ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଆଲୋଚନାରେ ସୁବାସିନୀଙ୍କ ସୂଚନା
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରାଜ୍ୟ ବଜେଟ୍ ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବୀ ଉପରେ ବିଧାନସଭାରେ ହୋଇଥିବା ଆଲୋଚନା ବେଳେ ବସ୍ତା ବିଧାୟିକା ସୁବାସିନୀ ଜେନା ଅଂଶ ଗ୍ରହଣ କରି ନିଜ ବକ୍ତବ୍ୟରେ ଆମ ଓଡ଼ିଶାରେ ମାତ୍ର ୨୮ପ୍ରତିଶତ ସ୍କୁଲ୍ ରେ କମ୍ପ୍ୟୁଟର ଥିବା ବେଳେ କେରଳରେ ୯୫ପ୍ରତିଶତ ଓ ଦିଲ୍ଲୀରେ ୯୩ ପ୍ରତିଶତ ସ୍କୁଲରେ କମ୍ପ୍ୟୁଟର ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଥିଲେ।ବିନା କମ୍ପ୍ୟୁଟରରେ ଆମ ପିଲାମାନେ ଆଗକୁ ଯାଇପାରିବେ ନାହିଁ। ତେଣୁ ବର୍ତ୍ତମାନର ରାଜ୍ୟ ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏଥି ସହିତ ସେ ସରକାରଙ୍କୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ବଜେଟ୍ ସାଇଜକୁ ବଢେଇ ୩୧,୧୮୫ କୋଟି କରିଥିବା ପାଇଁ ଧନ୍ୟବାଦ୍ ଦେଇଥିଲେ। କିନ୍ତୁ ସର୍ବଭାରତୀୟ ସ୍ତରରେ ଶିକ୍ଷା ପାଇଁ ଅନ୍ୟୁନ ୧୫ ପ୍ରତିଶତ ବଜେଟ୍ ଥିବା ବେଳେ ଓଡିଶା ରେ ତାହା ମୋଟ ୧୪ ପ୍ରତିଶତ ରହିଛି ତେଣୁ ସରକାର ଏହାକୁ ବଢାଇ ଅନ୍ୟୁନ ୧୫ ପ୍ରତିଶତ କରିବାକୁ ଦାବୀ କରିଥିଲେ । ସେ କହିଥିଲେ କେରଳରେ ଏହା ୧୬ ପ୍ରତିଶତ ଥିବା ବେଳେ ଦିଲ୍ଲୀରେ ରହିଛି ୧୮ ପ୍ରତିଶତ ରହିଛି । ଓଡ଼ିଶାରେ ସ୍ବାକ୍ଷରତା ହାର ଏବେ ୭୭ ପ୍ରତିଶତ ରହିଥିବା ବେଳେ କେରଳରେ ୯୭ ପ୍ରତିଶତ, ଦିଲ୍ଲୀ ଓ ତାମିଲନାଡୁରେ ଏହା ୮୮ ପ୍ରତିଶତ ରହିଛି। ତେଣୁ ଆମର ସ୍ୱାକ୍ଷରତା ହାର ବଢାଇବା ପାଇଁ ଏକ ପାଞ୍ଚ ବର୍ଷିୟା ଯୋଜନା କାର୍ଯ୍ୟକାରୀ କରିବାକୁ ସେ ଦାବୀ କରିଥିଲେ। ସେ କହିଥିଲେ ଇଂରେଜମାନେ ଯେତେବେଳ ଆମ ଦେଶକୁ ଶାସନ କରୁଥିଲେ ସେମାନେ ସେତେବେଳେ ଚିନ୍ତା କରିଥିଲେ ଦେଶକୁ ୨୦୦ ରୁ ୨୫୦ ବର୍ଷ ଶାସନ ଯଦି କରାଯିବ ପ୍ରଥମେ ଏ ଦେଶର ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ଦେବା ନିହାତି ଆବଶ୍ୟକ, ଯୋଉଥିପାଇଁ ଆମ ଶିକ୍ଷାର ମୂଳଦୁଆ ଥିଲା ଗୁରୁକୁଳ ଆଶ୍ରମର ବ୍ୟବସ୍ଥା। ତାକୁ ସେମାନେ ଭାଙ୍ଗି ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥା ଆଣିବାକୁ ଚାହୁଁଥିଲେ। ଏହାର ପରିଣାମ ହେଲା ଯେତେବେଳେ ଇଂରେଜମାନେ ୧୯୪୭ ମସିହାରେ ଦେଶ ଛାଡ଼ିଲେ ଆମ ସ୍ୱାକ୍ଷରତା ହାର ଥିଲା ମାତ୍ର ୧୫ ପ୍ରତିଶତ। ତା ଭିତରେ ମହିଳାଙ୍କ ହାର ଥିଲା ମାତ୍ର ୫ ପ୍ରତିଶତ ଯାହା ଏବେ ପାଖାପାଖି ୮୦ ପ୍ରତିଶତରେ ପହଞ୍ଚିଛି । ସ୍ବାଧିନତା ପରେ ବିଭିନ୍ନ ସରକାର କ୍ଷମତାକୁ ଆସିଛନ୍ତି ଏବଂ ସମସ୍ତଙ୍କ ପ୍ରଚେଷ୍ଟା ରହିଛି ସ୍ୱାକ୍ଷରତା ବଢେଇବା ପାଇଁ । ଶିକ୍ଷା ଅଧିକାର ପ୍ରଣୟନ ହେଇଥିଲା ୨୦୦୯ ମସିହାରେ ୨୦୦୦ ରୁ ୨୦୨୪ ମଧ୍ୟରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା ଏହାର ନେତୃତ୍ଵ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାକ୍ଷରତା ହାର ୨୦୦୦ ମସିହାରେ ୬୩ ପ୍ରତିଶତ ଥିବା ବେଳେ ୨୦୨୪ ମସିହାରେ ଏହା ୭୭ ପ୍ରତିଶତରେ ପହଞ୍ଚିଛି । ଏଥି ସହିତ ଆଦିବାସୀ ପିଲାମାନଙ୍କ ପାଇଁ ହୋଇଥିବା ଆବାସିକ ବିଦ୍ୟାଳୟ ଉଲ୍ଲେଖନୀୟ ପଦକ୍ଷେପ ଥିଲା । ଏଥି ସହିତ ସେ କହିଥିଲେ ଓଡ଼ିଶାରେ ବାଳିକା ମାନଙ୍କ ପାଇଁ ମାତ୍ର ୮୭ ପ୍ରତିଶତ ଶୌଚାଳୟ ଉଦ୍ଦିଷ୍ଟ ଥିବାବେଳେ କେରଳରେ ଶତପ୍ରତିଶତ ଉଦ୍ଦିଷ୍ଟ ଅଛି। ତେଣୁ ସରକାର କେତେଦିନ ଭିତରେ ଶତ ପ୍ରତିଶତ ନିର୍ମାଣ କରିବେ ତା ପାଇଁ ବଜେଟରେ ଘୋଷଣା କରନ୍ତୁ। ସେକେଣ୍ଡାରୀ ଲେବୁଲ ଡ୍ରପଆଉଟ୍ ରେଟ୍ ଓଡ଼ିଶାରେ ୨୭ପ୍ରତିଶତ ଥିବା ବେଳେ କେରଳରେ ଏହା ୧୦ପ୍ରତିଶତ ଯାହାକି ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ଅଟେ। ତେଣୁ ଏଥିପାଇଁ ସରକାର ବିଧିବଦ୍ଧ ପଦକ୍ଷେପ ନେବାକୁ ସେ ପ୍ରସ୍ତାବ ରଖିଥିଲେ। ବହୁ ରାଜ୍ୟରେ ଶତ ପ୍ରତିଶତ ସ୍କୁଲରେ ବିଦ୍ୟୁତୀକରଣ ଥିବାବେଳେ ଓଡ଼ିଶାରେ ମାତ୍ର ୬୬ ପ୍ରତିଶତ ସ୍କୁଲରେ ଏହି ବ୍ୟବସ୍ଥା ଅଛି। ଏହା ଅତ୍ୟନ୍ତ ଦୁର୍ଭଗ୍ୟଜନକ। ତେଣୁ ତୁରନ୍ତ ସବୁ ସ୍କୁଲ୍ ଗୁଡ଼ିକରେ ଏହାକୁ ଲାଗୁ କରାଯାଉ । ଧନ୍ଦାମୂଳକ ଶିକ୍ଷକମାନଙ୍କ ଦରମା ୨୦୧୬ ମସିହାରେ ୧୫୦୦୦ ଟଙ୍କା ଥିବା ବେଳେ ନଅ ବର୍ଷ ଭିତରେ ମାତ୍ର ୫୦୦୦ଟଙ୍କା ସରକାର ବଢ଼େଇଛନ୍ତି ଯାହା ଯଥେଷ୍ଟ ନୁହେଁ। ତେଣୁ ସେମାନଙ୍କ ଦରମା ବଢେଇବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ। ପ୍ରାଇମେରୀ ସ୍କୁଲ ପିଲାଙ୍କର ମଧ୍ୟାହ୍ନ ଭୋଜନ ବାବଦକୁ ଦୈନିକ ଗୋଟିଏ ପିଲା ପ୍ରତି ୫.୯୦ ପଇସା ଖର୍ଚ୍ଚ ହେଉଥିବା ବେଳେ ତାମିଲନାଡୁ ରେ ଦୁଇଗୁଣ ଅଧିକା ଯଥା ୧୨.୭୫ ପଇସା ଖର୍ଚ୍ଚ ହେଉଛି ତେଣୁ ଓଡ଼ିଶା ସରକାର ଏହି ଖର୍ଚ୍ଚର ପରିମାଣ ବୃଦ୍ଧି କରିବାକୁ ବହୁ ମାତ୍ରାରେ ଆବଶ୍ୟକତା ରହିଛି ଯାହା ପିଲାମାନଙ୍କର ପୁଷ୍ଟି ବଢ଼ାଇବାରେ ଏହି ଅର୍ଥ ସହାୟକ ହେବ । ୩୧୦୦୦ କୋଟି ଟଙ୍କାର ବଜେଟରେ ମୋଟ ୧୯୭ କୋଟି ଟଙ୍କା ଆବଣ୍ଟିତ ହୋଇଛି କେବଳ ଭିତ୍ତିଭୂମିର ବିକାଶ ପାଇଁ। ଏହା ଅତିମାତ୍ରାରେ କମ। ଏହି ସ୍ୱଳ୍ପ ପରିମାଣ ଅର୍ଥରେ ଭିତ୍ତିଭୂମିର ବିକାଶ ପ୍ରାୟତଃ ଅସମ୍ଭବ ।ଜାତୀୟ ଶିକ୍ଷା ନୀତି ରାଜ୍ୟରେ ଲାଗୁ କରିବାରେ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟ ବଜେଟରେ ସେନେଇ ପର୍ଯ୍ୟାପ୍ତ ଅର୍ଥ ଆବଣ୍ଟନ କରାଯାଇ ନାହିଁ। ତେଣୁ ସରକାର ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ ସେ ଦାବୀ କରିଥିଲେ।