ରେଖପୁରରେ ଆରମ୍ଭ ହେଲା ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ

ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଷଷ୍ଠ ଦିବସ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବୁଧବାର ସକାଳ ୭.୩୪ ରୁ ନର୍ଲା ବ୍ଲକ ଅନ୍ତର୍ଗତ ରେଖପୁର ଗ୍ରାମରେ ଆରମ୍ଭ ହୋଇଛି ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ। ପରମ ପବିତ୍ର ହରି ନାମରେ ମୁଖରିତ ହୋଇ ଉଠିଛି ପଲ୍ଲୀ ପରିବେଶ। ଗ୍ରାମର ଆବାଳବୃଦ୍ଧବନିତା ଏଥିରେ ସାମିଲ ହୋଇଛନ୍ତି। ତିନି ଦିନ ଧରି ଆୟୋଜିତ ହେବାକୁଥିବା ଏହି ନାମ ଯଜ୍ଞରେ କଳାହାଣ୍ଡି ସମେତ ପଡୋଶୀ ଜିଲ୍ଲା ମାନଙ୍କର ଅନେକ ସଂକିର୍ତ୍ତନ୍ୟ ମଣ୍ଡଳୀ ଯୋଗଦେବେ। ଗତ ୭ ତାରିଖରୁ ରେଖପୁର ଗ୍ରାମରେ ମହାସମାରୋହରେ ଚାଲିଛି ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ। ମଙ୍ଗଳବାର ଶ୍ରୀ ରାଧାକୃଷ୍ଣ ବୈଦିକ ବିଧାନ ଅନୁସାରେ ସିଂହାସନ ଆରୋହଣ କରିଥିବାବେଳେ ବୁଧବାର ଏହି କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ଆରମ୍ଭ ହୋଇଛି ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ। ଏଥିରେ କର୍ତ୍ତା ଭାବେ ରେଖପୁର ଗୈାନ୍ତିଆ ଟଙ୍କଧର ଭୋଇଙ୍କ ସୁପୁତ୍ର ଟର୍ଜିନ ଭୋଇ ଏବଂ ପୁତ୍ରବଧୂ ବାସନ୍ତୀ ଭୋଇ, ଅନ୍ୟତମ କର୍ତ୍ତା ଭାବେ ସାନ ଗୈାନ୍ତିଆ ସ୍ବର୍ଗତ କାମଦେବ ଭୋଇଙ୍କ କନିଷ୍ଠ ପୁତ୍ର ଗୁଣନିଧି ଭୋଇ ଏବଂ ପୁତ୍ରବଧୂ ରାଜଶ୍ରୀ ଭୋଇ, ଟିକେରାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୋଭାବତୀ ଭୋଇ, ଦୟାନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ, ଶ୍ୟାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଭୋଇ କାର୍ଯ୍ୟ ସଂପାଦନ କରୁଛନ୍ତି। ଗ୍ରାମ୍ୟ ପଣ୍ଡିତ ଅର୍ଜୁନ ମିଶ୍ର ନାମ ଯଜ୍ଞରେ ଅବସ୍ଥାପିତ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ପଣ୍ଡିତ ମନୋଜ କୁମାର ସତପଥି ଏବଂ ସାଥି ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରତିଟି ପର୍ଯ୍ୟାୟ ସୂଚାରୁରୂପେ ସଂପାଦନ କରିଛନ୍ତି। ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇ, ମନ୍ଦିର ପ୍ରତିଷ୍ଠା ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା, ଉପସଭାପତି ଯୁଧିଷ୍ଠିର ଭୋଇ, ସମ୍ପାଦକ ଗୁଣମଣି ଭୋଇ, ଯୁଗ୍ମ ସଂପାଦକ ସତ୍ୟଧର୍ମ ଭୋଇ, କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼, ଉପକୋଷାଧ୍ୟକ୍ଷ ଟିକେରାମ ଭୋଇଙ୍କ ସହ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ମାର୍ଚ୍ଚ ୭ରୁ ୧୦ ପର୍ଯ୍ୟନ୍ତ କଂସ ଦରବାର ଆୟୋଜିତ ହୋଇଥିବା ବେଳେ ଜନସାଧାରଣ ମିନାବଜାରର ମଜା ନେଉଛନ୍ତି। ମାର୍ଚ୍ଚ ୧୨ ସକାଳୁ ଚବିଶ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଛି, ଯାହା ୧୫ ତାରିଖ ହୋଲି ଉତ୍ସବ ଦିନ ସମାପନ ହେବ। ପ୍ରତିଦିନ ମଧ୍ୟାହ୍ନ ଓ ରାତିରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାର ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ମନ୍ଦିର ପ୍ରତିଷ୍ଠାର ପ୍ରତ୍ୟକ କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମର ଶେଷ ଦିବସରେ ନାମ ଯଜ୍ଞର ବିଶ୍ରାମ, ଦଧିହାଣ୍ଡି ଭଗ୍ନ, ନଗର ପରିକ୍ରମା, ଫଗୁ ଯାତ୍ରା ଓ ଯମୁନା ସ୍ନାନ ହେବ ବୋଲି ପରିଚାଳନା କମିଟି ସଭାପତି ନାରାୟଣ ସେଲମା ସୂଚନା ଦେଇଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.