ପୁଲିସ ମୃତକଙ୍କ ସ୍ତ୍ରୀ, ପୂଅ ଓ ଜ୍ବାଇଁଙ୍କୁ ଥାନାରେ ଅଟକ ରଖିଥିବାବେଳେ ବଡ଼ ପୂଅ ଫେରାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ମୁଗୁନାପଦର ଗ୍ରାମର ଯଦୁ ଦଳପତି (୫୦)ଙ୍କୁ ତାଙ୍କ ପରିବାର ଲୋକେ ସ୍ବଭାବିକ ମୃତ୍ୟୁ ଦର୍ଶାଇ କାହାକୁ କିଛି ନ ଜଣାଇ ଘର ନିକଟସ୍ଥ ବାଡ଼ି ଭିତରେ ପୋତି ଦେଇଥିଲେ। ଏ ସମ୍ପର୍କରେ ଶନିବାର ଆମପାଣି ଥାନା ପୁଲିସ ଖବର ପାଇବା ପରେ ଥାନା ଅଧିକାରିଣୀ ବିଜୟାଲକ୍ଷ୍ମୀ ହିକୋକା ସଦଳବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ପରିବାର ଲୋକଙ୍କୁ ପଚରାଉଚରା ସହ ବିଭିନ୍ନ ଦିଗକୁ ତଦନ୍ତ କଲାପରେ ହତ୍ୟା ସନ୍ଦେହ କରିଥିଲେ। ଏହାପରେ ମୃତକଙ୍କ ସ୍ତ୍ରୀ, ସାନପୂଅ ଓ ଜ୍ବାଇଁଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି। ଅନ୍ୟପଟେ ମୃତକଙ୍କ ବଡ଼ପୂଅ ଫେରାର ହୋଇଥିବା ଜଣାପଡିଛି। ପୁଲିସ କହିବା ଅନୁଯାୟୀ ପାରିବାରିକ କଳହ କାରଣରୁ ଯଦୁଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଇଛି। ଏବଂ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ତଦନ୍ତ କରାଯାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ କୁମାର ବେହେରାଙ୍କ ଉପସ୍ଥିତିରେ ମାଟି ଭିତରୁ ଶବ କଢ଼ାଯାଇ କୋକସରା ମେଡିକାଳର ଡାକ୍ତର ଉମାକାନ୍ତ ଶବର ଓ ଦେବେନ୍ଦ୍ର ମାଝୀଙ୍କ ଦ୍ବାରା ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି। ତେବେ ଆମପାଣି ଥାନାରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି।