ଏବେ ସବୁଠାରେ ଯନ୍ତ୍ରର ବ୍ୟବହାର। ମଣିଷ ତିଆରି କରିଥିବା ଯନ୍ତ୍ର ମଣିଷକୁ ଯେମିତି ବ୍ୟବହାର କରୁଛି, ମଣିଷ ସେମିତି ହେଉଛି। ମାନବ ସମ୍ବଳର ବ୍ୟବହାର କମୁଥିବା ବେଳେ ଯନ୍ତ୍ର ଉପରେ ନିର୍ଭରଶୀଳତା ବଢୁଛି। ଶ୍ରମିକ ଓ ଶ୍ରମର ମୂଲ୍ୟ ଦିନକୁ ଦିନ ହ୍ରାସ ପାଉଛି। ଯେଉଁମାନଙ୍କର ପରିଶ୍ରମରେ ସହର ଓ ଗାଁର ସୃଷ୍ଟି ସେହି ଶ୍ରମିକମାନଙ୍କର ସୁରକ୍ଷା ପାଇଁ ଚିନ୍ତା କରିବାର ସମୟ ଆସିଛି। ସେହି ଶ୍ରମିକମାନେ ଉପଯୁକ୍ତ ନ୍ୟାୟ ଓ ମଜୁରୀ ପାଇବା ପାଇଁ ଧର୍ମଘଟ, ଭାରତୀୟ ସମ୍ବିଧାନର ନ୍ୟାୟିକା ବ୍ୟବସ୍ଥା ଓ ସରକାରୀ ସ୍ତରରେ ଶ୍ରମିକ କଲ୍ୟାଣ ବିଷଷୟରେ କିଛି ଆଲୋଚନା କରିବା।
୧୮୮୬ ମଇ ମାସରେ ୪୦୦,୦୦୦ ଆମେରିକାର ଶ୍ରମିକ ବିଭିନ୍ନ ଅଞ୍ଚଳରେ ଦୈନିକ ଆଠଘଣ୍ଟା ମଜୁରୀ ପାଇଁ ଧର୍ମଘଟ କରିଥିଲେ। ଶାନ୍ତିର ସହ ଧର୍ମଘଟ ଚାଲୁଥିବା ବେଳେ ତୃତୀୟ ଦିବସରେ ଚିକାଗୋ ସହରରେ ହିଂସାକାଣ୍ଡ ଘଟି ଥିଲା। ପୋଲିସ କିଛି ଶ୍ରମିକଙ୍କୁ ଗୁଲି କରିଥିଲା। ପରବର୍ତ୍ତୀ ସମୟରେ କେହିଜଣେ ବୋମାମାଡ କରିବାରୁ ସାତ ଜଣ ପୋଲିସ କର୍ମଚାରୀ ଓ ଚାରିଜଣ ଶ୍ରମିକ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାକୁ ହାଏମାର୍କେଟ ଆଫେୟାର କୁହାଯାଏ। ଏହି ଘଟଣାକୁ ଆନ୍ତର୍ଜାତିକ ସ୍ତରରେ ଶ୍ରମିକମାନେ ଆନ୍ଦୋଳନ ଭାବରେ ଗ୍ରହଣ କରି ମଇ ପହିଲାକୁ ଆନ୍ତର୍ଜାତିକ ଶ୍ରମ ଦିବସ ଭାବରେ ପାଳନ କରି ଆସୁଛନ୍ତି। ଆମେରିକା ୧୮୯୨ ମସିହାରେ ଦୈନିକ ଆଠଘଣ୍ଟା ମଜୁରୀ କୁ ଆଇନରେ ପରିଣତ କରିଥିଲେ। ପ୍ରାୟ ୮୦ଗୋଟି ଦେଶରେ ମଇ ପହିଲାକୁ ଆନ୍ତର୍ଜାତିକ ଶ୍ରମ ଦିବସ ଭାବରେ ପାଳନ କରୁଛନ୍ତି।
ଭାରତରେ ୧୯୨୩ ମସିହାରେ ଲେବର କିସାନ ପାର୍ଟି ଶ୍ରମିକ ଦିବସକୁ ପାଳନ କରିଥିଲା। ଶ୍ରମ କରିବାର ସମସ୍ତଙ୍କ ଅଧିକାର ରହିଛି। ଶ୍ରମ ପାଇଁ ଉପଯୁକ୍ତ ପରିବେଶ, ନିର୍ଦ୍ଧାରିତ ସମୟ, ଉପଯୁକ୍ତ ମୂଲ୍ୟ, ସରକାରୀ ସହାୟତା ତଥା ଉପଯୁକ୍ତ ବିଶ୍ରାମର ଆବଶ୍ୟକତା ରହିଛି। ଏହି ଅଧିକାର ପାଇବା ପାଇଁ ଶ୍ରମିକ ମାନେ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭାରତ ସରକାରଙ୍କର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ଶ୍ରମ ବିଭାଗ ଯୁଗ୍ମ ତାଲିକାରେ ଥିବାରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ସ୍ଵତନ୍ତ୍ର ଦୃଷ୍ଟି ପ୍ରଦାନ କରି ବିଭିନ୍ନ ଆଇନ ପ୍ରଣୟନ କରିଥାନ୍ତି। ଚଳିତ ବର୍ଷ ଓଡ଼ିଶା ସରକାର ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି । ସେମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୫୦୨ ଟଙ୍କାରୁ ୫୧୨ ଟଙ୍କା, କୁଶଳୀ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୫୫୨ ଟଙ୍କାରୁ ୫୬୨ ଟଙ୍କା ଏବଂ ଉଚ୍ଚ-କୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୬୦୨ ଟଙ୍କାରୁ ୬୧୨ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ ପହିଲାଠାରୁ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନର ଦରଦାମ୍ କୁ ଦେଖିଲେ ଶ୍ରମିକମାନଙ୍କର ପାରିଶ୍ରମିକ ଆହୁରି ବୃଦ୍ଧି ହେବାର ଆବଶ୍ୟକତା ରହିଛି।
ଭାରତୀୟ ସମ୍ବିଧାନରେ ଶ୍ରମିକମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ। ମୌଳିକ ଅଧିକାର ଧାରା- ୨୩ (୧) ପଣ୍ୟରୂପେ ମନୁଷ୍ୟକୁ ବ୍ୟବହାର କରିବା ଏବଂ ବେଠି ବେଗାରୀ ତଥା ଏହି ପ୍ରକାରର ଅନ୍ୟ ଶ୍ରମ ନିଷିଦ୍ଧ କରାଯାଇଛି। ଏବଂ ଏହାର କୌଣସି ପ୍ରକାର ଭଲଂଘନ ବିଧିଅନୁସାରେ ଦଣ୍ଡନୀୟ ଅପରାଧ ହେବ । (୨) ଏହି ଅନୁଚ୍ଛେଦର କୌଣସି ବିଷୟ, ସାର୍ବଜନିକ ପ୍ରୟୋଜନ ନିମିତ୍ତ ବାଧ୍ୟତାମୂଳକ ସେବା ଆରୋପ କରିବାରେ ରାଜ୍ୟକୁ ବାଧା ଦେବ ନାହିଁ, ଏବଂ ଏପରି ସେବା ଆରୋପ କରିବାରେର ରାଜ୍ୟ କେବଳ ଧର୍ମ, ମୂଳବଂଶ, ଜାତି ବା ବର୍ଗ ବା ଏଥିମଧ୍ୟରୁ କୌଣସିଟି ହେତୁ ବିଭେଦ ଆଚରଣ କରିବ ନାହିଁ।
ସମ୍ବିଧାନର ଧାରା-୨୪ରେ ଉଲ୍ଲେଖ ରହିଛି:- ଚଉଦ ବର୍ଷରୁ କମ୍ ବୟସର କୌଣସି ପିଲା କୌଣସି କାରଖାନା ବା ଖଣିରେ କାମ କରିବାପାଇଁ ନିୟୋଜିତ କରାଯିବ ନାହିଁ ବା କୌଣସି ସଙ୍କଟମୟ ନିୟୋଜନରେ ନିଯୁକ୍ତ କରାଯିବ ନାହିଁ । ସେହିପରି ଭାରତୀୟ ସମ୍ବିଧାନର ନିର୍ଦ୍ଦେଶମୂଳକ ନୀତିରେ ଉଲ୍ଲେଖ ରହିଛି। ଧାରା- ୩୯ ନର ଓ ନାରୀ ସମସ୍ତ ନାଗରିକଙ୍କ ଜୀବିକାର ପର୍ଯ୍ୟାପ୍ତ ସାଧନ ନିମିତ୍ତ ସମାନ ଭାବେ ଅଧିକାର ରହିବ । ପୁରୁଷ ଓ ମହିଳା ଉଭୟଙ୍କର ସମାନ କାର୍ଯ୍ୟ ଲଗି ସମାନ ବେତନ ରହିବ। ନର ଓ ନାରୀ ଶ୍ରମିକଙ୍କର ସ୍ବାସ୍ଥ୍ୟ ତଥା ଉପଯୁକ୍ତ ପରିବେଶ ଓ ବିଶ୍ରାମର ବ୍ୟବସ୍ଥା କରିବା ୩୯(କ) ଦେଶରେ ବିଧି ବ୍ୟବସ୍ଥା ଏପରି କାର୍ଯ୍ୟକାରୀ ହେବ ଯେପରିକି ସମାନ ନ୍ୟାୟ ସୁଯୋଗ ସମସ୍ତେ ପାଇବେ। ଧାରା-୪୩ ରାଜ୍ୟ, ଉପଯୁକ୍ତ ବିଧାନ ବା ଆର୍ଥିକ ସଂଗଠନ ଦ୍ବାରା ବା ଅନ୍ୟ କୌଣସି ଉପାୟରେ କୃଷି, ଉଦ୍ୟୋଗ ବା ଅନ୍ୟ ସମସ୍ତ ପ୍ରକାରର ଶ୍ରମିକଙ୍କୁ କାର୍ଯ୍ୟ ନିର୍ବାହ ମଜୁରୀ ପ୍ରଦାନ କରିବା। ଧାରା- ୪୩( କ ) ରାଷ୍ଟ୍ର ଉପଯୁକ୍ତ ବିଧାନ ବା ଅନ୍ୟ କୌଣସି ପ୍ରକାରରେ କୌଣସି ଉଦ୍ୟୋଗରେ ବ୍ୟାପକ ବ୍ୟବସ୍ଥା ମାଧ୍ୟମରେ ଶ୍ରମିକମାନେ ଯେପରି ଭାଗ ନେଇ ପାରିବେ ସେଥିପାଇଁ ନିଶ୍ଚିତ କରିବା ନିମିତ୍ତ ପଦକ୍ଷେପ ନେବ ।
ସମ୍ବିଧାନର ଏତେ ବ୍ୟବସ୍ଥା ଥାଇ ମଧ୍ୟ ଶ୍ରମିକ ଆଜି ଅବହେଳିତ। ଏହାବ୍ୟତୀତ ଭାରତ ସରକାରଙ୍କର ନୂଆ ଶ୍ରମିକ କୋଡ଼ ଅନୁଯାୟୀ ଚାରି ପ୍ରକାରର ବ୍ୟବସ୍ଥା ରହିଛି। ସେଗୁଡ଼ିକ ହେଲା ମଜୁରୀ କୋଡ, ସାମାଜିକ ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟସ୍ଥଳରେ ସୁରକ୍ଷା ଓ ସ୍ବାସ୍ଥ୍ୟ ଓ କାର୍ଯ୍ୟ ନିର୍ଦ୍ଧାରଣ କୋଡ଼ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ୧୯୪୭,୧୯୪୮ ମସିହାରେ ବିଭିନ୍ନ ଆକ୍ଟ ମାଧ୍ୟମରେ ଶ୍ରମିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରମିକମାନଙ୍କ ପାଇଁ ଇପିଏଫ, ପିଆଇ ବ୍ୟବସ୍ଥା ରହିଛି। ଆଠ ଘଣ୍ଟା ଶ୍ରମ ବ୍ୟବସ୍ଥା, ସପ୍ତାହକୁ ଦିନେ ବିଶ୍ରାମ, ଆଠ ଘଣ୍ଟାରୁ ଅଧିକ ଶ୍ରମ କଲେ ବୋନସ ବ୍ୟବସ୍ଥା ରହିଛି। ଏତେ ସବୁ ବ୍ୟବସ୍ଥା କରି ମଧ୍ୟ ଅନେକ ସଂଖ୍ୟାରେ ଶ୍ରମିକ ମାନେ ଶୋଷଣର ଶିକାର ହେଉଛନ୍ତି। ଉପଯୁକ୍ତ ପାରିଶ୍ରମିକ, ଉପଯୁକ୍ତ ପରିବେଶ ଓ ଉପଯୁକ୍ତ ବିଶ୍ରାମର ପାଇଁ ପାରୁ ନାହାନ୍ତି। ସରକାରୀ ସୁବିଧା ଅନେକ ପରିମାଣରେ ପାଇଁ ମଧ୍ୟ ଶ୍ରମିକ ମାନଙ୍କର କଲ୍ୟାଣ ହେଇ ପାରୁ ନାହିଁ। ଦାଦନ ଶ୍ରମିକ ବହୁ ସଂଖ୍ୟାରେ ଦେଖାଯାଉଛନ୍ତି। ଉଭୟ ସରକାର ଶ୍ରମିକ କଲ୍ୟାଣ ପାଇଁ ଆହୁରି ଅନେକ ଯୋଜନା କରିବାର ଆବଶ୍ୟକତା ରହିଛି ଓ ଉପଯୁକ୍ତ ଭାବରେ ଶ୍ରମିକମାନେ ଲାଭ ଉଠାଉଛନ୍ତି କି ନାହଁ ତାର ତର୍ଜମା କରି ବିହିତ ପଦକ୍ଷେପ ନେବାକୁ ପଡିବ । ଆଜିର ସମୟରେ ମାନବ ସମ୍ବଳ ବିନିଯୋଗ ନହୋଇ ଯେଉଁ ଭଲି ଭାବରେ ଯନ୍ତ୍ରର ସହାୟତାରେ ବଞ୍ଚୁଛୁ, ସମୟ ଆସିବେ ସମସ୍ତ ଯନ୍ତ୍ର ଯେତେବେଳେ ଅକାମି ହେବ ସେତେବେଳେ ମନୁଷ୍ୟ ପଙ୍ଗୁ ହେଇଯିବ। ଆମ ଜୀବନ ସରସ ଓ ସୁନ୍ଦର ହୋଇଥାଏ ଶ୍ରମିକ ମାନଙ୍କର ପାଇଁ। ତେଣୁ ଶ୍ରମିକ ମାନଙ୍କୁ ପାଇଁ ଉପଯୁକ୍ତ ସୁବିଧା ଯଦି କରିବା ନାହଁ ତେବେ ଭବିଷ୍ୟତରେ ମାନବ ସମ୍ବଳରୁ ବଞ୍ଚିତ ହୋଇ ମସିନର ଦାସ ହେବା।