ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ତରଫରୁ ଗୋବିନ୍ଦରାମ କେଡ଼ିଆ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସାନ୍ଦୁଲ ପଡିଆ ଠାରେ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ରବିବାର ଆରମ୍ଭ ହୋଇଯାଇଛି ଗୋବିନ୍ଦରାମ କେଡିଆ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା । ଏହାର ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୋବିନ୍ଦରାମ କେଡିଆଙ୍କ ସୁପୁତ୍ର ବିମଲ କୁମାର କେଡିଆ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ।

ଏହାସହିତ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଖେଳ ପଡ଼ିଆରେ ନବ ନିର୍ମିତ ମଞ୍ଚକୁ ମଧ୍ୟ ନାରିକେଳ ଭାଙ୍ଗି ଫିତାକାଟି ଉଦ୍ଘାଟନ କରିଥିଲେ ଶ୍ରୀ କେଡିଆ। ଏଥିରେ ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଦୀଲିପ କୁମାର ଗହୀର, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଉଗ୍ରେସନ ଗଉଡ, କୁମୁଦଚନ୍ଦ୍ର ନାଏକ, ଯୁବନେତା ନରସିଂହ ଥପା, ପ୍ରଫୁଲ୍ଲ କୁମାର ନାଗ, ବାବୁଲା ରାଉତ, ବୁଲୁ ମିଶ୍ର, ଦେବେନ ଗଉଡ, ପ୍ରମୋଦ କୁମାର ରାଉତ, ଯଦୁ ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୮ ଗୋଟି ଟିମ ଯୋଗଦାନ କରିଥିବା ବେଳେ ଉଦ୍ଘାଟନୀ ମ୍ୟାଚ ଫ୍ରେଣ୍ଡସ କ୍ଲବ ଭବାନୀପାଟଣା ଓ ବାଲିଗୁଡା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିଣି ଭାବନୀପାଟନା ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ୯ ୱିକେଟ ହରାଇ ୧୦୬ ରନ କରିଥିବା ବେଳେ ଜବାବରେ ବାଲିଗୁଡା ଏକାଦଶ ୧୧.୪ ଓଭରରେ ୧୧୦ ରନ କରି ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇ ବିଜୟୀ ହୋଇଥିଲା ।

ସେହିଭଳି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଫାୟାରବଲ ଏକାଦଶ ଓ ଫ୍ରେଣ୍ଡସ ଏସୋସିଏସନ ଭବାନୀପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାୟାରବଲ ଏକାଦଶ ପ୍ରଥମ ବ୍ୟାଟିଂ କରି ୧୦.୨ ଓଭରରେ ସମସ୍ତ ଖେଳାଳୀ ଧରାଶାୟୀ ହୋଇ ମାତ୍ର ୭୭ ରନ ସଂଗ୍ରହ କରିପାରିଥିଲେ । ଜବାବରେ ଫ୍ରେଣ୍ଡସ ଏସୋସିଏସନ ଭବାନୀପାଟଣା ୯.୩ ଓଭରରେ ୮୦ ରନ କରି ବିଜୟୀ ହୋଇଥିଲେ । ପରମାନନ୍ଦ ଗଉଡ, ନେପାଳ ନାଏକ, ସତ୍ୟ ନାଏକ ପ୍ରମୁଖ ଅମ୍ପାୟର ଭାବରେ ଦୁଇଗୋଟି ମ୍ୟାଚ ପରିଚାଳନା କରିଥିଲେ । ରୁପେସ ନାଗ ସ୍କୋରବୋର୍ଡ ଦାଇତ୍ୱ ନିର୍ବାହନ କରିଥିବା ବେଳେ ଭବାନୀଶଙ୍କର ବାଗ ଓ ଚକ୍ରଧର ସା ଧାରାବିବରଣୀ ପ୍ରଦାନ କରିଥିଲେ ।

ଆୟୋଜକ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବର ବରିଷ୍ଠ ସଦସ୍ୟ ପ୍ରହ୍ଲାଦ ସେଠୀ, ଭବାନୀଶଙ୍କର ବାଗ, ଜୟଦେବ ପୋଢ, ଜତୀନ ସା, ମାନସ ସା, ଆଶିଷ ବିଶ୍ୱାଳ, ବସନ୍ତ ମିଶ୍ର, ପିଣ୍ଟୁ ପଟ୍ଟନାୟକ ପ୍ରମୁଖଙ୍କ ସମେତ କ୍ଲବର ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଚମ୍ପିଅନ ଟିମ ପାଇଁ ଟ୍ରଫି ସହ ୪୦,୦୦୦ ଟଙ୍କା ନଗଦ ରାଶି ଓ ଉପବିଜେତା ଦଳ ପାଇଁ ଟ୍ରଫି ସହ ୨୫, ୦୦୦ ଟଙ୍କା ନଗଦ ପୁରସ୍କାର ରାଶି ରଖାଯାଇଥିବା ଜଣାପଡିଛି । ଆସନ୍ତା ୧୩/୨ ରେ ଏହାର ଫାଇନାଲ ଖେଳ ଅନୁଷ୍ଠିତ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.