ବାଲେଶ୍ଵରରେ ଅନୁଷ୍ଠିତ ହେଲା ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନର ସିଧାପ୍ରସାରଣ କାର୍ଯ୍ୟକ୍ରମ

ଜିଲ୍ଲାରୁ ଦ୍ଵିତୀୟ କିସ୍ତି ପାଇଲେ ୫୮୪୩୧୦ ହିତାଧିକାରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରେରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ଉତ୍କଳ ବାଳାଶ୍ରମ ପରିସର ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡା ଏବଂ ଯୁବସେବା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ କହିଥିଲେ ଯେ ସୁଭଦ୍ରା ଯୋଜନା ଆଜି ଏକ ବିପ୍ଲବରେ ପରିଣତ ହୋଇଛି। ଏହି ଯୋଜନା ଦ୍ୱାରା କିଶୋରୀମାନଙ୍କ ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଉଛି । ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରାଙ୍କ ମନରେ ଏକ ନୂତନ ଆଶା ଓ ବିଶ୍ୱାସର ସଂଚାର କରିପାରିଛି ।

ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ବାଲେଶ୍ଵର ସଦର ବିଧାୟକ ଶ୍ରୀ ମାନସ ଦତ୍ତ, ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଓ ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗତ ୯ ମାସ ମଧ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଲେଶ୍ୱର ଜିଲ୍ଲାରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହିବା ସହ ସମସ୍ତେ ସୁଭଦ୍ରା ଯୋଜନାରେ ପାଇଥିବା ଟଙ୍କାକୁ ସଦୁପଯୋଗ କରି ବିକଶିତ ଓଡିଶା ଓ ବିକଶିତ ଭରତ ଗଠନରେ ଭାଗୀଦାରୀ ହେବା ପାଇଁ ଉତ୍ସାହିତ କରିଥିଲେ ।

ସୂଚନାଯୋଗ୍ୟ କି, ଏଥର ବାଲେଶ୍ୱର ଜିଲ୍ଲାରୁ ସର୍ବମୋଟ ୫୮୪୩୧୦ ଜଣ ହିତାଧିକାରୀ ଦ୍ଵିତୀୟ କିସ୍ତିର ଟଙ୍କା ନିଜ ବ୍ୟାଙ୍କ ଖାତାରେ ପାଇଛନ୍ତି । ସମସ୍ତେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖିବା ସହ ଜିଲ୍ଲା ମହିଳା ଏବଂ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ନିଷ୍ଠାପର କର୍ମଚାରୀଙ୍କୁ ସମ୍ମାନିତ କରା ଯାଇଥିଲା । ଏତଦବ୍ୟତୀତ ୫୧ତମ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲାର ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡି କର୍ମୀ ଓ ହେଲପର ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଓ କର୍ମୀଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ହେମନ୍ତ କୁମାର ସିଂ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ଡିଏସଡବ୍ଲୁଓ ଶ୍ରୀମତୀ ଗୌରୀ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.