• ସମସ୍ତ ବିଭାଗ ମେଡିକାଲ କଲେଜ କ୍ୟାମ୍ପସକୁ ସ୍ଥାନାନ୍ତର କେବେ ହେବ, ପ୍ରଶ୍ନ ଉଠାଇଲେ ବିଧାନସଭାରେ ବିଧାୟକ ଗୌତମବୁଦ୍ଧ ଦାସ
ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ ରେମୁଣା ସ୍ଥାନାନ୍ତରକୁ ବର୍ଷେ ଅତିବାହିତ ହୋଇଥିଲେ ମଧ୍ୟ ଏଯାଏଁ ମେଡିକାଲ କଲେଜ ହୋଇ ପାରିନାହିଁ ସ୍ଵୟଂସମ୍ପୂର୍ଣ୍ଣ। ଅଧିକାଂଶ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲୁଥିବାର ଦେଖିବାକୁ ମିଳୁଛି। ଫଳରେ ରୋଗୀମାନେ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏ ନେଇ କେହି ମୁହଁ ଖୋଲୁନଥିବା ବେଳେ ସଂପ୍ରତି ବିଧାନସଭାରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ପ୍ରଶ୍ନ ଉଠାଇଛନ୍ତି।
ଗୌତମବୁଦ୍ଧ ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରୁ ଫକୀରମୋହନ ମେଡିକାଲ କଲେଜ କ୍ୟାମ୍ପସକୁ ବର୍ତ୍ତମାନ ସୁଦ୍ଧା କେତୋଟି ବିଭାଗ ସ୍ଥାନାନ୍ତରିତ ହୋଇଛି ଏବଂ କେତୋଟି ବିଭାଗ ମୁଖ୍ୟ ଡାକ୍ତରଖାନାରେ ରହିଛି, ଅବଶିଷ୍ଟ ବିଭାଗଗୁଡିକ କେବେ ସୁଦ୍ଧା ମୁଖ୍ୟ ଡାକ୍ତରଖାନାରୁ ମେଡିକାଲ କଲେଜ କ୍ୟାମ୍ପସକୁ ସ୍ଥାନାନ୍ତର କରାଯିବ ? ଏହାର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଛନ୍ତି, ବାଲେଶ୍ଵର ଏଫ୍ ଏମ୍ ଏମସିଏଚର ମେଡିସିନ୍, ଚର୍ମ, ମନସ୍ତାତ୍ତ୍ୱିକ, ଦନ୍ତ, ପଲମୋନାରୀ ମେଡିସିନ୍ ବିଭାଗର ଓପିଡି ଏବଂ ମେଡିସିନ, ଚର୍ମ, ମନସ୍ତାତ୍ତ୍ୱିକ ଓ ଦନ୍ତ ବିଭାଗର ଆଇପିଡି ନୂତନ ଟିଚିଂ ହସ୍ପିଟାଲ୍ ରେ ଚାଲୁ ରହିଛି। ଜେନେରାଲ ସର୍ଜରୀ, ଅର୍ଥୋପେଡ଼ିକସ୍, ପିଡିଆଟ୍ରିକସ୍ , ଇଏନଟି, ଓପଥାଲମୋଲୋଜି, ଓ ଆଣ୍ଡ ଜି ଏବଂ ଆନାସ୍ଥେସିଆ (ନିଶ୍ଚେତକ) ବିଭାଗଗୁଡ଼ିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଅଛି। ନୂତନ ଟିଚିଂ ହସପିଟାଲ୍ ରେ ମେଜର୍ ଓଟି କାର୍ଯ୍ୟକ୍ଷମ ହେବା ପରେ ଓପଥାଲମୋଲୋଜି ଏବଂ ଇଏନଟି ବିଭାଗ ସ୍ଥାନାନ୍ତରଣ ହେବ।
ମଡୁଲାର୍ ଓଟି ଏବଂ ସିଏସଏସଡି ୟୁନିଟ୍ କାର୍ଯ୍ୟକ୍ଷମ ହେବା ପରେ ସର୍ଜରୀ, ଅର୍ଥୋପେଡ଼ିକସ୍, ପିଡିଆଟ୍ରିକସ୍, ଓ ଆଣ୍ଡ ଜି ଏବଂ ଆନାସ୍ଥେସିଆ ବିଭାଗ ଗୁଡିକ ସ୍ଥାନାନ୍ତରଣ ହେବ। ନେସନାଲ ମେଡିକାଲ କମିଶନ (ଏନ୍ ଏମ ସି) ଙ୍କ ନିୟମାବଳୀ ଅନୁଯାୟୀ ପଲମୋନାରୀ ମେଡିସିନ୍ ଏବଂ ଡେଣ୍ଟିଷ୍ଟ୍ରି(ଦନ୍ତ) ବିଭାଗ ପାଇଁ ସ୍ବତନ୍ତ୍ର ଶଯ୍ୟାର ବ୍ୟବସ୍ଥା କରାଯାଇନାହିଁ। ଆବଶ୍ୟକସ୍ଥଳେ ଏହି ବିଭାଗର ରୋଗୀମାନଙ୍କୁ ମେଡ଼ିସିନ୍ ବିଭାଗର ଆଇପିଡିରେ ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି। ଜରୁରୀକାଳୀନ ମେଡିସିନ ବିଭାଗଟି ନୂତନ ବିଲଡିଂର କାଜୁଆଲଟିରେ କାର୍ଯ୍ୟ କରୁଅଛି।
ସୂଚନାଯୋଗ୍ୟ, ୨୦୨୪ ମାର୍ଚ୍ଚ ୨ ତାରିଖରେ ରେମୁଣାରେ ହୋଇଥିବା ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲର ନୂତନ ବିଲଡିଂ ଉଦଘାଟନ ହୋଇଥିଲା। ଏଥିମଧ୍ୟରେ ଏକ ବର୍ଷ ହୋଇଗଲାଣି। କିନ୍ତୁ ସମ୍ପୂର୍ଣ୍ଣ ଭାବେ ସମସ୍ତ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଯାଏଁ ସ୍ଥାନାନ୍ତର ହୋଇପାରିନି। ରେମୁଣାରେ ଓପିଡି ସହ ମେଡିସିନ ବିଭାଗ ଚାଲୁଥିବା ବେଳେ ବାକି ସମସ୍ତ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲୁଅଛି। ରେମୁଣା ନୂତନ ବିଲଡିଂ କାମ ୨୦୨୨ରେ ସମ୍ପୂର୍ଣ୍ଣ ହେବାର ଥିବାବେଳେ ତାହା ଆଜି ବି ଅସମ୍ପୂର୍ଣ୍ଣ। ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଟିଏ ରୋଗ ଦେଖେଇବାକୁ ଆସି ଥରେ ବାଲେଶ୍ଵର ସହରକୁ ତ ଥରେ ରେମୁଣାକୁ ଯିବାକୁ ପଡ଼ୁଛି।