କୃଷି ଋଣ ଛାଡ଼ କରିବାକୁ ସମାଜବାଦୀ ପାର୍ଟିର ଦାବି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଋଣଭାରରେ ଥିବା ରାଜ୍ୟର ପ୍ରାୟ ୩୬ ଲକ୍ଷରୁ ଉର୍ଦ୍ଧ ଚାଷୀଙ୍କ ପ୍ରାୟ ୪୦ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିବା ପାଇଁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଦୃଢ଼ଦାବୀ କରାଯାଇଛି। ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଡବଲ ଇଂଜିନ ସରକାରରେ ବଡ଼ ବଡ଼ ଶିଳ୍ପପତିଙ୍କୁ ହଜାର ହଜାର କୋଟି ଟଙ୍କା ଋଣ ଛାଡ଼ କରୁଥିବାବେଳେ ଓଡିଶାର ଚାଷୀକୁଳ ହତାଶ ହୋଇ ପଡ଼ି ରହିଛନ୍ତି। ଚାଷୀଙ୍କ ପ୍ରତି ଭାଜପା ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଉପାନ୍ତରୁ ଉପକୂଳ ଯାଏ ଓଡିଶା ଚାଷୀକୁଳ ଏବେ ଦୟନୀୟ ସ୍ଥିତିରେ ଥ‌ିବା ଦେଖିବାକୁ ମିଳୁଛି। 

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ, ମୋଟ ଜନସଂଖ୍ୟାର ୭୦ ଭାଗ ଲୋକ କୃଷି ଉପରେ ସମ୍ପୂର୍ଣ ନିର୍ଭରଶୀଳ। ଅନେକ ସମୟରେ  ପ୍ରାକୃତିକ ବିପର୍ଯ୍ୟୟ, ଫସଲହାନୀ, ଋଣଭାର ଯୋଗୁଁ ଚାଷୀ ଆତ୍ମହତ୍ୟା ଓ ଲାଗିରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ କେନ୍ଦ୍ର ବିଜେପି ନରେନ୍ଦ୍ର ମୋଦି ସରକାର ଦେଶର ବଡ଼ ବଡ଼ ପୁଞ୍ଜିପତି ଓ ଶିଳ୍ପପତିଙ୍କ ଠାରୁ ବିନା ସର୍ତ୍ତରେ ଲକ୍ଷ ଲକ୍ଷ କୋଟି ଟଙ୍କା ରଣଛାଡ଼ କରୁଥିବା ବେଳେ ଚାଷୀଙ୍କଠାରୁ ଫଟା ପାହୁଲାଟିଏ ରଣଛାଡ଼ ନକରିବା ଚାଷୀକୂଳଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ସ୍ପଷ୍ଟ କରୁଛି। 

ସେ କହିଛନ୍ତି ଯେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ସହିତ ୨୯ଟି ଏପରି କମ୍ପାନୀକୁ ଏନ୍‌ପିଏ ଭାବରେବର୍ଗୀକୃତ କରାଯାଇଛି। ଏହି ସଂସ୍ଥାଗୁଡ଼ିକମଧ୍ଯରୁ ପ୍ରତ୍ୟେକଙ୍କ ଉପରେ ଅନ୍ୟନ ୧୦୦୦ କୋଟି ବା ତାଠାରୁ ଅଧିକ ପରିମାଣର ରଣ ବକେୟା ଥୁଲା ଏହି ସଂସ୍ଥାଗୁଡ଼ିକୁ ୬୧୦୨୭ କୋଟି ଟଙ୍କା ଋଣ ଛାଡ଼ କରାଯାଇଛି। ପ୍ରତ୍ୟେକଙ୍କ ଉପରେ ୧୦୦୦ କୋଟି ଟଙ୍କା ତଥା ତଦୁର୍ଦ୍ଧ୍ବ ରଣ ଥିଲା।ଏହି ଆକାଉଣ୍ଟ ଗୁଡ଼ିକରେ ମୋଟ ବକେୟା ପରିମାଣ ୬୧,୦୨୬ କୋଟି ଟଙ୍କା ରହିଥୁଲା ଯାହାକୁ ମୋଦି ସରକାର ଅହେତୁକ ଅନୁକମ୍ପା ଦେଖାଇ ଋଣ ଛାଡ଼ କରିଛନ୍ତି ଯାହା ଏହି ପୁଞ୍ଜିବାଦୀ ସରକାରର ଅସଲ ଚରିତ୍ରକୁ ଉଜାଗର କରିଛି।

କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏବେ ଯଦି କୌଣସି ବ୍ୟକ୍ତିର ବ୍ୟାଙ୍କ ଜମା ଧାର୍ଯ୍ୟ ପରିମାଣରୁ ଟଙ୍କାଟିଏ କମ୍ ରହୁଛି ବ୍ୟାଙ୍କଗୁଡ଼ିକ ସେ ବାବଦରେ ଜୋରିମାନା ଭିଡ଼ି ନେଉଛନ୍ତି। ସାଧାରଣ ଲୋକର ଋଣ ଅନାଦେୟ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଘରେ ତାଲା ପକାଉଛନ୍ତି। କିନ୍ତୁ ବଡ଼ ବଡ଼ ପୁଞ୍ଜିପତି ଓ ଶିଳ୍ପପତି, ଘରୋଇ କମ୍ପାନୀ ଗୁଡ଼ିକ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କା ଋଣ ଛାଡ଼ ହେଉଛି।

ବିଡ଼ମ୍ବନା ହେଉଛି ଯେ ଗତ ୧୦ବର୍ଷରେ ଏଭଳି ବଡ଼ବଡ଼ କମ୍ପାନୀ, ଶିଳ୍ପପତି ଓ ବିଭିନ୍ନ ପ୍ରତିଷ୍ଠାନକୁ ସରକାରୀ ବ୍ୟାଙ୍କଗୁଡ଼ିକ ଛାଡ଼ କରିଛନ୍ତି ୧୬.୩୫ ଲକ୍ଷ କୋଟି ଟଙ୍କା ଏହି ଅର୍ଥକୁ ସରକାରୀ ବ୍ୟାଙ୍କଗୁଡିକ ସେମାନଙ୍କର ଅଣ-କାର୍ଯ୍ୟକାରୀ ସମ୍ପରି (ଏନ୍‌ପିଏ) ଆକାଉଣ୍ଟ ଦର୍ଶାଇ ବାଲାଡ୍‌ସିଟ୍‌ରୁ ହଟାଇ ଦେଇଛନ୍ତି। ଏପରି ବ୍ୟବସ୍ଥା ଆମ ସମାଜ ଅର୍ଥନୀତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ତେଣୁ ଋଣଭାରରେ ଥିବା ଚାଷୀଙ୍କ ଋଣଛାଡ଼ କରିବା ପାଇଁ ଦୃଢ଼ ଦାବି କରିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.