ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଲା ୨ୟ ସମଲେଶ୍ବରୀ ବର୍ଦ୍ଧନ ସ୍ମାରକୀ ବକ୍ତୃତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଦ୍ଵିତୀୟ ସମଲେଶ୍ବରୀ ବର୍ଦ୍ଧନ ସ୍ମାରକୀ ବକ୍ତୃତା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ସଂପ୍ରତି ଅନୁଷ୍ଠିତ ହୋଇଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପରିବେଶ ସମାଜର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ. ଜୟକୃଷ୍ଣ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ‘ବୈଶ୍ଵିକ ପରିବେଶ ଆହ୍ୱାନ- ଆମର ସାଧାରଣ ଭବିଷ୍ୟତ’ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ l

ଅଧ୍ୟକ୍ଷ ପ୍ରଫେସର ଘୋଷ ପ୍ରାରମ୍ଭିକ ବକ୍ତବ୍ୟ ରଖିବା ପୂର୍ବକ ସ୍ବର୍ଗତାଃ ସମଲେଶ୍ବରୀ ବର୍ଦ୍ଧନଙ୍କ ପରିବେଶ ପ୍ରତି ଥିବା ଦାୟିତ୍ୱବୋଧର ପ୍ରଶଂସା କରିବା ସହିତ ଏହି ବକ୍ତୃତା କାର୍ଯ୍ୟକ୍ରମର ପୃଷ୍ଠପୋଷକ ନିର୍ମଳ-ପ୍ରତିଭା ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟବକ୍ତା ପ୍ରଫେସର ପାଣିଗ୍ରାହୀ ସରକାର ଓ ଜନସାଧାରଣଙ୍କର ମିଳିତ ଉଦ୍ୟମରେ ହିଁ ଆମେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବକୁ ଦୃଢ଼ ଭାବରେ ମୁକାବିଲା କରିପାରିବା ବୋଲି ମତବ୍ୟକ୍ତ କରିଥିଲେ l ସମାଜରେ ପରିବେଶ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ତଥା ନିଜେ ଜଣେ ଜଣେ ଜଳବାୟୁ କର୍ମୀ ହିସାବରେ ଦାୟିତ୍ୱ ସମ୍ପାଦନ କରିବା ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀ ତଥା ପ୍ରାଧ୍ୟାପକ ପ୍ରାଧ୍ୟାପିକାମାନଙ୍କୁ ଆହ୍ୱାନ ଜଣେଇଥିଲେ l

ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ତଥା ଆଇକ୍ୟୁଏସି ସଂଯୋଜକ ପ୍ରଫେସର ମୌସୁମୀ ଦାସପଟ୍ଟନାୟକ ସ୍ୱାଗତ ଭାଷଣ ରଖିଥିବା ବେଳେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ବିଭୁଦତ୍ତ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ରାଜେଶ ରାଉତ ନିଜ ବକ୍ତବ୍ୟରେ ଏହି ବକ୍ତୃତାମାଳାର ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ।

ଏହି ଅବସରରେ ମୁଖ୍ୟବକ୍ତା ପ୍ରଫେସର ପାଣିଗ୍ରାହୀ ରସାୟନ ବିଜ୍ଞାନ ବିଭାଗର ପ୍ରାଚୀର ପତ୍ର ‘କାଟାଲିଷ୍ଟ’ (Catalyst)କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷ ପ୍ରଫେସର ଘୋଷ ମୁଖ୍ୟବକ୍ତାଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ପ୍ରଫେସର ଅନିତା ହାଁସଦା ମାନପତ୍ର ପାଠ କରିଥିବା ବେଳେ ପ୍ରଫେସର ଗୟାଧର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.