ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମଝିପଡା ରାମଧୂନ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ରାମଧୂନ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ମ୍ୟାଚ ଭୁବନେଶ୍ବର ଜଗା ୟୁନାଇଟେଡ୍ ଏବଂ ବିହାରର ମା’ କାମାକ୍ଷା କ୍ଲବ ମଧ୍ୟରେ ହୋଇଥିଲା। ଏଥିରେ ଭୁବନେଶ୍ଵର ଜଗା ୟୁନାଇଟେଡ୍ ଦଳ ୪-୧ ଗୋଲ ବ୍ୟବଧାନରେ ବିହାରକୁ ହରାଇ ବିଜୟୀ ହେବା ସହ ସେମି ଫାଇନାଲକୁ ଉନ୍ନିତ ହୋଇଛି। ଭୁବନେଶ୍ଵର ଦଳ ପକ୍ଷରୁ ଅଭୟ ମୁଣ୍ଡା ଗୋଟିଏ, ରକି ଓରାମ ୨ଟି ଏବଂ ହରି ନାଏକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ସେହିପରି ବିହାର ଦଳ ପକ୍ଷରୁ ମିଷ୍ଟର ଜେମ୍ସ ଗୋଟିଏ ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସୋନପୁର ଏସଡିପିଓ ପ୍ରତାପଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସୋନପୁର ପୌରପରିଷଦର ନିର୍ବାହୀ ଅଧିକାରୀ ଋଷି ମାଝି, ପ୍ରଶାନ୍ତ କୁମାର ବାବୁ, ରୂପେଶ ଅଗ୍ରୱାଲ, କୋଶଳେଶ୍ଵର ବହିଦାର, ବୈକୁଣ୍ଠ ଶତପଥୀ, ଭେଟେରାନ ଫୁଟ୍ବଲ ଖେଳାଳି ଆଶାରାମ ନାଏକ, ପୁରୁଷୋତ୍ତମ ପାଣିଗ୍ରାହୀ, ସରୋଜ ଦାଶ, ମନୋଜ ବାଗ, ବିଶ୍ଵାମିତ୍ର ନାଏକ, ବାବୁଲା ବେବର୍ଷା, ତ୍ରିଲୋଚନ ଷାଣ୍ଢ ପ୍ରମୁଖ ଯୋଗଦେଇଥିଲେ। ଭୁବନେଶ୍ୱର ଜଗା ୟୁନାଇଟେଡ୍ ଦଳର ରକି ଓରାମଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ରେଫରୀ ଭାବେ ସୁବ୍ରତ ପୁରୋହିତ, ସୁଜିତ ରାଜହଂସ ଓ ଜିତୁ ପାତ୍ର ଲାସନ୍ସ ମ୍ୟାନ ଏବଂ ଶିବ ସାହୁ ଫୋର୍ଥ ଅଫିସିଆଲ ଭାବେ ଦାୟିତ୍ବ ତୁଲାଇଥିଲେ । ପ୍ରଭୁଦତ୍ତ କୁମ୍ଭାର ଧାରା ବିବରଣୀ ପ୍ରଦାନ କରିଥିଲେ। ରାମଧୂନ କ୍ଲବର ସମ୍ପାଦକ ପିୟୂଷ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବିକାଶ ପଣ୍ଡା ସଂଯୋଜନା କରିଥିଲେ। ଶେଷରେ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।