ଓଏଲଏମ ଓ ମିଶନ ଶକ୍ତି ଇସି ସଦସ୍ୟାଙ୍କୁ ବ‌ହିଷ୍କାର ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନିଖିଳ ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ନର୍ଲାର ସଦସ୍ୟାମାନେ ମିଶନ ଶକ୍ତି ନର୍ଲାର ସଭାନେତ୍ରୀ ସଙ୍ଗୀତା ଭୋଇ ଓ ସମ୍ପାଦିକା ବିନ୍ଦୁଲତା ସାମଲଙ୍କ ନେତୃତ୍ଵରେ ସଂଘର ବରିଷ୍ଠ ସଦସ୍ୟା ଜୟନ୍ତୀ ମିଶ୍ର, ଲକ୍ଷ୍ମୀ ତାଣ୍ଡି, ତିଳୋତ୍ତମା ପୁଝାରୀ, ତରୁଣୀ ଗଡତିଆ, ଜୟଶ୍ରୀ ଗୌଡ, ଗୋମତୀ ମହାନନ୍ଦ, ଦୀପଞ୍ଜଳି ସାହୁ, ଭୂମିସୂତା ସାହୁ, ବୁଇଲତା ରଣା, ସରିତା ରଣା, ଭାଗ୍ୟବତୀ ନାଗ, ସିଆ ସା, ଡଲି ମାଝୀ, ମେନକା ମାଝୀଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କୁ ବହିଷ୍କାର ନକରି ସେମାନଙ୍କ କାର୍ଯ୍ୟକାଳକୁ ଅଭିବୃଦ୍ଧି କରାଯାଉ ବୋଲି ଏଥିରେ ଦାବୀ ଉପସ୍ଥାପନ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଓଡ଼ିଶାରେ କେନ୍ଦ୍ରୀୟ ସ୍କିମ୍ ଏନ୍.ଆର୍.ଏଲ୍.ଏମ୍. ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ ଏବଂ ଓଡ଼ିଶା ମିଶନ ଶକ୍ତି ଅଧୁନରେ ବିଗତ ୩ ବର୍ଷରୁ ୨୫ବର୍ଷ ଧରି କାର୍ଯ୍ୟରତ ଏକ ଲକ୍ଷ ଅଣଷଠି ହଜାରରୁ ଅଧିକ ଇ.ସି. ସଦସ୍ୟଙ୍କୁ ପୁନର୍ଗଠନ ଆଳରେ ବାହାର କରିବା ପାଇଁ ସରକାରଙ୍କ ତରଫରୁ ୮ ଜାନୁଆରୀରେ ନିର୍ଦ୍ଦେଶନାମା ଓ ୨୨ ଜାନୁଆରୀରେ ନୂତନ ଗାଇଡ୍ ଲାଇନ ପ୍ରକାଶ କରାଯାଇଛି। ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୂତନ ଗାଇଡ୍‌ଲାଇନ୍ ଫଳରେ ରାଜ୍ୟରେ କାର୍ଯ୍ୟରତ ଏକ ଲକ୍ଷ ଅଣଷଠି ହଜାରରୁ ଅଧିକ ଇ.ସି. ସଦସ୍ୟ କର୍ମଚ୍ୟୁତ ହେବେ। ମିଶନ୍ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ଏହି ଇ.ସି. ସଦସ୍ୟା ମାନେ କମ୍ୟୁନିଟି ବେସନ୍ ଅର୍ଗାନାଇଜେସନର ନିର୍ବାଚିତ ପ୍ରତିନିଧୁ ବୋଲି କୁହାଯାଇଥଲେ ବି ଏହି ବର୍ଗର ମହିଳାମାନେ କୌଣସି ନିର୍ବାଚିତ ପ୍ରତିନିଧୁ ନୁହଁନ୍ତି। କେନ୍ଦ୍ରୀୟ ସ୍କିମ ନ୍ୟାସନାଲ ଲାଇଭଲିହୁଡ଼ ମିଶନର ମୁଖ୍ୟକାର୍ଯ୍ୟ ଗୃହିଣୀ ମହିଳାମାନଙ୍କୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ସଂଗଠିତ କରିବା, ଗୃହିଣୀ ମହିଳା ନିଜ ଘର କାମ ସହ ରୋଜଗାରକ୍ଷମ ହେବା ପାଇଁ ସବେତନତା କରି ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା, ମହିଳାମାନଙ୍କ ଗୋଷ୍ଠୀଗତ ସଞ୍ଚୟ ବୃଦ୍ଧି କରାଇବା, ଏହି ସଞ୍ଚୟ ଅର୍ଥରେ ବିଭିନ୍ନ ହସ୍ତଶିଳ୍ପ, କୁଟୀର ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଓ ସଂରକ୍ଷଣ, ବିଜୟ ଓ ବ୍ୟବସାୟ ପାଇଁ ବ୍ୟାଙ୍କ ସହ ସଂଯୋଗ କରାଇ ରଣ ପ୍ରଦାନ କରାଇବା, ଋଣର ସଠିକ୍ ବିନିଯୋଗ ହେଲା କି ନାହିଁ ତାହା ତଦାରଖ କରିବା, ରଣ ପରିଶୋଧ ପାଇଁ ପ୍ରବର୍ତ୍ତାଇବା ର ନିୟମିତ କାର୍ଯ୍ୟ କରୁଥିବା ଏହି ସ୍କାମ୍‌ର ମୁଖ୍ୟ କର୍ମଚାରୀ ହେଉଛନ୍ତି ଏହି କାର୍ଯ୍ୟନିର୍ବାହୀ (ଇସି) ସଦସ୍ୟା ମାନେ। ଏମାନେ ଅନ୍ୟାନ୍ୟ କେନ୍ଦ୍ରୀୟ ସ୍କିମ ଯଥା ଆଇ.ସି.ଡ଼ି.ଏସ୍.ର ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା, ମଧ୍ୟାହ୍ନ ଭୋଜନର ପାଚିକା ସହାୟିକା ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଆଶାକର୍ମୀଙ୍କ ଭଳି ସଂପୃକ୍ତ ପରିସରର ମହିଳାମାନଙ୍କ ଦ୍ବାରା ଚୟନ ପ୍ରକ୍ରିୟାରେ ମନୋନୀତ ହୋଇ ଏନ୍.ଆର.ଏଲ୍.ଏମ୍ ସ୍କିମ୍ ଅଧୀନରେ କାର୍ଯ୍ୟ କରିଛନ୍ତି। ଏମାନେ ଏନଆରଏଲଏମ୍‌ର ସ୍କିମ୍ ଷ୍ଟାର୍କର – ଶ୍ରମଜୀବି ମହିଳା କର୍ମୀ। ଏମାନଙ୍କୁ ନିର୍ଦ୍ଦିଷ୍ଟ ଅବଧୂରେ ବାହାର କରିବା କେବଳ ଏକ କର୍ପୋରେଟ ସାଜିସ ବ୍ୟତୀତ ଅନ୍ୟ କିଛି ହୋଇନପାରେ। ତେଣୁ ଏତାଦୃଶ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର ଦାବିରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ତରଫରୁ ବିଭିନ୍ନ ପର୍ଯ୍ୟାୟରେ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଆନ୍ଦୋଳନ ହୋଇଅଛି। ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବୀ କରି ଓଡ଼ିଶା ବିଧାନ ସଭା ସମ୍ମୁଖରେ ଗତ ଫେବୃଆରୀ ୧୩ ତାରିଖରୁ ଦିବା-ରାତ୍ର ଗଣ ଧାରଣା ଚାଲିଥିବାବେଳେ ଇ.ସି. ସଦସ୍ୟା ମାନଙ୍କ ଦାବୀ ସଂପର୍କରେ ବିଚାର କରି ଦୁଇ ମାସ ପାଇଁ ପୁନର୍ଗଠନ ଆଦେଶ ସୁଗିତ ରଖୁଥ‌ିବାରୁ ସରକାରଙ୍କୁ ଧନ୍ୟବାଦ ଦେଇ ୨୦ ଫେବୃଆରୀ ସନ୍ଧ୍ୟାରୁ ଦିବା-ରାତ୍ର ଗଣଧାରଣା ସ୍ଥଗିତ ରଖି ଥିଲେ ସଦସ୍ୟାମାନେ। ମାତ୍ର ପୁନର୍ଗଠନ ଆଦେଶ ପ୍ରତ୍ୟାହାର ହୋଇନଥିବାରୁ ସମଗ୍ର ରାଜ୍ୟରେ ଅସ୍ଥିରତା ଲାଗିରହିଛି। ଏବଂ ଏହା ଧିରେ ଧିରେ ଭୟଙ୍କର ଆନ୍ଦୋଳନର ରୁପ ନେବାକୁ ଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.