ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ପ୍ରଶାସନିକ ଢାଞ୍ଚାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ଦୃଢ କରିବା ନିମନ୍ତେ ଆଜି ପୂର୍ବାହ୍ନ ଘ.୧୦.୩୦ ମି ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକଦିବସୀୟ ସୂଚନା ଅଧିକାର ଆଇନ ତାଲିମ ଶିବିର ଅନୁଷ୍ଠିତ ହୋଇଛି I ଏହି ଶିବିରରେ ସୂଚନା ଅଧିକାର ଆଇନ (ଆର.ଟି.ଆଇ) ଅଧିନିୟମ, ୨୦୦୫ର ଧାରା ୪ (୧) (ଖ) ଅଧୀନରେ ଲିପିବଦ୍ଧ ସ୍ବେଚ୍ଛାକୃତ ପ୍ରକାଶର ବାଧ୍ୟତାମୂଳକ ପ୍ରାବଧାନ ସଂଲଗ୍ନ ନିୟମାବଳୀ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା I ଏହି ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଲୋକ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ I ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସରୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏହି ଶିବିରଟି ଆୟୋଜିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀଙ୍କ ଦ୍ବାର ଏହି ତାଲିମ ଶିବିର ଉଦଘାଟନ ହୋଇଥିଲା I ଲୁମିନସ ର ରଶ୍ମି ରଞ୍ଜନ ରାଉତ ରିସୋର୍ସ ଅଧିକାରୀ ରୂପେ ଏହି ତାଲିମ ଶିବିରରେ ତାଲିମ ଦେଇଥିଲେ | ଦୈନନ୍ଦିନ କାର୍ଯ୍ୟରୁ ବ୍ୟବହାରିକ ଉଦାହରଣ ମାଧ୍ୟମରେ ସୂଚନା ଅଧିକାର ଆଇନର ଏକ ବିସ୍ତୃତ ବିବରଣୀ ଲୋକ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା I ଆବେଦନଗୁଡିକ ପରିଚାଳନା କରିବାବେଳେ ସର୍ବଦା ନିୟମ ମଧ୍ୟରେ କାର୍ଯ୍ୟ କରିବାକୁ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅନୁରୋଧଗୁଡିକର ଉତ୍ତର ପ୍ରଦାନ କରିବାକୁ ନିଶ୍ଚିତ କରିବାକୁ ଟ୍ରେନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ଧାରା ୪ (୧) (ଖ) ର ପ୍ରାବଧାନ ଗୁଡିକୁ ନିୟମିତ ଅଦ୍ୟତନ କରିବା ସହ ଓଡିଆମାଧ୍ୟମକୁ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ I ଏହି ତାଲିମ ଅଧିବେଶନରେ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ଅଧିକାରୀଙ୍କ ପାଇଁ ସୂଚନା ଅଧିକାର ଆଇନ ଏବଂ ଏହାର ଭୂମିକା ଏବଂ ଦାୟିତ୍ୱ ପାଇଁ ଏହାର ପ୍ରଭାବକୁ ସ୍ପଷ୍ଟ କରିବା ନିମନ୍ତେ ଏକ ମୂଲ୍ୟବାନ ସୁଯୋଗ ଆଣିଥିଲା I ଏହି ଶିବିରରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ I ପରିଶେଷରେ ପ୍ରଶ୍ନୋତ୍ତର ଅଧିବେଶନରେ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଥିଲା I