ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୌଦ୍ଧିକ ଶକ୍ତିର ବିକାଶ ଓ ଜୀବନ ସଂସ୍କାର ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜିର ଯୁବ ସମାଜକୁ ଦିଗଦର୍ଶନର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରର ବିଜ୍ଞାନ ଭବନରେ ଏକ ପ୍ରେରଣାଦାୟୀ ଓ ମୂଲ୍ୟବୋଧ ଭିତ୍ତିକ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟର ସୁପ୍ରସିଦ୍ଧ ପ୍ରବଚକ ତଥା ନୂଆଦିଲ୍ଲୀ ସ୍ଥିତ ବ୍ରହ୍ମକୁମାରୀ ଅନୁଷ୍ଠାନର ଜୋନାଲ ସଂଯୋଜକ ବି.କେ. ପିୟୁଷ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ସୁଖୀ ରହିବାର ସୂତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଯୋଗ ମାଧ୍ୟମରେ ବୌଦ୍ଧିକ ବିକାଶର ବିଭିନ୍ନ ଦିଗ ଓ ପ୍ରସଙ୍ଗକୁ ଉଦାହରଣ ସହିତ ଉପସ୍ଥାପନ କରିଥିଲେ। ଏଥି ସହିତ ଜୀବନ ସଂସ୍କାରର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

‘ଟେପିଙ୍ଗ ଇନର ପୋଟେନସିଆଲ’ ଶୀର୍ଷକ ଏହି ଆଲୋଚନା ଚକ୍ରରେ ନକାରାତ୍ମକ ଚିନ୍ତାଧାରାକୁ ତ୍ୟାଗ କରି ମାନସିକ ଚାପ ମୁକ୍ତ ରହିବାକୁ ଆହ୍ୱାନ ଦିଆ ଯାଇଥିଲା। ଏହି ଅବସରରେ ଆବାହକ ଅଧ୍ୟକ୍ଷ ପ୍ରଫେସର୍ ଦିଲ୍ଲୀପ କୁମାର ଘୋଷ ପୌରୋହିତ୍ୟ କରିଥିବା ବେଳେ ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଅନିରୁଦ୍ଧ ବେହେରା ଅତିଥି ଅରିଚୟ ପ୍ରଦାନ କରିଥିଲେ।

ମହାବିଦ୍ୟାଳୟର ଅଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା ବିଭାଗ (ଆଇ.କ୍ଯୁ.ଏ.ସି.) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡକ୍ଟର ମୌସୁମୀ ଦାସ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବ୍ରହ୍ମ କୁମାରୀ ସଂସ୍ଥାନ ତରଫରୁ ବି.କେ. ଗୋପାଳ ଜେନା ଓ ଶୁଭଶ୍ରୀ କୁମାରୀ ପରିଚାଳନାରେ ସହାୟତା କରିଥିଲେ। ପରିଶେଷରେ ଆଇ.କ୍ଯୁ.ଏ.ସି. ତରଫରୁ ଡକ୍ଟର ଅନିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.