ଯୁବକଙ୍କୁ ମାଡ଼ ମାରିବା ଘଟଣା; ୨ ବିଜେଡି ନେତାଙ୍କ ସମେତ ୧୧ ଗିରଫ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବିଶିପଡ଼ାରେ ନୀତିଶ ଷାଣ୍ଢ ନାମକ ଜଣେ ଯୁବକଙ୍କୁ ଆକ୍ରମଣ ଘଟଣାର ଶୁକ୍ରବାର ଦୁଇ ବିଜେଡି ନେତା ଅଶୋକ ନନ୍ଦ ଓ ନାରାୟଣ ଲୁହାଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଆଗରୁ ୪ ଜଣଙ୍କୁ ମିଶାଇ ସେପଟେ ମୋଟ ଗିରଫ ଦାରୀ ସଂଖ୍ୟା ୧୧ ରେ ପହଞ୍ଚିଛି। ଗତକାଲି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଉଲୁଣ୍ଡା ଥାନା କପାଶିରା ଗ୍ରାମର ପ୍ରଭାତ ରଞ୍ଜନ ପଣ୍ଡା(ଦେବାଶିଷ) ଓ ବୀରମହାରାଜପୁର ଥାନା ସହରାପାଲିର ପ୍ରଦିପ ଥପା ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗ୍ରାମର ଶମ୍ଭୁ ପ୍ରସାଦ ହୋତା (ମଣ୍ଟୁ), ସାହାଜବାହାଲ ଗ୍ରାମର ସରୋଜ ବାରିକ, କମିରା ଗ୍ରାମର ଦୀପ୍ତିରଞ୍ଜନ ମିଶ୍ର। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ କୋର୍ଟଚାଲାଣ କରିଥିଲା ବେଳେ ଅଦାଲତ ସମସ୍ତ ୭ ଅଭିଯୁକ୍ତଙ୍କୁ ଜାମିନ ଦେଇଥିବା ଜଣାଯାଇଛି। ପ୍ରକାଶ ଥାଉ କି, ବୀରମହାରାଜପୁର ଥାନା ଅନ୍ତର୍ଗତ ବିଶିପଡ଼ାଠାରେ ଗତ ରବିବାର ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ନୀତିଶ ଷାଣ୍ଢଙ୍କୁ ମାଡ଼ ମାରିବା ଘଟଣାରେ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ବିନିକା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଅଶୋକ ନନ୍ଦ, ବୀରମହାରାଜପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଆନନ୍ଦପୁର ଗ୍ରାମର ପିଙ୍କୁ କାଲସେଙ୍କ ନାମରେ ଗତ ମଙ୍ଗଳବାର ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାକୁ ସୁବର୍ଣ୍ଣପୁର ପୋଲିସ ଗୁରୁତ୍ବର ସହ ନେବା ସହ ତଦନ୍ତ ଆରମ୍ଭ କରିବା ପରେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.