ବକଟପୁରଠାରେ ମାଁ ହିରାନୀଳାଙ୍କ ଝାମୁଯାତ୍ରା ସମ୍ପନ୍ନ: ଆସନ୍ତା ବର୍ଷରୁ ଆରମ୍ଭ ହେବ ଝାମୁଯାତ୍ରା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାଘମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ବକଟପୁର ଗାଁର ଅଧିଷ୍ଠାତ୍ରୀ ଦେବୀ ମାଁ ହୀରାନୀଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ପୂଜକମାନେ ମାଘମାସ ଦ୍ବିତୀୟା ଦିନ ୭ଟି ନୂଆ ଚାଙ୍ଗୁଡ଼ିରେ ନଦୀରୁ ବାଲି ଆଣି ବିଭିନ୍ନ ପ୍ରକାର ଶସ୍ୟ ଧାନ, ମକା, ମୁଗ, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବା ପାଇଁ ଚାଙ୍ଗୁଡ଼ିରେ ଥ‌ିବା ବାଲିରେ ପକାଇଥାନ୍ତି ଓ ଝାମେରା କଣ୍ଟାରେ ଦୋଳି ତିଆରି କରିଥାନ୍ତି।

Omkar Vasthu
Omkar Vasthu

ଗଜା ହୋଇଥିବା ବିହନ ଓ କଣ୍ଟା ତିଆରି ଦୋଳିକୁ ନବମୀ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚନା କରାଯାଇଥାଏ। ଏହି ଦିନ ମାଁ ହୀରାନୀଳା କଞ୍ଚା ମାଠିଆରେ ବସି ଭକ୍ତଙ୍କୁ ଦର୍ଶନ ଦେଇ ଥିବା ବେଳେ ଦଶମୀ ଦିନରେ ମାଆଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଗାଁରେ ଜୈନିକ ବ୍ୟକ୍ତିଙ୍କ ଦେହରେ ଦେବୀଙ୍କ ଆବିର୍ଭାବ ହେଇଥିଲା। ଏହାପରେ ଦେବୀଙ୍କ କାଳିସୀ ମୁଖ୍ୟ ପୀଠସ୍ଥଳୀ ହୀରାନୀଳା ପାହାଡକୁ ଶହଶହ ଶ୍ରଦ୍ଧାଳୁ ଯାଇ ନିଜ ମାନସିକ ଆସ୍ଥାନରେ ଝଣ୍ଡା ବାନ୍ଧି ମାନସିକ କରିଥିଲେ। ହିରାନୀଳା ପାହାଡ଼ ଉପରେ ଝଣ୍ଡା ବାନ୍ଧିଲେ ମାନସିକ ପୁରଣ ହୁଏ ବୋଲି ବିଶ୍ବାସ କରିଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ। ଏହା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଗ୍ରାମରେ ଥ‌ିବା ବାଲିଘରକୁ ଫେରି ଆସିଥିଲେ।

Pearl dental clinic
Near Ashish Medical Store, Bhawanipatna

ପ୍ରଥମେ ଗାଁ ଗୋନ୍ତିଆ ବିକ୍ରମାଦିତ୍ୟ ବାରିକଙ୍କ ଘରକୁ ଯାଇ ପୂଜା ପରେ ସେଠାରୁ ଝାମୁଯାତ୍ରା ପଡିଆକୁ ଫେରିଥିଲେ। ଫେରିବା ପରେ ପ୍ରଥମେ ମୁନିଆ ଝାମେରା କଣ୍ଟାରେ ତିଆରି ଦୋଳିରେ ବସି ଭକ୍ତମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାପରେ ଡହଡ଼ହ ତତଲା ନିଆଁରେ ଦେବୀଙ୍କ କାଳିସୀ ନିଆଁରେ ଚାଲିବା ସହ ନିଜର ଶକ୍ତିର ପରିଚୟ ଦେଇଥିଲେ। ଏହାପରେ ମାନସିକ କରିଥିବା ଭକ୍ତ ମାନେ ମାନସିକ ଅନୁଯାୟୀ ପୋଢ, ଛେଳି ଓ ବହୁ ସଂଖ୍ୟକ କୁକୁଡ଼ା ପାରା ବଳି ଦିଆଯାଉଥିଲା। ଏଥିରେ ପୋଖରୀବନ୍ଧ ମାଁ ହିରାନୀଳା ଷ୍ଟୋନ କ୍ରସର ମାଲିକ ଶାନ୍ତିଲତା ସାହୁଙ୍କ ପକ୍ଷରୁ ରମେଶ ଚନ୍ଦ୍ର ସାହୁ ଦୁଇଟି ରୈପ୍ୟ ମୁକୁଟ ପ୍ରଦାନ କରିଥିଲେ।

Udyog Nursery
Udyogi Nursery

ମାଁ ହୀରାନୀଳାଙ୍କ ମୁଖ୍ୟ ପୂଜକ ଦେବାନନ୍ଦ ସାହୁ ବାହୁକ ଶରତ ଗଣ୍ଡା, ମନୁ ବେହେରା, ତହସିଲ ବେହେରା, ପ୍ରେମାନନ୍ଦ ବେହେରା ପୂଜାର୍ଚ୍ଚନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ଵନାଥପୁର ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଯୋଗଦେଇ ମାଁ ହିରାନୀଳା ଦେବୀଙ୍କ ଆଶିର୍ବାଦ ଲାଭ କରିଥିଲେ। ତେବେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବା ବେଳେ ଏଥିରେ ବିଶେଷ ଆକର୍ଷଣ ପଶ୍ଚିମ ଓଡ଼ିଶାର ହାସ୍ୟା ଅଭିନେତା ଯୋଗେଶ ଜୋଜୋଙ୍କ କମେଡି, ନାଚ ଦର୍ଶକଙ୍କ ମନ ମୋହିଥିଲା। ଏଥିରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।

ମାଁ ହିରାନୀଳା ପୂଜା କମିଟିର ସଭାପତି ସୁଧାଂଶୁ ଶେଖର ବାରିକଙ୍କ ନେତୃତ୍ୱରେ ଉପସଭାପତି ଦେବାନନ୍ଦ ସାହୁ, ପରିଚାଳକ କିଶୋର କୁମାର ସାହୁ, ସମ୍ପାଦକ କୃଷ୍ଣ ବେହେରା, ସହ ସମ୍ପାଦକ ଫକିର ଗଣ୍ଡା, କୋଷାଧ୍ୟକ୍ଷ ମୁକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତରହି ନିଜ ନିଜ କାର୍ଯ୍ୟ ତୁଲାଇଥିଲେ। ଏଥିରେ ବକଟପୁର ଗ୍ରାମବାସୀ ତଥା ପୋଖରୀବନ୍ଧ ଅଞ୍ଚଳବାସୀ ସହଯୋଗ କରିଥିଲେ। ତେବେ ଆସନ୍ତା ବର୍ଷରୁ ବକଟପୁରରେ ଝାମୁଯାତ୍ରା ମହୋତ୍ସବ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ଦାରପଟାରେ ମଧ୍ୟ ମାଁ ହୀରାନୀଳାଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.