ଜିଲ୍ଲାସ୍ତରୀୟ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମ 

ଓଡିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ସମୟରେ ସ୍ବଚ୍ଛତା ଓ ସଚେତନତା ପଦଯାତ୍ରା ସ୍ଥାନୀୟ ଗୁଣ୍ଡିଚାବାଡି ଠାରୁ ବାହାରି ସହର ପରିକ୍ରମା କରି ପର୍ଯ୍ୟଟନ କ୍ଷେତ୍ର ବୃନ୍ଦାବନ ପ୍ୟାଲେସ ପର୍ଯ୍ୟନ୍ତ ପଦଯାତ୍ରା କରା ଯାଇଥିଲା । ଏହି ପଦଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ସଚେତନତା ପଦଯାତ୍ରାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ପୋଲିସ ଓ ବନ ବିଭାଗ , ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତିରେ ଜନସାଧାରଣଙ୍କୁ ବୃକ୍ଷ ରୋପଣ ଓ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ଆହ୍ବାନ ଦିଆ ଯାଇଥିଲା। ପରେ ପରେ ବୃନ୍ଦାବନ ପେଲେସ ଠାରେ ସଫେଇ କରଣ ଓ ବୃକ୍ଷରୋପଣ ସମସ୍ତ ଅତିଥି ମାନଙ୍କ ଦ୍ଵାରା କରା ଯାଇଥିଲା।

ସେଠାରେ ଶ୍ରୀ କେ.ନାଗାରାଜୁ ବନଖଣ୍ଡ ଅଧିକାରୀ ଶ୍ରୀ କେ: ନାଗରାଜୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ,ପାରଳାଖେମୁଣ୍ଡି ଶ୍ରୀ ରୁପେଶ୍ କୁମାର ପାଣିଗ୍ରାହୀ , ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ , ଓ ଶ୍ରୀ ପ୍ରଦୀପ କୁମାର ସାହୁ, ଅବକାରୀ ଅଧିକ୍ଷକ ଗଜପତି ପ୍ରମୁଖ ମଞ୍ଚାସିନ ରହି ସମସ୍ତ ଜନସାଧାରଣଙ୍କୁ ସଚେତନତା କରା ଯାଇଥିଲା।

ଏହି ଅବସରରେ ଜିଲ୍ଲାପାଳ ନିଜ ଅଭିଭାଷଣ ରେ କହିଥିଲେ ଯେ ବିଶ୍ବ ପରିବେଶ ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ କ୍ଷତି କରୁଅଛି । ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା କରିବା ସହିତ ଯାନବାହନ ତିଆରି ଇତ୍ୟାଦି ଜିନିଷ କରିଥାଏ। ଆଉ ଏଥିରୁ ନିର୍ଗତ ହେଉଥିବା ଦୂଷିତ ଧୂଆଁ ପରିବେଶ ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତ୍ତମ ପ୍ରମୁଖ କାରଣ। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ। ମଣିଷ ଏବଂ ପରିବେଶ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି। ପରିବେଶ ବିନା ଜୀବନ ବଞ୍ଚିବା ସମ୍ଭବ ନୁହେଁ। ପରିବେଶ କ୍ରମାଗତ ଭାବରେ ଦୂଷିତ ହେଉଛି , ଯାହା ଆମ ଜୀବନରେ ଗଭୀର ପ୍ରଭାବ ପକାଉଛି । ଏଣୁ ଆଜି ଠାରୁ ଆମେ ସମସ୍ତେ ଶପଥ ନେବା ପ୍ଲାଷ୍ଟିକ ବର୍ଜନ କରିବା ସହିତ ସୁସ୍ଥ ପରିବେଶର ଗଠନ କରିବାକୁ ବାର୍ତ୍ତା ପ୍ରଦାନ କରିଥିଲେ ।

ସେହିପରି ସମସ୍ତ ଅତିଥି ଗଣ ନିଜ ନିଜ ଅଭିଭାଷଣରେ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ। ସେହି ପରି ପ୍ରତ୍ୟେକ ବ୍ୟକ୍ତି ସାତଗୋଟି ଗଛ ଲଗାଇବା ସହିତ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ କରିବା ଓ ଭବିଷ୍ୟତ ପାଇଁ ସୁସ୍ଥ ପରିବେଶ ଗଠନ କରିବା ପାଇଁ କହିଥିଲେ। ସେହିପରି ବନଖଣ୍ଡ ଅଧିକାରୀ କହିଥିଲେ ଯେ ଚଳିତ ବର୍ଷ ଜିଲ୍ଲାରେ ପାଞ୍ଚ ଲକ୍ଷରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯିବ ଏବଂ ବିଦ୍ୟାଳୟ , ମହାବିଦ୍ୟାଳୟ , ଅଙ୍ଗନବାଡ଼ି କେନ୍ଦ୍ର , ଜିଲ୍ଲାର ବିଭିନ୍ନ ବିଭାଗ ଓ ସଂଗଠନ ଗୁଡ଼ିକ ଦ୍ଵାରା ସାତ ଲକ୍ଷ୍ୟରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯିବାକୁ ସ୍ଥିର କରାଯାଇଛି, ଏହା ସହିତ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସହଯୋଗରେ ପରିବେଶ ସୁରକ୍ଷା ରଖିବା ସହିତ ବୃକ୍ଷ ରୋପଣ କରି ସୁସ୍ଥ ସମାଜ ଗଠନ କରିବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ, ଅବକାରୀ ବିଭାଗର ସମସ୍ତ କର୍ମଚାରୀ ବହୁ ପରିବେଶ ବିତ୍ତ୍ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.